ନୂଆଦିଲ୍ଲୀ: ଭାରତରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ଭୂତାଣୁର ସଂକ୍ରମଣକୁ ରୋକାଯାଇ ପାରିବ। କୋଭିଡ୍ -୧୯ ପ୍ରୋଟୋକଲର ଉଚିତ ବ୍ୟବହାର, ଲକ୍‌ଡାଉନ୍ ଏବଂ ଟିକାକରଣ ଦ୍ୱାରା ଏହି ଡେଲ୍‌ଟା ପ୍ଲସ୍ ବିପଦକୁ ଏଡାଇ ହେବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ।

ଡେଲଟା ପ୍ଲସ ଭାରିଆଣ୍ଟକୁ ନେଇ ବର୍ତ୍ତମାନ ଦେଶରେ ବିପଦ ଅଛି ନା ନାହିଁ ଏହା କହିବା କଷ୍ଟକର ବୋଲି କହିଛନ୍ତି ଗୁଲେରିଆ। ତେବେ କରୋନା ମହାମାରୀର ବିପଦକୁ ନେଇ ଆମକୁ ସଜାଗ ରହିବାକୁ ପଡିବ । କରୋନାର ତୃତୀୟ ଲହରରୁ ଆମକୁ ବଞ୍ଚିବାକୁ ପଡିବ ।

ଟେଷ୍ଟିଂ ଏବଂ ଟିକାକରଣକୁ ଅଧିକ ଗୁରୁତ୍ୱ ଦେଇ କାମ କରିବାକୁ ପଡିବ । କରୋନାର କହରରୁ ବର୍ତ୍ତିବାକୁ ହେଲେ ଅଧିକ ପରିମାଣର ଲୋକଙ୍କୁ ଟିକାକରଣ କରିବାକୁ ପଡିବ । କୋଭିଡ୍ ନିୟମର ଠିକ ଭାବେ ପାଳନ କରିବାକୁ ପଡିବ। ଏହାଦ୍ୱାରା ମହାମାରୀ ବ୍ୟାପିବାକୁ ରୋକାଯାଇ ପାରିବ।

କରୋନାର କୌଣସି ପ୍ରକାର ଭ୍ୟାରିଏଣ୍ଟର ମୁକାବିଲା କରିବାକୁ ହେଲେ ଲକ୍‌ଡାଉନ, ଟିକାକରଣ ଏବଂ କରୋନା କଟକଣା ପାଳନ ଏହି ତିନିଟି ମାତ୍ର ମୁଖ୍ୟ ଅସ୍ତ୍ର ବୋଲି କହିଛନ୍ତି ଗୁଲେରିଆ। ଦେଶରେ କରୋନାର ତୃତୀୟ ଲହର ଆସିବା ଆଶଂକା କରାଯାଉଛି । ଏବେ ବି ଦ୍ୱିତୀୟ ଲହର ପ୍ରଭାବ ନିୟନ୍ତ୍ରଣକୁ ଆସିନାହିଁ । ଦ୍ୱିତୀୟ ଲହରରେ ଅନେକ ଲୋକଙ୍କ ଜୀବନ ଯାଇଛି । ଅକ୍ସିଜେନ ଅଭାବରୁ ଅନେକ ନିଜର ପରିଜନଙ୍କୁ ହରାଇଛନ୍ତି । ଶେଷରେ ଏହାକୁ ନିୟନ୍ତ୍ରଣ କରିବାକୁ ଦେଶର ଅଧିକାଂଶ ରାଜ୍ୟରେ କଟକଣା ଲଗାଇବାକୁ ପଡିଥିଲା ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ।

ସୂଚନାଥାଉ କି, ଡେଲ୍‌ଟା ପ୍ଲସ୍  କରୋନାର ଚିନ୍ତାଜନକ ଭ୍ୟାରିଆଣ୍ଟ୍ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି। ଏବେ ସୁଦ୍ଧା ଭାରତର ମୁଖ୍ୟତଃ ୪ଟି ରାଜ୍ୟରେ ୪୦ଟି ଡେଲ୍ଟା ପ୍ଲସ୍ କେସ୍ ଚିହ୍ନଟ ହୋଇସାରିଲାଣି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୩ଟି ରାଜ୍ୟକୁ ଆଲର୍ଟ ବି କରାଯାଇଛି । ଯଦିଓ ଓଡ଼ିଶାରେ ଏହି କେସ୍ ଚିହ୍ନଟ ହୋଇନାହିଁ, ତଥାପି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସଜାଗ ଅଛନ୍ତି ବୋଲି DMET ସିବିକେ ମହାନ୍ତି କହିଛନ୍ତି । ଏହି ଭ୍ୟାରିଆଣ୍ଟ୍ ଅଧିକ ସଂକ୍ରାମକ ହେଲେ ବି, ଏହା ବିରୋଧରେ ଟିକାର ପ୍ରଭାବକୁ ନେଇ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ବିଶେଷଜ୍ଞ ।

Other Stories