ଦିନକରେ ଓଡ଼ିଶାରେ ୩ ହଜାର ଟପିଲା କରୋନା ପଜିଟିଭ୍‌, ଖୋର୍ଦ୍ଧାରୁ କେବଳ ୫୩୪ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଉପର ମୁହାଁ ହେବାରେ ଲାଗିଛି କରୋନା ଗ୍ରାଫ। ଦିନକରେ ରାଜ୍ୟରେ ଦୈନିକ କରୋନା ପଚିଟିଭ୍‌ ସଂଖ୍ୟା ୩ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୧୦୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୩୮କୁ ବୃଦ୍ଧି ପାଇଛି।

ସବୁଠାରୁ ବଡ଼ କଥା, ଲଗାତାର ଭାବେ କିଛିଦିନ ଧରି ସୁନ୍ଦରଗଡ଼ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୨୩ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧,୮୦୬ ଓ ଲୋକାଲ୍‌ କଣ୍ଟାକ୍ଟସ୍ ୧,୩୦୨ ରହିଛି।‌

ଚିହ୍ନଟ ୩,୧୦୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪୪, ବାଲେଶ୍ୱରରୁ ୧୫୧, ବରଗଡ଼ରୁ ୧୩୨, ଭଦ୍ରକରୁ ୫୩, ବଲାଙ୍ଗିରରୁ ୧୩୩, ବୌଦ୍ଧରୁ ୯, କଟକରୁ ୧୬୩, ଦେବଗଡ଼ରୁ ୧୯, ଢେଙ୍କାନାଳରୁ ୧୬, ଗଜପତିରୁ ୧୮, ଗଞ୍ଜାମରୁ ୫୫, ଜଗତସିଂହପୁରରୁ ୨୯, ଯାଜପୁରରୁ ୭୫, ଝାରସୁଗୁଡ଼ାରୁ ୮୯, କଳାହାଣ୍ଡିରୁ ୫୫, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୨୨, କେନ୍ଦୁଝରରୁ ୧୦୫, ଖୋର୍ଦ୍ଧାରୁ ୫୩୪, କୋରାପୁଟରୁ ୨୩, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୭୧, ନବରଙ୍ଗପୁରରୁ ୧୫୬, ନୟାଗଡ଼ରୁ ୧୫, ନୂଆପଡ଼ାରୁ ୧୪୦, ପୁରୀରୁ ୧୧୪, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୧୫୩, ସୋନପୁରରୁ ୪୨, ସୁନ୍ଦରଗଡ଼ରୁ ୫୨୩ ଓ ଷ୍ଟେଟ୍‌ ପୁଲ୍‌ରୁ ୧୧୮ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୧,୪୫୦ରେ ରହିଛି। ଆକ୍ଟିଭ୍‌ କେସ୍‌-୧୬,୮୮୯ ଥିବାବେଳେ ୩,୪୨,୫୭୦ ଜଣ ସୁସ୍ଥ ହୋଇଛନ୍ତି।

କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଓଡ଼ିଶାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି  କର୍ଫ୍ୟୁ ବଳବତ୍ତର ରହିବ।

ଗୁଜୁରାଟର ସୁରତରେ ପ୍ରବାସୀ ଓଡ଼ିଆଙ୍କର କରୋନାରେ ମୃତ୍ୟୁ ହେବା ପରେ ଗଞ୍ଜାମ ଜିଲ୍ଲାରେ ଉଦ୍‌ବେଗ ପ୍ରକାଶ ପାଇଛି। କେତେକ ଶ୍ରମିକଙ୍କ ମୃତ୍ୟୁ ପରେ ପ୍ରବାସୀମାନେ ଓଡ଼ିଶା ଫେରିବା ଆରମ୍ଭ କରିଛନ୍ତି। ଗତ ୧୫ ଦିନ ଭିତରେ ଗଞ୍ଜାମ ଜିଲ୍ଲାକୁ ୬ ହଜାର ୬୪ ଜଣ ଫେରିଛନ୍ତି। ଏହାଦ୍ୱାରା ଜିଲ୍ଲାରେ ସଂକ୍ରମଣ ପୁଣି ବଢ଼ିବା ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷେ, କରୋନା ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର ହୋଇପଡ଼ିଛି। ବ୍ରହ୍ମପୁର ବଡ଼ ମେଡିକାଲ, ଟାଟା କୋଭିଡ୍ ହସ୍ପିଟାଲ ଓ ଅଶ୍ୱିନୀ କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି। ଜିଲ୍ଲାରେ ସମୁଦାୟ ୪୫୦ ବେଡ୍‌ ଓ ୯୫ଟି ଭେଣ୍ଟିଲେଟର ରହିଛି।

You might also like