ବରଗଡରୁ ଚିହ୍ନଟ ହେଲେ ସର୍ବାଧିକ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପୁଣି ବଢିଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ଶହେ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨ ଜଣ କରୋନା ରୋଗୀ ସାମ୍ନାକୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ୫୪ ଜଣ କ୍ୱାରେଣ୍ଟିନ ସେଣ୍ଟରର ଥିବାବେଳେ ୩୮ ଜଣ ଲୋକାଲ କଣ୍ଟାକ୍ଟ ଥିବା ଜଣାଯାଇଛି।

ଆଜି ବରଗଡରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୧୪ ଜଣ ଚିହ୍ନଟ ହୋଇଥିବାବେଳେ ଏହା ପଛରେ ଅଛି ସୁନ୍ଦରଗଡ଼ ଜିଲ୍ଲା । ଏଠାରୁ ଆଜି ଚିହ୍ନଟ ହୋଇଛନ୍ତି ୧୧ ଜଣ ଆକ୍ରାନ୍ତ। ଏହା ବ୍ୟତୀତ ସୋନପୁର, ଅନୁଗୋଳ, ଦେବଗଡ଼, ଜଗତସିଂହପୁର, କୋରାପୁଟରୁ ଗୋଟିଏ ଲେଖାଏ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ବାଲେଶ୍ୱରରୁ ୫ ଜଣ, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା,  ବଲାଙ୍ଗିର, ବୌଦ୍ଧରୁ ୨ ଜଣ ଲେଖାଏ, କଟକରୁ ୯, ଯାଜପୁରରୁ ୩, ଝାରସୁଗୁଡା ଓ କଳାହାଣ୍ଡିରୁ ୪ ଜଣ ଲେଖାଏ, କେନ୍ଦୁଝର ଓ  ଖୋର୍ଦ୍ଧାରୁ ୬ ଜଣ ଲେଖାଏ, ପୁରୀରୁ ୭ ଜଣ, ସମ୍ବଲପୁରରୁ ୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଆଜି ରାଜ୍ୟର ୨୧ ଜିଲ୍ଲାରୁ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ୯ ଜିଲ୍ଲାରୁ ଜଣେ ବି ରୋଗୀ ଚିହ୍ନଟ ହୋଇ ନାହାନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୮୮୯ ଛୁଇଁଥିବାବେଳେ ସମୁଦାୟ ନମୂନା ପରୀକ୍ଷା ୭୯,୩୦,୭୨୯ ଜଣଙ୍କର କରାଯାଇଛି। ୩,୩୩,୧୩୯ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୭୮୭ ଜଣ  ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି।

ସୂଚନାଥାଉ କି, ଜାନୁଆରୀ ୧୬ରୁ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। କୋଭାକ୍ସିନ ଏବଂ କୋଭିସିଲ୍‌ଡ ଟିକା ପ୍ରଦାନ କରାଯାଉଛି। ଏହି ଟିକା ନେଇ ଲୋକେ ସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଏହି ଟିକାକରଣ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କ ମଧ୍ୟରୁ ୭.୭୫ ଲକ୍ଷ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି, ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୯୭ ପ୍ରତିଶତ ଏଥିରେ ସନ୍ତୁଷ୍ଟ ଅଛନ୍ତି।  ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମୋବାଇଲ୍ ଆପ୍ଲିକେସନ କୋଓ୍ୱିନ ଜରିଆରେ ଟିକା ନେଇଥିବା ଲୋକଙ୍କଠାରୁ ଟିକାକରଣ ସଂପର୍କରେ ମତାମତ ନିଆଯାଇଥିଲା। ଟିକାକରଣ ପ୍ରକ୍ରିୟା ନେଇ ସେମାନେ ସନ୍ତୁଷ୍ଟ ଥିବା ତାଙ୍କ ମତାମତରୁ ଜଣାପଡ଼ିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

You might also like