୧୦୦ ତଳକୁ ଖସିଲା ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ନୂଆ କରୋନା ଚିହ୍ନଟଙ୍କ ସଂଖ୍ୟା ହ୍ରାସ ପାଉଛି। ରାଜ୍ୟରେ ୧୦୦ ତଳକୁ ଖସିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଚିହ୍ନଟ ୭୦ ଜଣଙ୍କ ମଧ୍ୟରୁ ୪୨ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିବାବେଳେ  ୪୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୨୮ଟି ହେଉଛି ଲୋକାଲ୍ କେସ୍‌।

ସମସ୍ତ ଆକ୍ରାନ୍ତ ୨୦ଟି ଜିଲ୍ଲାର । ନୂଆପଡ଼ାରୁ ଆଜି ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି।  ନୂଆପଡ଼ାରୁ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଅନୁଗୋଳରୁ ୩ଜଣ, କଟକ, ବାଲେଶ୍ୱର, କେନ୍ଦ୍ରାପଡାରୁ ୪ ଜଣ ଲେଖାଏ, ବରଗଡ, ଦେବଗଡ଼ରୁ ୨ ଜଣ ଲେଖାଏ, ଯାଜପୁରରୁ ୫, ମୟୂରଭଞ୍ଜରୁ ୮ ଓ ସମ୍ବଲପୁରରୁ ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ବଲାଙ୍ଗିର ଗଞ୍ଜାମ, ଜଗତ୍‌ସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମାଲକାନାଗିରିରୁ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା ଓ ସୋନପୁର ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୩୪୮୫୦ ଛୁଇଁଥିବାବେଳେ ସୁସ୍ଥ ହୋଇଛନ୍ତି ୩୩୧୬୬୭ ଜଣ। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ଅଛି ୧୨୨୪।

You might also like