ମାଲକାନାଗିରି: ମାଲକାନାଗିରି ଉପାନ୍ତ ଅଞ୍ଚଳର ଜଣେ ଅଙ୍ଗନୱାଡି କର୍ମୀ ନିଜର ୪ମାସର ଛୋଟ ଶିଶୁକୁ ନେଇ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି। ତାଙ୍କ ନାଁ ଲକ୍ଷ୍ମୀବାଇ। କରୋନା ମୁକାବିଲା ପାଇଁ ସମସ୍ତେ ଅଣ୍ଟା ଭିଡିଥିବାବେଳେ ସେ ମଧ୍ୟ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ଭୁଲି ନାହାନ୍ତି। ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହ ଅଣ୍ଡା ଓ ଛତୁଆ ବାଣ୍ଟୁଛନ୍ତି। ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ଲୋକଙ୍କୁ ପରାମର୍ଶ ଦେଉଛନ୍ତି।
ଠିକ୍ ସେହିଭଳି ପୂର୍ବରୁ ଜନସାଧାରଣଙ୍କ ସେବା ପାଇଁ ମାସକର ସନ୍ତାନକୁ କାଖରେ ଧରି ଅଫିସ ଆସିଲେ ମହିଳା ଆଇଏଏସ ଅଧିକାରୀ ଗୁମାଲା। ସେ ମାସକ ତଳେ ମାତୃତ୍ୱ ଲାଭ କରିଥିଲେ।
ଏବେ ତାଙ୍କର ମାତୃତ୍ୱକାଳୀନ ଛୁଟିରେ ରହିବା କଥା ହେଲେ କର୍ତ୍ତବ୍ୟର ଆହ୍ୱାନ ଆଗରେ ଘରେ ଚୁପ୍ ବସି ପାରିନଥିଲେ ସେ। ମାସକର ସନ୍ତାନକୁ କୋଳରେ ଧରି ଅଫିସ ଆସିବା ସହ ସେହି ଅବସ୍ଥାରେ ଦୈନନ୍ଦିନ ଅଫିସ କାର୍ଯ୍ୟ ସୂଚାରୁ ରୂପେ ତୁଲାଉଛନ୍ତି। ଯାହା ଖାଲି ଆନ୍ଧପ୍ରଦେଶ ନୁହେଁ, ବରଂ ସାରା ଦେଶ ପାଇଁ ବିରଳ ଉଦାହରଣ ସୃଷ୍ଟି କରି ପାରିଛି।