ଜେଡ୍‌ ପ୍ଲସ୍ ସୁରକ୍ଷାରେ ଆସୁଛି କରୋନା ଟିକା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ବହୁ ପ୍ରତୀକ୍ଷୀତ କରୋନା ଟିକା। ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍ଡ। ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ଆଜି ଭୋର୍ ପ୍ରାୟ ସାଢେ ୪ଟାରେ ପ୍ରଥମେ ପୁଣେର ସିରମ ଇନଷ୍ଟିଟ୍ୟୁଟ୍‌ରୁ ସ୍ୱତନ୍ତ୍ର ଟ୍ରକ୍‌ରେ ଟିକାଗୁଡିକୁ ବିମାନ ବନ୍ଦର ଅଣାଯାଇଥିଲା। ଏଥିପାଇଁ ଟିକା ଟ୍ରକ୍ ଗୁଡିକୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଥିଲା।

ପରେ ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ବିମାନରେ ଟିକାକୁ ଭୁବନେଶ୍ୱର ଅଣାଯାଉଛି। ବିମାନବନ୍ଦରରେ ପହଞ୍ଚିବା ପରେ ଟିକା ଗୁଡିକୁ ରାଜ୍ୟ ଟିକା କେନ୍ଦ୍ରରେ ରଖାଯିବ। ଏହା ପରେ ପ୍ରତି ଜିଲ୍ଲାର ଟିକା କେନ୍ଦ୍ରକୁ ପଠାଯିବ। ସେପଟେ ବିଏମସି କମିଶନର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି।

ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ଟି ପ୍ରାଇଭେଟ୍ ହସପିଟାଲରେ ଭ୍ୟାକସିନେସନ ସେଣ୍ଟର କରିବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ଲୋକେସନରେ କୋଭିଡ୍ ଭ୍ୟାକସିନ୍ ଲଞ୍ଚ କରାଯାଉଛି। କ୍ୟାପିଟାଲ ହସପିଟାଲ, ୟୁନିଟ୍ ୪ ସରକାରୀ ହସପିଟାଲ, ବିଏମସି ହସପିଟାଲ, ସମ୍ ହସପିଟାଲ ଏବଂ କିମ୍ସ ହସପିଟାଲରେ ଲଂଚ୍ କରାଯିବ ବୋଲି ବିଏମସି କମିଶନର କହିଛନ୍ତି।   
ଆସନ୍ତା ୧୬ ତାରିଖରୁ ସାରାଦେଶରେ କୋଭିଡ ଟିକାକରଣ ମହା ଅଭିଯାନ ପାଇଁ ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ମହାରାଷ୍ଟ୍ରସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍‌ରୁ କଡା ସୁରକ୍ଷା ବଳୟରେ ଫ୍ରିଜର ଥିବା ଅତ୍ୟାଧୁନିକ ଟ୍ରକ୍‌ରେ କୋଭିଡ ଟିକାକୁ ବିମାନବନ୍ଦର ନିଆଯାଇଥିଲା। ସେଠାରୁ ଦେଶର ବିଭିନ୍ନ ସ୍ଥାନକୁ ଟିକା ପଠାଯାଇଛି। ସିରମ ଇନଷ୍ଟିଚ୍ୟୁଟ୍‌ ଏବଂ ସହଯୋଗୀ ସଂସ୍ଥା କୁଲ୍ ଏକ୍ସ କୋଲଡ୍ ଚେନ୍ ଲିମିଟେଡ୍ ଟିକା ପରିବହନ ଦାୟିତ୍ୱ ନେଇଛନ୍ତି। କୋଭିସିଲଡ ଟିକା ପାଇଁ ପୁନେର ସିରମ ଇନଷ୍ଟିଚ୍ୟୁଟ୍ ୧ କୋଟି ୧୦ ଲକ୍ଷ ଡୋଜ୍ ଅର୍ଡର ମିଳିବା ପରେ ଟିକା ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଛି।
ପ୍ରଥମ ବିମାନ ଭାବେ ସ୍ପାଇସ ଜେଟ୍‌ରେ ୪୫୬ଟି ବକ୍ସରେ ମୋଟ ୧୪ହଜାର ୫୯୨ ଟନ୍ ଓଜନର ଟିକା ପଠାଯାଇଛି। ଏଥିସହ ଅନ୍ୟ ବିମାନରେ ଚେନ୍ନାଇ, ଚଣ୍ଡୀଗଡ, କୋଲକାତା, ଗୁଜରାଟ, ହାଇଦ୍ରାବାଦ, ବିଜୟଓ୍ବାଡା, ଭୁବନେଶ୍ୱର, ଗୌହାଟୀ, ବେଙ୍ଗଳୁରୁ, ପାଟନା ଏବଂ ଲକ୍ଷ୍ନୌ ଭଳି ୧୩ଟି ସହରକୁ ଟିକା ପଠାଯାଇଛି। ୮ଟି ବାଣିଜ୍ୟିକ ଏବଂ ୨ଟି କାର୍ଗୋ ବିମାନରେ ଟିକା ପଠାଯାଇଛି। ପ୍ରଥମ କାର୍ଗୋ ଫ୍ଲାଇଟ୍ ହାଇଦ୍ରାବାଦ, ବିଜୟଓ୍ବାଡା ଏବଂ ଭୁବନେଶ୍ୱର ପଠାଯାଇଥିବା ବେଳେ ଦ୍ୱିତୀୟ କାର୍ଗୋ ଫ୍ଲାଇଟରେ କରୋନା ଟିକା କୋଲକାତା ଏବଂ ଗୌହାଟୀକୁ ଯାଇଛି।

