ରାଜ୍ୟରୁ ଆଜି ବାହାରିଲେ ୬,୦୭୩ କରୋନା ସଂକ୍ରମିତ, ଖୋର୍ଦ୍ଧା ହଜାରେ ଉପରେ

ଭୁବନେଶ୍ୱର: ରାଜ୍ୟରେ ଆଜି ବି କରୋନା ସଂକ୍ରମିତଙ୍କ ତାଲିକା ଚିନ୍ତା ବଢାଇଛି। ଗତକାଲି ତୁଳନାରେ ଆଜି ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ ୬ ହଜାର ଉପରେ ରହିଛି। ଗତକାଲି ରାଜ୍ୟରୁ ୬୫୯୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ବାହାରିଛନ୍ତି  ୬ ହଜାର ୭୩ । ଆଜି ବି ଖୋର୍ଦ୍ଧା ଜିଲ୍ଲା ତାଲିକାର ଉପରେ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୦୯୨ ସଂକ୍ରମିତ ବାହାରିଛନ୍ତି। ଆଜି ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୮୨୭ କ୍ୱାରେଣ୍ଟିନରେ ଥିବାବେଳେ ୨୭୭୨ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି।

ଆଜି ବଲାଙ୍ଗିରରୁ  ୪୫୭, ନୂଆପଡ଼ାରୁ ୪୦୦, ସୁନ୍ଦରଗଡ଼ରୁ ୩୭୧,  ଝାରସୁଗୁଡ଼ାରୁ  ୩୫୯, ବରଗଡ଼ରୁ୨୮୬, କଳାହାଣ୍ଡିରୁ ୨୭୭,  କେନ୍ଦୁଝରରୁ ୨୬୬, ଅନୁଗୁଳରୁ ୨୩୯, ପୁରୀରୁ ୨୬୬,  ଗଞ୍ଜାମରୁ ୨୦୯, ନବରଙ୍ଗପୁରରୁ ୨୦୬, କଟକରୁ ୧୯୮ ଏବଂ ଷ୍ଟେଟ୍ ପୁଲରୁ ୨୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି  ସମ୍ବଲପୁରରୁ ୧୫୮, ମୟୂରଭଞ୍ଜରୁ ୧୪୯,  ନୟାଗଡ଼ରୁ ୧୧୦, ଯାଜପୁରରୁ ୧୦୭, ରାୟଗଡ଼ାରୁ ୭୭,  ଗଜପତିରୁ ୭୯, କୋରାପୁଟରୁ ୭୬, ସୁବର୍ଣ୍ଣପୁରରୁ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ- ୫୦,୯୫୮ ଥିବାବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୬୭ ହଜାର ୧୧୧। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷେ ଦେଶରେ ମଧ୍ୟ କରୋନା ବ୍ୟାପିବାରେ ଲାଗିଛି । ୮ ରାଜ୍ୟରେ ସ୍ଥିତି ସାଙ୍ଘାତିକ ହୋଇଛି।  ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ଼, ଗୁଜରାଟ, ତାମିଲନାଡୁରେ ସଂକ୍ରମଣର ସ୍ଥିତି ଉଦବେଗଜନକ ଥିବା ବେଳେ ଏଠାରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ କହିଛନ୍ତି, ଗତବର୍ଷ ଠାରୁ ଏଥର ସଂକ୍ରମଣର ହାର ଅଧିକ ରହିଛି। ସବୁ ରାଜ୍ୟରୁ ଅଧିକ ମାମଲା ଆସୁଛି । ସେହିଭଳି ରୋଗୀଙ୍କଠାରେ ସ୍ୱଳ୍ପ ଲକ୍ଷଣ ଥିଲେ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ଏପଟେ ବଢୁଥିବା ସଂକ୍ରମଣକୁ ଦେଖି କର୍ଣ୍ଣାଟକରେ ଦୁଇ ସପ୍ତାହ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି କର୍ଣ୍ଣାଟକ ରାଜ୍ୟ ସରକାର । ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪ ହଜାର ସଂକ୍ରମିତ ଚିହ୍ନଟ ହେବା ପରେ ୟେଦୁରପ୍ପା ସରକାର ରାଜ୍ୟରେ ୧୪ ଦିନିଆ ଲକ଼ଡାଉନ୍ ଘୋଷଣା କରିଛନ୍ତି । ସେହିଭଳି ପଞ୍ଜାବ ସରକାର ମଧ୍ୟ ଗତକାଲିଠୁ ଦୈନିକ ସଂନ୍ଧ୍ୟା ୬ରୁ ସକାଳ ୫ ଟା ଯାଏଁ ଲକଡାଉନ୍ ଘୋଷଣା ସହ ଶୁକ୍ରବାରଠୁ ସୋମବାର ଯାଏଁ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଛନ୍ତି।

You might also like