କରୋନା ଅପଡେଟ୍‌: ଭଦ୍ରକରୁ ୫, ବାଲେଶ୍ୱରରୁ ୨

ଭୁବନେଶ୍ୱର: କରୋନାକୁ ନେଇ ଆଜି ମିଳିଛି ଏକ ଚିନ୍ତାଜନକ ଖବର। ଆଜି ରାଜ୍ୟରୁ ପୁଣି ୭ ପଜିଟିଭ ଚିହ୍ନଟ ହୋଇଛନ୍ତି।   ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଲା।

ଗତକାଲି ସୁଦ୍ଧା ୧୦, ୬୪୧ ନମୂନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୦, ୫୭୩ ନେଗେଟିଭ ଆସିଛି। ଏହି ୭ ଜଣଙ୍କ ମଧ୍ୟରୁ ୫ ଜଣ ଭଦ୍ରକର ଏବଂ ୨ ଜଣ ବାଲେଶ୍ୱର ବୋଲି ଜଣାପଡ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। କିମ୍ବା ଏମାନେ କାହା ସମ୍ପର୍କରେ ଆସିଛନ୍ତି ସେ ବିଷୟରେ ମଧ୍ୟ ଜଣାପଡ଼ି ନାହିଁ। ତେବେ  ଭଦ୍ରକ ଜିଲ୍ଲାରୁ ୫ ଜଣ କରୋନା ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ବାସୁଦେବପୁରର ତିନିଟି ପଞ୍ଚାୟତ ଓ ଭଣ୍ଡାରିପୋଖରୀର ଦୁଇଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ସୂଚନା ଥାଉ କି, ଭଦ୍ରକରୁ ୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ। କରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲାର କେତେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ବୋଲି ଘୋଷଣା କରାଯାଇଥିଲା। ଲକ୍‌ଡାଉନ ନିୟମକୁ ମଧ୍ୟ କଡାକଡି କରାଯାଇଥିଲା। ହେଲେ୧୬ ଦିନ ଧରି ପଜିଟିଭ ଚିହ୍ନଟ ନ ହେବାରୁ ଗତକାଲି  ଚରମ୍ପାର କଣ୍ଟେନମେଣ୍ଟ ଜୋନ୍-୨ ଏବଂ ଏରେଇଁର କଣ୍ଟେନମେଣ୍ଟ ଜୋନ୍-୩ରୁ କଟକଣା ପ୍ରତ୍ୟାହାର କରାଯାଇଥିଲା । ତେବେ ଏସବୁ ଅଞ୍ଚଳରେ ଲକଡାଉନ ନିୟମ ପୂର୍ବଭଳି ଚାଲୁ ରହିଥିଲା। ଏଥିସହ ବିଭିନ୍ନ ଦୋକାନ ଖୋଲିବା ନେଇ ମଧ୍ୟ ସୂଚନା ଦେଇଛନ୍ତି।

ହେଲେ ଆଜି ପୁଣି ଏକସାଙ୍ଗରେ ୫ ପଜିଟିଭି ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି। ବର୍ତ୍ତମାନ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

ସେହିପରି ୧୮ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏବେ ଆଉ ୨  ପଜିଟିଭ ଚିହ୍ନଟ ପରେ ଜିଲ୍ଲାର ପଜିଟିଭ ସଂଖ୍ୟା ୩ରେ ପହଞ୍ଚିଛି।

ବର୍ତ୍ତମାନ ରାଜ୍ୟରେ ୪୩ ଆକ୍ଟିଭ କେସ ରହିଛି।

You might also like