ଭୁବନେଶ୍ୱର: କରୋନାର କଷ୍ଟ ଭିତରେ ବଢୁଛି ମାନସିକ ଚାପ, ବଢୁଛି ମାତ୍ରାଧିକ ଭୟ। ବିଷାଦଗ୍ରସ୍ତ ହୋଇ କେଉଁଠି ନା କେଉଁଠି ଆତ୍ମୀୟ ସ୍ୱଜନଙ୍କୁ ହରାଇ ବସୁଛନ୍ତି ଲୋକେ। ଏହି ସ୍ଥିତିରେ ଅତ୍ୟଧିକ ମାନସିକ ଚାପର ବଶବର୍ତ୍ତୀ ହୋଇ କିଏ ଆତ୍ମହତ୍ୟା କରୁଛନ୍ତି ତ ଆଉ କିଏ ପ୍ରାଣ ହରାଉଛନ୍ତି ହୃଦଘାତରେ। କାଲି ନୟାଗଡ଼ରେ କରୋନା ସଂକ୍ରମିତ ଦମ୍ପତ୍ତିଙ୍କ ଆତ୍ମହତ୍ୟା, ସମସ୍ତଙ୍କୁ ଦୋହଲାଇ ଦେଇଛି। ଚିକିତ୍ସିତ ହୋଇଥିଲେ ହୁଏତ ସେମାନେ ସୁସ୍ଥ ହୋଇଥାନ୍ତେ। କିନ୍ତୁ କାଳ ହେଲା ମନରେ ନକରାତ୍ମକ ଭାବନା। ଶେଷରେ ଜୀବନ ଯୁୂଦ୍ଧରେ ହାରିଯିବା ଭୟରେ ଜୀବନ ହାରିଦେଲେ ପତି-ପତ୍ନୀ। ଏଭଳି ସ୍ଥିତିରେ ମନସ୍ତତ୍ତ୍ୱବିତଙ୍କ କହିବା କଥା, ପ୍ରତିକୂଳ ସ୍ଥିତିରେ ମନକୁ ଦୃଢ଼ କରିବାକୁ ହେବ ଓ ସବୁବେଳେ ସକରାତ୍ମକ ଦିଗକୁ ଗୁରୁତ୍ୱ ଦେବାକୁ ହେବ।
କରୋନାର ଦେଖାଉଛି ନିଜର କରାଳ କାୟା। ପତ୍ନୀ ମଥାରୁ ଲିଭିଯାଉଛି ସିନ୍ଦୂର, ବାପ ଛେଉଣ୍ଡ ହୋଇଯାଉଛି ପୁଅ, ଆପଣାର ଲୋକଙ୍କୁ ହରାଇ ବସୁଛନ୍ତି କେତେ କେତେ ଆତ୍ମୀୟ ସ୍ୱଜନ। ମଶାଣୀକୁ ବିଶ୍ରାମ ନାହିଁ, ଚିତାରୁ ନିଆଁ ଲିଭୁନି। ଏଭଳି ଦୃଶ୍ୟ ଯିଏ ଦେଖୁଛନ୍ତି, ଭାଙ୍ଗିପଡୁଛନ୍ତି, ଧେର୍ଯ୍ୟହରା ହେଉଛନ୍ତି, ଆତ୍ମହରା ହୋଇ ଆତ୍ମହତ୍ୟା ବି କରିଦେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,ନୟାଗଡ଼ର ଗଗନ ପାତ୍ର ଏବଂ ପତ୍ନୀ ଜ୍ୟୋସ୍ନା ଜୀବନ ହାରିଦେଇଛନ୍ତି । ନା ଆର୍ଥିକ ସଙ୍କଟ ଥିଲା, ନା କୌଣସି ବିବାଦ। ବରଂ କରୋନା ସଂକ୍ରମିତ ଥିଲେ ଏବଂ ଗାଁ ସଭାପତିଙ୍କ ନିର୍ଦ୍ଦେଶରେ ସାମାଜିକ ସଂଗରୋଧରେ ଥିଲେ। ତେଣେ ପୁଅ ବି ପୁରୀରେ କରୋନାରେ ସଂକ୍ରମିତ ହୋଇ ଆଇସିୟୁରେ ରହି ଜୀବନ-ମରଣ ସହ ଯୁଝୁଛନ୍ତି। ଏଭଳି ସ୍ଥିତିରେ ସଂଗରୋଧରେ ରହି ସମାନ ଦଶା ଭୋଗୁଥିବା ଦମ୍ପତ୍ତି ଶେଷରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
ତେବେ ପ୍ରତିକୂଳ ପରିସ୍ଥିତି ସହ ମୁକାବିଲା କରିନପାରି ଏଭଳି ଚରମ ନିଷ୍ପତ୍ତି ନେବା କେତେଦୂର ଠିକ୍ ? ଆତ୍ମହତ୍ୟା ଭଳି ରାସ୍ତା ବାଛି ଏମାନେ ପାଇଲେ କଣ ? ହୁଏତ ଉଭୟ ଚିକିତ୍ସିତ ହୋଇ ସୁସ୍ଥ ହୋଇପାରିଥାନ୍ତେ, ଯେମିତି ଅନ୍ୟ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଘଟୁଛି। ସ୍ୱାସ୍ଥ୍ୟ ବିଭାଗ କହୁଛି, ରାଜ୍ୟରେ ବର୍ତ୍ତମାନ ଫ୍ଲାଟେନିଂ କର୍ଭ ବା ସମାନ୍ତରାଳ ସ୍ଥିତିରେ ରହୁଛି କରୋନା ସଂକ୍ରମଣ। ଅନ୍ୟ ରାଜ୍ୟ ଅପେକ୍ଷା, ଓଡ଼ିଶାରେ ମୃତ୍ୟୁସଂଖ୍ୟା ବି ଯଥେଷ୍ଟ କମ୍ ରହୁଛି। କେବଳ ମୃତ୍ୟୁ ନୁହେଁ, ପ୍ରତିଦିନ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଓଡ଼ିଶାରେ ସୁସ୍ଥ ହାର ରହିଛି ୮୭ ପ୍ରତିଶତ। ତାସତ୍ତ୍ୱେ ଲୋକଙ୍କ ମଧ୍ୟରେ ବଢ଼ି ଚାଲିଛି ଭୟ।
ତେଣୁ ବର୍ତ୍ତମାନର ପ୍ରତିକୂଳ ସ୍ଥିତିରେ ବିଷାଦଗ୍ରସ୍ତ ନହୋଇ ସକରାତ୍ମକ ହେବାକୁ ପରାମର୍ଶ ଦେଇଛନ୍ତି ମନସ୍ତତ୍ତ୍ୱବିତ। କରୋନା ସଂକ୍ରମିତ ଘରେ ସଂଗରୋଧରେ ଥିବାବେଳେ ରୋଗ ସମ୍ପର୍କରେ ଚିନ୍ତା ନକରି ମନ ପସନ୍ଦର ବହି ପଢ଼ିବା କିମ୍ବା ଗୀତ ଶୁଣିବା ଉଚିତ୍। ଏଭଳି ସ୍ଥିତିରେ ପଡୋଶୀ ମଧ୍ୟ ରୋଗୀଙ୍କୁ ଫୋନ୍ କରି ତାଙ୍କ ଭଲମନ୍ଦ ବୁଝିବା ସହ ଯଥାସମ୍ଭବ ଶାରୀରିକ ଓ ମାନସିକ ଭାବେ ସହଯୋଗ କରିବା ଦରକାର ବୋଲି ମନସ୍ତତ୍ତ୍ୱବିତ ପରାମର୍ଶ ଦେଇଛନ୍ତି।