ସଂକ୍ରମଣ ସମୟର ଯୋଦ୍ଧା

ଡିଜିଟାଲ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ଡାକ୍ତର ସୁରଜ, ବାଲେଶ୍ୱରର ଜଣେ ଦିବ୍ୟାଙ୍ଗ ଗଳିକନ୍ଦିରେ ବୁଲି ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା

ବାଲେଶ୍ୱର,ନୀଳଗିରି (ରଞ୍ଜିତ ପାକଳ ଏବଂ ବିଶ୍ୱମ୍ବର ଦାସ): ରାଜ୍ୟରେ ଥମୁନି କରୋନା ସଂକ୍ରମଣର ସଂଖ୍ୟା । କୋରନା ଲଢେଇରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଭଳି କରୋନା ଯୋଦ୍ଧା ରୋଗୀ ସେବାରେ ବ୍ୟସ୍ତ । କିନ୍ତୁ କିଛି ଏଭଳି ଯୋଦ୍ଧା ଅଛନ୍ତି ଯିଏ ଏ କୋଭିଡ୍ ସମୟରେ ଲୋକଙ୍କ ସେବା କରିବାକୁ ବ୍ରତ କରି ନେଇଛନ୍ତି । ନୀଳଗିରିରେ ଜଣେ ଡାକ୍ତର ଲୋକଙ୍କୁ ଡିଜିଟାଲ ସ୍ବାସ୍ଥ୍ୟସେବା ଯୋଗାଉଥିବାବେଳେ ବାଲେଶ୍ୱରର ଜଣେ ଦିବ୍ୟାଙ୍ଗ ଗଳିକନ୍ଦିରେ ବୁଲି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ।

ବାଲେଶ୍ୱର ପାତ୍ରପଡ଼ା ଅଞ୍ଚଳର ଭିନ୍ନକ୍ଷମ ଗଜେନ୍ଦ୍ର ପ୍ରଧାନ । ସକ୍ଷମ ନୁହନ୍ତି କିନ୍ତୁ ପ୍ରତିଦିନ ନିଜର ଟ୍ରାଇସାଇକେଲରେ ବସି ବାହାରିପଡନ୍ତି ଲୋକଙ୍କ ସେବାରେ । ଆଉ ବାଲେଶ୍ୱରର ଗାଁଠୁ ସହର ସବୁଠି ବୁଲିବୁଲି ମାଇକ ଯୋଗେ ଲୋକଙ୍କୁ କରୋନାକୁ ନେଇ ସଚେତନ କରନ୍ତି । । ବିଶେଷ କରି ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବା, ସର୍ବଦା ମାକ୍ସ ପିନ୍ଧିବା,ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଭଲି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଗଜେନ୍ଦ୍ର ତାଙ୍କର ଏହି ନିଆରା ସଚେତନତା ଶୈଳୀକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ସେହିପରି ନୀଳଗିରି ସନ୍ତରାଗଡ଼ିଆ ଅଞ୍ଚଳର ଡାକ୍ତର ସୁରଜ ଜେନା । ୨୦୧୯ ମସିହା ମାର୍ଚ୍ଚ ମାସ ଠୁଁ ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇ ରୋଗୀସେବା ଯୋଗାଇବା ସହ ପାହାଡ଼ି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବାଇକ ଯୋଗେ ପହଂଚି ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇବା ସହ ଔଷଧ ବି ଦେଉଥିଲେ । କରୋନା ମହାମାରୀ ପାଇଁ ଲୋକଙ୍କୁ ଏକଜୁଟ କରିବା ସମ୍ଭବ ନହେବାରୁ ଡିଜିଟାଲ ପ୍ଲାଟଫୋର୍ମରେ ରୋଗୀ ସେବା କରୁଛନ୍ତି । ଭିଡ଼ିଓ କଲ ମାଧ୍ୟମରେ ସମ୍ପୂର୍ଣ ମାଗଣାରେ ରୋଗୀଙ୍କୁ ସେବା ଯୋଗାଉଛନ୍ତି ।

 

 

You might also like