କ୍ୱାରେଣ୍ଟାଇନ୍‌ ପରେ ବି ଆହୁରି ୨ ସପ୍ତାହ କରୋନା ଭୟ ରହିଛି

ଭୁବନେଶ୍ୱର:କରୋନା ଭୂତାଣୁକୁ ରୋକିବାକୁ ହେଲେ ଗୋଟିଏ ବାଟ ରହିଛି । ତାହା ହେଉଛି ସତର୍କତା। କରୋନାକୁ ହାଲୁକା ଭାବେ ନିଅନ୍ତୁ ନାହିଁ ବୋଲି ଚେତାବନୀ ଦେଇଛି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗତକାଲି ଭଦ୍ରକରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବାହାରୁ ଆସିଥିବା ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ବିଭାଗ।

ବିଭାଗ ପକ୍ଷରୁ କୁହାଯାଇଛି,  କରୋନାର ଲକ୍ଷଣ ନାହିଁ ବୋଲି ଭାବି ହାଲ୍‌କା ହୋଇ ଯାଆନ୍ତୁ ନାହିଁ। କାରଣ ଭଦ୍ରକରୁ ଚିହ୍ନଟ ୪ର୍ଥ  ଆକ୍ରାନ୍ତ ବ୍ୟକ୍ତିଙ୍କ ପାଖରେ କରୋନା ଭୂତାଣୁର କୌଣସି ଲକ୍ଷଣ ନ ଥିଲା।  ‌ତେବେ ସେ ବାହାରୁ ଆସିଥିଲେ। ତେଣୁ ବାହାରୁ ଆସିଥିବା ଯାତ୍ରୀମାନଙ୍କ ଠାରେ କୌଣସି ଲକ୍ଷଣ ନଥିଲେ ମଧ୍ୟ ସେମାନେ ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ। ସେମାନେ ଦୁଇ ସପ୍ତାହ ହୋମ୍ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ସେତିକି ନୁହେଁ, କ୍ୱାରେଣ୍ଟାଇନ୍‌ରେ ରହିବା ପରେ ବି ଆହୁରି ୨ ସପ୍ତାହ   ନିଜର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ବିଭାଗ ପରାମର୍ଶ ଦେଇଛି।

ସୂଚନାଥାଉ କି, ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଭଦ୍ରକରୁ  ଚିହ୍ନଟ ହେବା ପରେ  ରାଜ୍ୟରେ କୋଭିଡ଼-୧୯ ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ୪ର୍ଥ ଆକ୍ରାନ୍ତ ଜଣକ ୨୯ ବର୍ଷ ବୟସ୍କ ଯୁବକ ଓ ସେ ଦୁବାଇରୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।   ଗତକାଲିି ରାଜ୍ୟରେ ମୋଟ୍ ୧୩୭ ନମୁନା ପରୀକ୍ଷଣ ହୋଇଥିଲା । ସେଥିମଧ୍ୟରୁ ଆରଏମ୍‌ଆରସିରେ ୧୧୯ଟି ଯାକ ସାମ୍ପଲରୁ ସବୁ ନେଗେଟିଭ୍ ଆସିଥିବାବେଳେ ଏମ୍‌ସରେ ପରୀକ୍ଷଣ ହୋଇଥିବା ୧୫ ନମୁନାରୁ ଗୋଟିଏ ପଜିଟିଭ୍ ଆସିଛି। ବାକି ଏସସିବିରେ ୩ଟି ଯାକ ନେଗେଟିଭ୍ ରହିଛି।

ସେପଟେ ଭଦ୍ରକରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତୁରନ୍ତ ସଂକ୍ରମିତଙ୍କୁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ।  ତାସହ ସଂପୃକ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଠାବ କରି ଶୀଘ୍ର ସେମାନଙ୍କ ନମୁନା ପରୀକ୍ଷା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

 

You might also like