ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର: କାଲି ଥିଲା ୧୧୦, ଆଜି ୧୨୦

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ମଧ୍ୟ ଉପରମୁହାଁ ହୋଇଛି। ଦୀର୍ଘ ଦିନ ଧରି କରୋନା ଗ୍ରାଫ ୧୦୦ ତଳେ ଥିବାବେଳେ ଗତକାଲି ୧୧୦ ଛୁଇଁଥିଲା। ଆଜି ଏହା ୧୨୦କୁ ଛୁଇଁଛି। ପ୍ରତିଦିନ ବଢୁଥିବା ଏଇ କରୋନା ସଂମିତଙ୍କ ସଂଖ୍ୟା  ପୁଣି ଚିନ୍ତା ବଢାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୨୨ଟି ଜିଲ୍ଲାରୁ ୧୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଥିବାବେଳେ ୪୯ ଲୋକାଲ କେସ ରହିଛି । ଷ୍ଟେଟ ପୁଲ୍‌ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧ୍ୟ ସର୍ବାଧିକ ରୋଗୀ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୨୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ ତା ପଛରେ ଅଛି ସୁନ୍ଦରଗଡ଼। ଏଠାରୁ ୧୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୧୫, ଖୋର୍ଦ୍ଧାରୁ ୧୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ ଜଗତ୍‌ସିଂହପୁର, କଳାହାଣ୍ଡି, କେନ୍ଦୁଝର, ନବରଙ୍ଗପୁର, ନୂଆପଡ଼ା, ଢେଙ୍କାନାଳ, ବରଗଡ଼, ଅନୁଗୁଳରୁ ଜଣେ ଲେଖାଏ, ବଲାଙ୍ଗିର, କେନ୍ଦ୍ରାପଡ଼ାରୁ ୨, ପୁରୀ, ରାୟଗଡା, ଝାରସୁଗୁଡା, ଭଦ୍ରକରୁ ୩, ବାଲେଶ୍ୱର, ଯାଜପୁର, ଗଞ୍ଜାମରୁ ୪ ଜଣ ଲେଖାଏ, ସମ୍ବଲପୁରରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୭୧୯ ରହିଛି। ସେହିପରି ରୋଗରୁ ମୁକ୍ତ ହୋଇଛନ୍ତି ୩,୩୫,୯୯୪ ଜଣ। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୭୫୪ ରହିଛି।

ସୂଚନା ଥାଉ କି, ସାରା ଦେଶରେ କରୋନା କାୟା ମେଲାଉଛି। ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ  ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି,  ମହାରାଷ୍ଟ୍ର ବ୍ୟତୀତ ଦେଶର ଆଉ ୩ ରାଜ୍ୟ କରୋନା ହଟ୍‌ସ୍ପଟ୍‌ ହେବା  ଆଶଙ୍କା ଦେଖାଦେଇଛି।  ଏହି ରାଜ୍ୟ ଗୁଡ଼ିକ ହେଉଛି ପଞ୍ଜାବ, ହରିୟାଣା ଓ ମଧ୍ୟପ୍ରଦେଶ। ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

 

You might also like