କେମିତି ଅଛି ଭେଟେରାନ ସିଙ୍ଗର ଏସ୍ପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ?
ଚେନ୍ନାଇ: ଭେଟେରାନ ଗାୟକ ଏସ୍ପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଅଗଷ୍ଟ ୫ ତାରିଖରେ କରୋନା ଲକ୍ଷଣ ଦେଖାଦେବାରୁ ବାଲାସୁବ୍ରମଣ୍ୟମ ଚେନ୍ନାଇ ସ୍ଥିତ MGM ହେଲ୍ଥ କେୟାର୍ରେ ଭର୍ତ୍ତି ହୋଇଥିଲେ।
ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ଏକ୍ସପର୍ଟ ଟିମ୍ ତାଙ୍କ ଉପରେ ଧ୍ୟାନ ରଖିଛି। ବର୍ତ୍ତମାନ ଶ୍ୱାସକ୍ରିୟା ନର୍ମାଲ ରହିଛି ବୋଲି ଗୁରୁବାର ହସ୍ପିଟାଲ ନିର୍ଦ୍ଦେଶକ ଡ. ପ୍ରଶାନ୍ତ ରାଜଗୋପାଳନ ସୂଚନା ଦେଇଛନ୍ତି।
ଅଗଷ୍ଟ ୫ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଫେସ୍ବୁକରେ ଏକ ଭିଡିଓ ଅପ୍ଲୋଡ କରି ଏ ଏସମ୍ପର୍କରେ ସୂଚନା ଦେଇଥିଲେ। ସେ ଭିଡିଓରେ କହିଥିଲେ, ” ଗତ ୨-୩ ଦିନ ହେବ ମୁଁ ଅସୁସ୍ଥତା ଅନୁଭବ କରୁଛି। ଛାତିରେ ଯନ୍ତ୍ରଣା ହେବା, କଫ, ଥଣ୍ ଡା ଓ ଜ୍ୱର ଅନୁଭବ କରୁଥିଲି। ଏହା ବ୍ୟତୀତ ଅନ୍ୟ କୌଣସି ସମସ୍ୟା ନାହିଁ। କିନ୍ତୁ ମୁଁ ଏହାକୁ ଗୁରୁତର ସହ ନେଇ ହସ୍ପିଟାଲ୍ ଯାଇ ଚେକ୍ କରିଥିଲି। ଡାକ୍ତରମାନେ ଏହାକୁ କରୋନାର ସାମାନ୍ୟ ଲକ୍ଷଣ ବୋଲି କହିଥିଲେ। ଔଷଧ ଖାଇବା ସହିତ ହୋମ୍ କ୍ୱାରେଣ୍ଟିନ୍ ରହିବାକୁ ପରାମର୍ଶ ଦେଇଥିଲେ।” କିନ୍ତୁ ଘରେ ଅନ୍ୟ ପରିବାର ସଦସ୍ୟ ଥିବାରୁ ସେ ଘରେ ନ ରହି ଡାକ୍ତରଖାନା ଆସିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଭିଡିଓରେ କହିଛନ୍ତି ୭୪ ବର୍ଷୀୟ ଏସ୍ପି ବାଲାସୁବ୍ରମଣ୍ୟମ। ଏହି ଭେଟେରାନ ସିଙ୍ଗର ତାମିଲ ଓ ହିନ୍ଦୀ ସମେତ ଅନ୍ୟ ଭାଷାରେ ବି ଗୀତ ଗାଇଛନ୍ତି।