୧୪ ଜିଲ୍ଲା ଲକ୍‌ଡାଉନ୍‌; ଦିନ ୧୧ଟାରୁ ବସ୍‌ ଚଳାଚଳ ବାତିଲ

ଭୁବନେଶ୍ୱର:  କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପମାନ ନେଉଛନ୍ତି। ରାଜ୍ୟରେ ମୋଟ ୧୪ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି। ଗତ ୨୨ତାରିଖରୁ ୫ଟି ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କରାଯାଇଥିଲା ବେଳେ ଆଜିଠୁ ଆଉ ୯ ଜିଲ୍ଲାରେ ଲକ୍‌ଡାଉନ ଲାଗୁ ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର , ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା।

ଆଜି ସକାଳ ୭ଟାରୁ ଏହି ସବୁ ଜିଲ୍ଲାରେ ଲକ୍‌ଡାଉନ ଲାଗୁ ହୋଇଛି । ପୂର୍ବରୁ ୫ଟି ଜିଲ୍ଲା ଗଂଜାମ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଲାଗି ଲକ୍ ଡାଉନ୍ ଘୋଷଣା ହୋଇଥିଲା ଏହି ସମସ୍ତ ୧୪ଟି ଜିଲ୍ଲାରେ ୨୯ ତାରିଖ ମାର୍ଚ୍ଚ ରାତି ୯ଟା ଯାଏ କଟକଣା ବଳବତ୍ତର ରହିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଅନ୍ୟପକ୍ଷେ ରାଜ୍ୟରେ ରେଳ ଏବଂ ବସ୍ ସେବା ସଂପୂର୍ଣ୍ଣ ବନ୍ଦ ରହିବ । ଗତକାଲିଠାରୁ ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ରୋକ୍ ଥିବା ବେଳେ ଆଜି  ଦିନ ୧୧ଟାରୁ ରାଜ୍ୟ ଭିତରର ସମସ୍ତ ବସ ଚଳାଚଳ ୨୯ ତାରିଖ ଯାଏଁ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି କୋଭିଡ୍-୧୯ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଏଥିସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକ ଏପ୍ରିଲ୍‌ ୩୦ ତାରିଖ ଯାଏ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ହେଲେ ଶିଶୁ ଓ ପ୍ରସୂତିଙ୍କ ଘରେ ଶୁଖିଲା ଖାଦ୍ୟ ପହଞ୍ଚାଯିବ ବୋଲି ବାଗ୍‌ଚୀ ସୂଚନା ଦେଇଛନ୍ତି। ସେହିପରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ହୋମ୍‌ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ଘର ଆଗରେ ସ୍ୱତନ୍ତ୍ର ଷ୍ଟିକର ଲଗାଯିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ପୃଥକବାସ ଓ ପରିବାରର ଅନ୍ୟ ବିବରଣୀ ରହିବ ବୋଲି ସେ କହିଛନ୍ତି।

 

You might also like