ରାଜ୍ୟକୁ ପୁଣି ଫେରିଲା କି କରୋନା ? ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦

ଭୁବନେଶ୍ୱର: ସାରା ଦେଶରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ବଢୁଥିବାବେଳେ ଆଜି ଓଡ଼ିଶାର ତାଲିକା ଏହି ଚିନ୍ତାକୁ ଆହୁରି ତେଜିଛି। ଗତ କିଛି ଦିନ ହେବ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ଥିବାବେଳେ ଆଜି ରେକର୍ଡ ଭାଙ୍ଗିଛି। ଆଜି ରାଜ୍ୟରୁ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେସ ୬୪ ଥିବାବେଳେ ଲୋକାଲ କଣ୍ଟାକ୍ଟ ୪୬ ରହିଛି।

ଆଜି ୨୨ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୧୦ କରୋନା ରୋଗୀ।  ଆଜି ସର୍ବାଧିକ କରୋନା ଆକ୍ରାନ୍ତ କଟକରୁ ଚିହ୍ନଟ ହୋଇଛନ୍ତି। କଟକରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହା ପଛରେ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧାରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି  ନୂଆପଡ଼ା ଓ ମୟୂରଭଞ୍ଜରୁ ୯ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଅନୁଗୋଳରୁ ୬, ଦେବଗଡ, ଜଗତ୍‌ସିଂହପୁର, କଳାହାଣ୍ଡି, ନବରଙ୍ଗପୁର, ବାଲେଶ୍ୱରରୁ ୨ଜଣ ଲେଖାଏ, ପୁରୀରୁ ୩ ଜଣ,  ଝାରସୁଗୁଡା, ସମ୍ବଲପୁର, ବରଗଡରୁ ୪, ଢେଙ୍କାନାଳ,  ରାୟଗଡା, କନ୍ଧମାଳ, କୋରାପୁଟ, ଭଦ୍ରକରୁ ଜଣେ ଲେଖାଏ, ଜାଜପୁରରୁ ୫,  ସୁନ୍ଦରଗଡରୁ ୭ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ ୩ ଥିବା ଜଣାଯାଇଛି।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୫୯୯ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୩୫,୯୨୩।  ରାଜ୍ୟରେ ମୋଟ ଆକ୍ଟିଭ କେସ ୭୦୫ ଅଛି।

ସୂଚନାଥାଉ କି, ଦେଶରେ କରୋନା ସଂକ୍ରମଣ ପ୍ରଭାବ କିଛି ଦିନ ଧରି କମିଥିବାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ହେଲେ ଏବେ ପୁଣି ଏହା ଉପରମୁହାଁ ହୋଇଛି। ଆଜି ଦେଶରେ ୪୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଦେଶର ୭୦ ଜିଲ୍ଲାରେ କରୋନାର ଦ୍ୱିତୀୟ ଳହର ଦେଖା ଦେଇଛି। ବିଶେଷକରି ମହାରାଷ୍ଟ୍ର ସବୁଠାରୁ ବେଶି ଚିନ୍ତା ବଢାଇଛି। କେବଳ ମହାରାଷ୍ଟ୍ରରୁ ଦୈନିକ ୨୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଯାହା କି ୬୦ ପ୍ରତିଶତ । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ଜଣ ନୂଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ କରୋନା ମୃତ୍ୟୁ ହାର ୨.୨୨ ପ୍ରତିଶତ ରହିଛି।  ସବୁଠୁ ଅଧିକ ବିଗିଡ଼ିଛି ମୁମ୍ବାଇ, ପୁଣେ, ଔରଙ୍ଗାବାଦ୍। ଟେଷ୍ଟିଂ , ଟ୍ରାକିଂ ଓ ଟ୍ରେସିଂକୁ ବଢ଼ାଯାଇଛି।  କେବଳ ମୁମ୍ବାଇରେ ୨୪ ଘଣ୍ଟାରେ ୨୮୭୭ ନୂଆ ମାମଲା ସାମ୍ନାକୁ ଆସିଛି।

You might also like