ରାଜ୍ୟକୁ ଆସିଛି କରୋନା ଟିକା; ଏମିତି ହେବ ଟିକାକରଣ

ଭୁବନେଶ୍ୱର: ଆଜି ମଙ୍ଗଳବାରରେ ରାଜ୍ୟରେ ପହଞ୍ଚିଛି କରୋନା ଟିକା। ବହୁ ପ୍ରତୀକ୍ଷିତ କୋଭିଡ୍ ଭ୍ୟାକସିନ୍‌ ଓଡ଼ିଶାରେ ପହଞ୍ଚିବା ପରେ ଖୁସୀ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖୁସୀ ବ୍ୟକ୍ତି କରିବା ସହିତ ଓଡ଼ିଶା ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ନିରନ୍ତର ଟିକାକରଣ ଚାଲିବ। ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଅଙ୍ଗନବାଡ଼ିଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଆଜି କୋଭିସିଲ୍ଡର ୪ଲକ୍ଷ ୮ହଜାର ଡୋଜ୍ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି। ଆଜିଠାରୁ ହିଁ ଜିଲ୍ଲାଗୁ଼ଡ଼ିକୁ ଏହାର ବିତରଣ ଆରମ୍ଭ ହୋଇଯାଇଛି। ଆସନ୍ତା ଶନିବାରଠାରୁ ଟିକାକରଣର ଶୁଭାରମ୍ଭ ହେବ। ଟିକାକରଣ ବେଳେ ବୟସ୍କ ସ୍ୱାସ୍ଥ୍ୟକର୍ମୀ, ହାଇରିସ୍କ ଗ୍ରୁପ୍ ଓ ଅଧିକ କରୋନା ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ପୂର୍ବରୁ ଯୋଜନା ହୋଇଛି।

ଆଜି ଅପରାହ୍ଣରେ କୋଭିସିଲ୍ଡ ଟିକାକୁ ନେଇ ସ୍ପାଇସ୍ ଜେଟ୍‌ର ଏକ ବିମାନ ଏୟାରପୋର୍ଟରେ ପହଞ୍ଚିଥିଲା। ଏହାପରେ ସେଠାରୁ ପୋଲିସ୍ ପାଇଲଟିଂରେ ୩ଟି ରେଫ୍ରିଜେଟର୍ ଭ୍ୟାକସିନ୍ ଭ୍ୟାନ୍‌ରେ ଟିକା ଲୋଡ୍ ହୋଇ ସିଧାସଳଖ ରାଜ୍ୟ ଭ୍ୟାକସିନ୍ ଷ୍ଟୋରକୁ ନିଆଯାଇଥିଲା। ଯେଉଁଠି ଆଇସ୍ ଲାଇନ୍ଡ ରେଫ୍ରେିଜେଟର୍ ସମେତ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ଏହିଠାରୁ ହିଁ ବିଭିନ୍ନ ଜିଲ୍ଲାର ଭ୍ୟାକସିନ୍ ଷ୍ଟୋରକୁ ଟିକା ପହଞ୍ଚିବ। ଆଜିଠାରୁ ହିଁ ଜିଲ୍ଲାଗୁଡ଼ିକୁ ଟିକା ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮ଶହ ଭାଇଲସ୍ ବା ଛୋଟ ସିସି ଆସିଛି। ଗୋଟିଏ ସିସିରେ ୫ ml ଅର୍ଥାତ ୧୦ ଜଣଙ୍କୁ ସିଙ୍ଗିଲ୍ ଡୋଜ୍ ଦିଆଯାଇପାରିବ। ଏହାକୁ ହିସାବ କଲେ ଏବେ ୪ଲକ୍ଷ ୮ ହଜାର ଡୋଜ୍ ରହିଛି। ଏଥିରେ ୧ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ଟିକାକରଣ କରାଯାଇପାରିବ।

ତେବେ ପର୍ଯ୍ୟାୟକ୍ରମେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଭ୍ୟାକ୍ସିନେସନ୍ ବେଳେ ବୟସ୍କ ସ୍ୱାସ୍ଥ୍ୟକର୍ମୀ, ହାଇରିସ୍କ ଗ୍ରୁପ୍ ଓ କରୋନା ପ୍ରଭାବ ଅଧିକ ଥିବା ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀଙ୍କୁ ଗୁରୁତ୍ୱ ଦିଆଯିବ। ଆଗକୁ କୋଭାକ୍ସିନ୍‌ର ୨୦ ହଜାର ଡୋଜ୍ ଆସିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର।

ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି “ଆଜି ଯେଉଁ ଭ୍ୟାକ୍ସିନ୍ ଆସିଛି ୪ ଲକ୍ଷ ୮ ହଜାର ଡୋଜ୍ ରହିଛି। ଏଥିରେ ଦୁଇ ଲକ୍ଷ ୪ ହଜାର ଲୋକଙ୍କର ଫାଷ୍ଟ ଡୋଜ୍ ହେବ। ତେବେ ଦୁଇ ଲକ୍ଷ ୪ ହଜାର ଜାଗାରେ ପ୍ରକୃତରେ ଏକ ଲକ୍ଷ ୯୧ ହଜାର ଲୋକ ହେବେ। ଏସବୁ ଭିତରେ ଯେଉଁ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ଅଧିକ ଥିବା ସେମାନଙ୍କୁ ଅଧିକ ଗୁରୁତ୍ୱ  ଦେବୁ ଓ କରୋନା ପ୍ରବଣ ସ୍ଥାନଗୁଡ଼ିକୁ ଆଗ କଭର କରାଯିବ।”

ଆସନ୍ତା ଶନିବାର କୋଭିଡ୍ ଟିକାକରଣର ଶୁଭାରମ୍ଭ ହେବ। ଏଥିପାଇଁ ୧୬୦ଟି ସେସନ୍ ସାଇଟ୍ ବା ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଛି। ଏହାମଧ୍ୟରୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ୍ ହସପିଟାଲ୍‌ରେ ଟୁୱେ କମ୍ୟୁନିକେସନ୍ ରହିବ। ଅର୍ଥାତ ଏ ଦୁଇ ସେଣ୍ଟରରୁ ଟିକାକରଣ ନେଇ କେନ୍ଦ୍ର ସରକାର ସିଧାସଳଖ ଫିଡ୍‌ବ୍ୟାକ୍ ନେଇପାରିବେ।

 

ପ୍ରତି ସେଣ୍ଟରରେ ଦୈନିକ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାୟକ୍ରମେ ଅଧିକ ଟିକା ପହଞ୍ଚିବା ପରେ ଅଧିକ ସେଣ୍ଟର କରାଯାଇ ଟିକାଦନ ବ୍ୟବସ୍ଥା କରାଯିବ। ଜିଲ୍ଲା ଭ୍ୟାକ୍ସିନ୍ ଷ୍ଟୋରରୁ କୋଲ୍ଡ ଚେନ୍ ପଏଣ୍ଟ ଦେଇ ଟିକାକରଣ କେନ୍ଦ୍ରରେ ପହଚିଂବ ଭ୍ୟାକସିନ୍। ସେଠାରେ ଟିକାଦାନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି “ସମସ୍ତ ଜିଲ୍ଲା ଭ୍ୟାକ୍ସିନ ଷ୍ଟୋର୍‌କୁ ଟିକା ପଠାଯିବ। ଏଥିପାଇଁ ପ୍ରତି ଜିଲ୍ଲାରେ ଇନ୍‌ସୁଲେଟେଡ୍‌ ଭ୍ୟାକ୍ସିନ ଭ୍ୟାନ ରହିଛି। ଚିଠି ଦିଆଯାଇଛି। ଯେଉଁ ଜିଲ୍ଲାରେ ଯେତେ ଭ୍ୟାକ୍ସିନ ଲାଗି ହିସାବ ହୋଇ ଯେତିକି ଟିକାକୁ ଅନୁମତି ଦିଆଯାଇଛି ସେମାନେ ସେତିକି ନେଇଯିବେ।”

ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ୨୧ ହଜାର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ୧୬ ତାରିଖରୁ ୫ଟି ସେଣ୍ଟର- କ୍ୟାପିଟାଲ୍ ହସ୍ପିଟାଲ୍, ଯୁନିଟ-୪, ବିଏମ୍ସି ହସ୍ପିଟାଲ୍, ସମ୍ ଏବଂ କିମ୍ସ ହସ୍ପିଟାଲ୍‌ରେ ଟିକା ଦିଆଯିବ ବୋଲି ବିଏମ୍ସି କମିଶନର୍ ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟକର୍ମୀଙ୍କ ପରେ ନଗର ଉନ୍ନୟନ ବିଭାଗ, ରାଜସ୍ୱ ଓ ବିପଯର୍ୟୟ ପରିଚାଳନା ଏବଂ ଗୃହ ବିଭାଗ କୋଭିଡ୍ ଯୋଦ୍ଧାଙ୍କ ଡାଟା ପ୍ରସ୍ତୁତ କରି ଜାନୁୟାରୀ ୨୫ ସୁଦ୍ଧା ଦେବାକୁ କୁହାଯାଇଛି।

ରିପୋର୍ଟ: ବଳରାମ ମହାନ୍ତି, ସୌମ୍ୟରଞ୍ଜନ, ଅରିନ୍ଦମ ଦାସ ଓ ହରିହର ଚାନ୍ଦ

You might also like