ଖୁସୀ ଖବର, ରାଜ୍ୟକୁ ମିଳିଲା କରୋନା ଟିକା; ଭୁବନେଶ୍ୱରରେ ପହଞ୍ଚିଲା ଭ୍ୟାକ୍ସିନ କୋଭିସିଲ୍ଡ

ଭୁବନେଶ୍ୱର: ସବୁ ପ୍ରଶ୍ନ ଉତ୍ତର କଳ୍ପନାଜଳ୍ପନାର ଅନ୍ତ ଘଟିଲା। ଶେଷରେ ରାଜ୍ୟକୁ ମିଳିଲା କରୋନା ଟିକା। କରୋନା କାଳରେ ରାଜ୍ୟ ପାଇଁ ଏହା ସବୁଠାରୁ ବଡ଼ ଖୁସୀ ଖବର। ଆଜି କରୋନା ଭ୍ୟାକ୍ସିନ କୋଭିସିଲ୍ଡ ଭୁବନେଶ୍ୱରରେ ଆସି ପହଞ୍ଚିଛି।

ପୁଣେ ସ୍ଥିତ ସେରମ ଇନ୍‌ଷ୍ଟିଚ୍ୟୁଟରୁ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଏହି ଟିକା ଆସିଥିବା ସୂଚନା ମିଳିଛି। ଟିକା ନେଇ ଆସିଥିବା ବିମାନ ଏୟାରପୋର୍ଟରେ ପହଞ୍ଚିବା ପରେ ତୁରନ୍ତ ସେଥିରୁ ଟିକା କାଢ଼ି ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ନିଆଯାଇଛି।

ଏନେଇ ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଭୁବନେଶ୍ୱରରେ ଟିକା ପହଞ୍ଚିବା ପରେ ପ୍ରଥମେ ରାଜ୍ୟ ଟିକା କେନ୍ଦ୍ରକୁ ନିଆଯିବାକୁ ଯୋଜନା କରାଯାଇଥିଲା। ଯୋଜନା ମୁତାବକ ରାଜ୍ୟ ଭ୍ୟାକ୍ସିନ୍‌ ସେଣ୍ଟରରେ ଏହି ଟିକା ସବୁ ରହିଛି। ସେଠାରୁ ନିଜ ଜିଲ୍ଲାକୁ ଟିକା ନେଇଯିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସେମାନେ ଭ୍ୟାକସିନ ଗାଡ଼ି ପଠାଇ ସେମାନଙ୍କ ଟିକା ନେଇଯିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।Covid-10 Vaccine Covishield Reaches Odisha, Over 3 Lakh Health Workers To Get Shots In Phase-1

ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ସେହିପରି  ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଓ ୧୮ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ ସେଣ୍ଟର କରିବାକୁ ନିଷ୍ପତି ହୋଇଛି  ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ଲୋକେସନରେ କୋଭିଡ୍ ଭ୍ୟାକସିନ୍ ଲଂଚ୍ କରାଯାଉଛି। କ୍ୟାପିଟାଲ ହସପିଟାଲ, ୟୁନିଟ୍ ୪ ସରକାରୀ ହସପିଟାଲ, ବିଏମସି ହସପିଟାଲ, ସମ୍ ହସପିଟାଲ ଏବଂ କିମ୍ସ ହସପିଟାଲରେ ଲଂଚ୍ କରାଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି।

ସେହିପରି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ କହିଛନ୍ତି, ୧୬ ତାରିଖରେ ଆମ ପାଖରେ ଟିକା ପହଁଚିବ। ଗତ ୨ ତାରିଖରେ ଡ୍ରାଏ ରନ୍ ହୋଇଥିଲା। ଟିକାକରଣ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ ସୂଚନା ଦେଇଛନ୍ତି।  ତେବେ ଆଜି ଟିକା ପହଞ୍ଚିବା ପୂର୍ବରୁ ଭ୍ୟାକସିନ୍ ସେଣ୍ଟର ବୁଲି ଦେଖିଥିଲେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ଆଜି ଭୋର୍ ପ୍ରାୟ ସାଢ଼େ ୪ଟାରେ ପ୍ରଥମେ ପୁଣେର ସିରମ ଇନଷ୍ଟିଟ୍ୟୁଟ୍‌ରୁ ସ୍ୱତନ୍ତ୍ର ଟ୍ରକ୍‌ରେ ଟିକାଗୁଡିକୁ ବିମାନ ବନ୍ଦର ଅଣାଯାଇଥିଲା। ଏଥିପାଇଁ ଟିକା ଟ୍ରକ୍‌ଗୁଡିକୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ପରେ ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ବିମାନରେ ଟିକାକୁ ଭୁବନେଶ୍ୱର ଅଣାଯାଇଥିଲା।

