ବେକାବୁ ହେଲାଣି କରୋନା: ଶିକ୍ଷାନୁଷ୍ଠାନ ଦେଉଛି ଟେନସନ୍‌

କାୟା ବିସ୍ତାର କରୁଛି କରୋନା

  • ରାଜ୍ୟରେ ପୁଣି ଅଣାୟତ୍ତ ହେଉଛି କି କରୋନା?
  • ୨୪ ଘଣ୍ଟାରେ ୨୯୦ ନୂଆ ଆକ୍ରାନ୍ତ ଚିହ୍ନଟ
  • ଚିନ୍ତା ବଢାଇଲା ରାଉରକେଲା NIT ଓ ଭୁବନେଶ୍ୱର IIT
  • ଭୁବନେଶ୍ୱର ଆଲେନ୍ ଇନଷ୍ଟିଚ୍ୟୁଟ୍‌ରେ ବି ସଂକ୍ରମିତ ଚିହ୍ନଟ
  • ସାନିଟାଇଜ୍ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଭୁବନେଶ୍ୱର: ମାର୍ଚ୍ଚରେ କାୟା ମେଲାଇଛି ମହାମାରୀ। ଜାରି ରହିଥିବା ଦୈନିକ ସଂକ୍ରମଣର ୨ ଶହ ଟ୍ରେଣ୍ଡ ଏବେ ୩ଶହ ମୁହାଁ ହେଲାଣି। ଏ ବର୍ଷର ରେକର୍ଡ ଭାଙ୍ଗି ଆଜି ଦିନକରେ ୨୯୦ ନୂଆ ରୋଗୀ ସାମ୍ନାକୁ ଆସିଥିବାବେଳେ ଉଦବେଗଜନକ ସ୍ଥିତି ରହିଛି ସହରାଞ୍ଚଳର ଶିକ୍ଷାନୁଷ୍ଠାନ ଗୁଡ଼ିକରେ। ଭୁବନେଶ୍ୱର IIT ଓ ଆଲେନ୍ ଇନଷ୍ଟିଚ୍ୟୁଟ୍‌ ସହ ରାଉରକେଲା NITକୁ ମିଶାଇ ଆଜି ପ୍ରାୟ ୪୦ ଛାତ୍ରଛାତ୍ରୀ ଓ କର୍ମଚାରୀ ପଜିଟିଭ୍ ହୋଇଛନ୍ତି । ଫଳରେ କ୍ୟାମ୍ପସ ଗୁଡ଼ିକରେ କଡ଼ା କଟକଣା ସହ ଚିକିତ୍ସା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ ବଢୁଥିବା ସଂକ୍ରମଣକୁ ଦେଖି ସାନିଟାଇଜ୍ ପାଇଁ ପ୍ରତି ରବିବାର ଜଗା ଦର୍ଶନ ବନ୍ଦ ଲାଗି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।

ରାଜ୍ୟରେ ପୁଣି ଅଣାୟତ୍ତ ହେଉଛି କି ଅଦୃଶ୍ୟ ଭୂତାଣୁ କରୋନା ? ମାର୍ଚ୍ଚରେ ଭୟ ବଢ଼ାଇ ଚାଲିଥିବା ମହାମାରୀ ପୁଣି ଧାରଣ କରିବ କି ଭୟଙ୍କର ରୂପ ? କାରଣ ଚଳିତ ମାସ ୫ ତାରିଖରେ ଯେଉଁଠି ସଂକ୍ରମିତଙ୍କ ସଂଖ୍ୟା ସର୍ବନିମ୍ନ ୧୦ ଥିଲା, ତାହା ଏବେ ଅର୍ଥାତ ୨୪ ଦିନ ଭିତରେ ୩ଶହ ମୁହାଁ ହେଲାଣି। ଗତ ୪ ଦିନ ହେଲା ଦୈନିକ ସଂକ୍ରମଣ ୨ଶହ ଟ୍ରେଣ୍ଡରେ ରହି ଆଜି ଦିନକରେ ୨୯୦ ନୂଆ କରୋନା ପଜିଟିଭ୍ ସାମ୍ନାକୁ ଆସିଛନ୍ତି। ତା ଭିତରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ମାର୍ଚ୍ଚରେ ସଂକ୍ରମଣର ଏହି ଉଦବେଗଜନକ ସ୍ଥିତି ଭିତରେ ଚିନ୍ତା ବଢ଼ାଇଛି ସହରାଞ୍ଚଳର ଶିକ୍ଷାନୁଷ୍ଠାନ। ଭୁବନେଶ୍ୱର ଆଲେନ୍ ଇନଷ୍ଟିଚ୍ୟୁଟ୍‌ରେ ପ୍ରାୟ ୨୦ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବାପରେ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ବିଏମ୍ସି ସିଲ୍ କରି ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖିଛି।

କେବଳ ଘରୋଇ ନୁହେଁ, ଭୁବନେଶ୍ୱର ଉପକଣ୍ଠ ଅରୁଗୁଳ ଆଇଆଇଟିରେ ଆଜି ଅଧିକ ୨ ନୂଆ କେସ୍ ସାମ୍ନାକୁ ଆସିବା ପରେ ପଜିଟିଭଙ୍କ ସଂଖ୍ୟା ପହଞ୍ଚିଛି ୧୦ରେ। ସବୁ ସଂକ୍ରମିତ ସଂଗରୋଧରେ ଥିବା ଜିଲ୍ଲାପାଳ କହିଛନ୍ତି। ସେହିପରି ରାଉରକେଲା NITର ୭ଜଣ କରୋନା ଦ୍ୱାରା ସଂକ୍ରମିତ ତା ମଧ୍ୟରେ ରହିଛନ୍ତି ଛାତ୍ରଛାତ୍ରୀ ଏବଂ କର୍ମଚାରୀ ବୋଲି ସୂଚନା ମିଳିଛି। ସଂକ୍ରମଣ ସ୍ଥିତିକୁ ଦେଖି NIT ପରିସରରୁ ଯିବା ଆସିବା ଉପରେ କଟକଣା ସହ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି କ୍ୟାମ୍ପସରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।  ା

ଏସବୁ ଭିତରେ ଶ୍ରୀକ୍ଷେତ୍ରରେ ସଂକ୍ରମଣ ଆଶଙ୍କାକୁ ଦେଖି ଏଣିକି ପ୍ରତି ରବିବାର ସାନିଟାଇଜ୍ କରାଯିବ ଶ୍ରୀମନ୍ଦିର ବୋଲି ସୂଚନା ମିଳିଛି। ସେଥିପାଇଁ ଦୈନିକ ନୀତିକାନ୍ତି ବ୍ୟତୀତ ଅନ୍ୟାଦେଶ ପର୍ଯ୍ୟନ୍ତ ରବିବାର ସାଧାରଣ ଦର୍ଶନ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ତେଣେ ଦେଶବ୍ୟାପି ବଢ଼ିଚାଲିଛି କରୋନା ମିଟର। ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୭୧୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୩୧୨ ଜଣଙ୍କ ପ୍ରାଣହାନୀ ହୋଇଛି। ଉଦବେଗଜନକ ସ୍ଥିତିରେ ଥିବା ମହାରାଷ୍ଟ୍ରରେ ଆଜିଠୁ ମୁମ୍ବାଇ ସମେତ ରାଜ୍ୟବ୍ୟାପି ନାଇଟ୍ କର୍ଫ୍ୟୁ ପାଇଁ ନିଷ୍ପତ୍ତି ନିଆଯାଇଛି।

You might also like