 

ଟିକା ଆସିବା ମାତ୍ରେ ଟିକାକରଣ ଆରମ୍ଭ ହେବ ମୋଟ ୪୦ ହଜାର ୮୦୦ ଟିକା ଶିଶି ଆସୁଛି। ଗୋଟିଏ ଶିଶି ୧୦ଜଣଙ୍କୁ ଦିଆଯାଇପାରିବ ଟିକାକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ୬୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ଦିଆଯାଇଛି।
-ଡାକ୍ତର ସିବିକେ ମହାନ୍ତି, ଡିଏମଇଟି

କେମିତି ଟିକାକରଣ କେନ୍ଦ୍ରରେ ପହଞ୍ଚିବ ଭାକ୍ସିନ୍?

ହିତାଧିକାରୀଙ୍କୁ କେମିତି ଦିଆଯିବ ଟିକା? ସେନେଇ ପ୍ରସ୍ତୁତ ହୋଇଛି ବ୍ଳୁ ପ୍ରିଣ୍ଟ। ପ୍ରଥମେ ଭ୍ୟାକସିନ୍ ଉତ୍ପାଦନକାରୀ କଂପାନୀଠାରୁ ବିମାନ ଯୋଗ ସିଧାସଳଖ ଟିକା ଆସି ପହଞ୍ଚିବ ଷ୍ଟେଟ୍ ଭ୍ୟାକସିନ୍ ଷ୍ଟୋର୍‌ରେ। ସେଠାରୁ ଭୁବନେଶ୍ୱର, କଟକ, ଗଂଜାମ, ବାଲେଶ୍ୱର, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, କନ୍ଧମାଳ ଓ କୋରାପୁଟ୍, ଏହି ୯ଟି ଆଂଚଳିକ ଭ୍ୟାକସିନ୍ ଷ୍ଟୋରକୁ ସ୍ୱତନ୍ତ୍ର ଭ୍ୟାନ୍ ମଧ୍ୟମରେ ଟିକା ପହଞ୍ଚାଯିବ।

ସେଠାରୁ ପୁଣି ୩୨ଟି ଜିଲ୍ଲା ଭ୍ୟାକସିନ୍ ଷ୍ଟୋର ଓ ପରେ ସେସବୁ ଷ୍ଟୋରରୁ ୧୨ଶହ ୨୨ଟି କୋଲ୍ଡ ଚେନ୍ ପଏଣ୍ଟକୁ ଟିକା ପଠାଯିବ, ଯେଉଁଠି ଆଇସ୍ ଲାଇନ୍ଡ ରେଫ୍ରିଜେଟର୍ ବା ILR କିମ୍ବା ଡିପ୍ ଫ୍ରିଜର୍‌ରେ ଟିକା ରହିବ। ସେଠାରୁ ଭ୍ୟାକସିନ୍ କ୍ୟାରିୟର୍ ମାଧ୍ୟମରେ ସେସନ୍ ସାଇଟ୍ ବା ଟିକାକରଣ କେନ୍ଦ୍ରକୁ ଯିବ। ଯେଉଁଠି ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି।

ପ୍ରତି ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷା କକ୍ଷ, ଟିକାକରଣ ରୁମ୍ ଓ ନିରୀକ୍ଷଣ ରୁମ୍ ରହିବ। ଟିକା ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେଉଛି କି ନାହିଁ ଜାଣିବା ପାଇଁ ହିତାଧିକାରୀଙ୍କୁ ଅଧଘଣ୍ଟା ଅପେକ୍ଷା କରିବାକୁ ପଡିବ। ସଂପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ QR ବେସଡ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ।

You might also like