ବିମାନବନ୍ଦରରେ ପହଞ୍ଚିବା ପରେ ଟିକା ଗୁଡ଼ିକୁ ରାଜ୍ୟ ଟିକା କେନ୍ଦ୍ରକୁ ନିଆଯାଇଛି। ଏହା ପରେ କୋଭିସିଲ୍ଡକୁ ପ୍ରତି ଜିଲ୍ଲାର ଟିକା କେନ୍ଦ୍ରକୁ ପଠାଯିବ।

ଟିକା ଆସିବା ପୂର୍ବରୁ ଟିକାକରଣ ସମ୍ପର୍କିତ ସୂଚନା ଦେଇଥିଲେ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି। ସେ କହିଥିଲେ ଯେ ଟିକା ଆସିବା ମାତ୍ରେ ଟିକାକରଣ ଆରମ୍ଭ ହେବ। ମୋଟ୍ ୪୦ ହଜାର ୮୦୦ ଟିକା ଶିଶି ଆସୁଥିବା ନେଇ ସେ ସୂଚନା ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ଗୋଟିଏ ଶିଶିରୁ ୧୦ଜଣଙ୍କୁ ଭ୍ୟାକସିନ୍ ଦିଆଯାଇ ପାରିବ। ଟିକାକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ୬୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ଦିଆଯାଇଥିବା ଡିଏମଇଟି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଆସନ୍ତା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା କୋଭିଡ୍ ଟିକାକରଣ ସାରା ଦେଶରେ ୫ ହଜାର ସେସନ୍ ସାଇଟ୍ ବା ଟିକାରଣ କେନ୍ଦ୍ର ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଆମ ରାଜ୍ୟ ଓଡ଼ିଶାରେ ୧୬୦ଟି ଟିକାକରଣ ସେଣ୍ଟର ଖୋଲାଯାଇଛି।

ଲୋକମାନଙ୍କୁ ଠିକ୍‌ ଭାବରେ ଟିକାକରଣ ପାଇଁ ପ୍ରତି ଜିଲ୍ଲାରେ ଏଥିଲାଗି ବ୍ୟବସ୍ଥା କରାୟାଇଛି। ପ୍ରତି ସେଣ୍ଟରରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବା ନେଇ ଯୋଜନା ହୋଇଛି। ତେବେ ରାଜ୍ୟମାନଙ୍କରେ ଟିକାକରଣର ପରିଚଳାନା ପାଇଁ କିପରି ବ୍ୟବସ୍ଥା ହୋଇଛି ତାହା ଜାଣିବା ପାଇଁ  ଗତକାଲ ପ୍ରଧାନମନ୍ତ୍ରୀ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହୋଇଥିଲେ।

୧୬ ତାରିଖରେ ସାରା ବିଶ୍ୱରେ ଭାରତ ସର୍ବବୃହତ ଟିକାକରଣ କାର୍ଯ୍ୟ ଆରମ୍ଭ କରିବ ବୋଲି ମୋଦି କହିଥିଲେ। ଏଥିସହିତ ସେ ଆହୁରି ମଧ୍ୟ କହଥିଲେ ଯେ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଦେଶର ୩ କୋଟି ଜନତାଙ୍କୁ ମାଗଣାରେ ଟିକା ଦେବେ କେନ୍ଦ୍ର ସରକାର। ଏଥିପାଇଁ ରାଜ୍ୟକୁ କୌଣସି ଖର୍ଚ୍ଚ ବହନ କରିବାକୁ ପଡ଼ିବ ନାହିଁ।

ପ୍ରଥମ ପର୍ଯ୍ୟାୟରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଯଥା ପୁଲିସ, ସୁରକ୍ଷାକର୍ମୀ ଓ ସଫେଇ କର୍ମଚାରୀ ଆଦି ୩ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା ଗତକାଲି ଘୋଷଣା କରିଥିଲେ। ତା ସହିତ ଟିକାକରଣକୁ ନେଇ ହେଉଥିବା ସମସ୍ତ ପ୍ରକାର ଗୁଜବକୁ ପ୍ରସାର ହେବାକୁ ରୋକିବାକୁ ରାଜ୍ୟ ସହିତ କେନ୍ଦ୍ର ଶାସିତ ଅଞ୍ଚଳକୁ କହିଥିଲେ ପ୍ରଧାନନ୍ତ୍ରୀ।

You might also like