ଭୁବନେଶ୍ୱର: ଗତକାଲି ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ  ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି। କ୍ୱାରେଣ୍ଟିନରୁ ୩୭ ଜଣ ଚିହ୍ନଟ ହୋଇଥିବାବେଳେ ୨୭ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ ଆକ୍ରାନ୍ତ ୧୭ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୩ଟି ଜିଲ୍ଲାରୁ କେହି ରୋଗୀ ଚିହ୍ନଟ ହୋଇ ନାହାନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଆଜି ସୁନ୍ଦରଗଡରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ମୟୂରଭଞ୍ଜ ଜିଲ୍ଲା। ଏଠାରୁ ୮ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ କଟକ, ଖୋର୍ଦ୍ଧାରୁ  ୭ ଜଣ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି। ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିରରୁ ୨ଜଣ ଲେଖାଏ, ବାଲେଶ୍ୱର, ରାୟଗଡ଼ା, ଗଞ୍ଜାମ,  ଢେଙ୍କାନାଳରୁ ଜଣେ ଲେଖାଏ,  କଳାହାଣ୍ଡିରୁ ୩,  ବରଗଡ, ଗଜପତିରୁ ୪ ଜଣ ଲେଖାଏ, ଯାଜପୁରରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟଟପୁଲ୍‌ରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ୮୫,୮୦,୦୧୯ ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ   ୩,୩୮,୦୫୬ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୩୫,୪୦୮ ଜଣ। ରାଜ୍ୟରେ ବର୍ତ୍ତମାନ ୬୭୭ ଜଣ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରେ କାହାରି ମୃତ୍ୟୁ ଘଟି ନ ଥିବା ଜଣାଯାଇଛି।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ରୁ ତଳକୁ ନ ଖସିବା ଚିନ୍ତାର ବିଷୟ ହୋଇଛି। ଦିନକୁ ଦିନ ରାଜ୍ୟରେ କୋଭିଡ କଟକଣା ଢିଲା ହେଉଛି। ଅନ୍ୟପକ୍ଷେ ମହାରାଷ୍ଟ୍ର ଓ ଅନ୍ୟାନ୍ୟ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି।

Other Stories