ଆକ୍ରାନ୍ତ ୫୮ ଜଣଙ୍କ ମଧ୍ୟରୁ ୫୭ ବାହାର ରାଜ୍ୟ ଫେରନ୍ତା

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ୫୮ ଆକ୍ରାନ୍ତ ଓ ମୃତକଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୫୮ ଜଣଙ୍କ ମଧ୍ୟରୁ୫୭ ଜଣ ବାହାର ରାଜ୍ୟ ଫେରନ୍ତା। ଅନ୍ୟ ଜଣେ ଆକ୍ରାନ୍ତ ଅନୁଗୁଳ ଜିଲ୍ଲାର ସ୍ଥାନୀୟ ବାସିନ୍ଦା ।

ଗଞ୍ଜାମର ସମସ୍ତ ୨୯ ଓ ମୟୂରଭଞ୍ଜର ଜଣେ ଆକ୍ରାନ୍ତ ସୁରତ ଫେରନ୍ତା। ସେହିପରି ବାଲେଶ୍ୱରର ୧୫ ଜଣଙ୍କ ମଧ୍ୟରୁ ୫ କର୍ଣ୍ଣାଟକ ଓ ୧୦ ପଶ୍ଚିମବଙ୍ଗ ଫେରନ୍ତା। ଅନୁଗୋଳର ୧୩ ଜଣଙ୍କ ମଧ୍ୟରୁ ୧୧ ସୁରତ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି । ପୂର୍ବରୁ ଭୁବନେଶ୍ୱରରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଗଞ୍ଜାମ ଜିଲ୍ଲାରେ ଜଣେ ପ୍ରାଣ ହରାଇଛନ୍ତି ।

ତୃତୀୟ ମୃତକଙ୍କର ୨ ଦିନ ତଳେ ମୃତ୍ୟୁ ହୋଇଥିଲେ ହେଁ ପରେ ତାଙ୍କର ସ୍ବାବ୍ ଟେଷ୍ଟ ହୋଇଥିଲା। ସ୍ବାବ ଟେଷ୍ଟରୁ ସେ କରୋନା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି।

ସୂଚନାଥାଉ କି, ଆଜି ସକାଳୁ ରାଜ୍ୟରେ ଆଉ ୫୮ଟି ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ଆସିଥିଲା। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି । ଏହି ୫୮ଜଣଙ୍କ ମଧ୍ୟରେ ଥିଲେ ଗଞ୍ଜାମ ଜିଲ୍ଲାର ୨୮ ଜଣ, ବାଲେଶ୍ୱରର ୧୫ ଜଣ ଓ ମୟୂରଭଞ୍ଜ ଜିଲ୍ଲାର ଜଣେ।

ଏଥିସହିତ କରୋନାର ହଟସ୍ପଟ ପାଲଟିଛି ଗଞ୍ଜାମ ଜିଲ୍ଲା। ଏଠାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଥିବାବେଳେ ମୟୂରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି ।

ସେହିପରି ପ୍ରଥମ କରି ଅନୁଗୁଳ ଜିଲ୍ଲାକୁ ପ୍ରବେଶ କରିଛି କରୋନା । ଜିଲ୍ଲାରେ ୧୩ ଜଣଙ୍କଠାରେ କରୋନା ପଜିଟିଭ୍ ଆସିଛି । ତେବେ ରାଜ୍ୟରେ ୨୮୧ଟି ଆକ୍ଟିଭ କେସ୍ ଥିବାବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

You might also like