ଟେନସନ୍‌ ଦେଲାଣି କରୋନା: ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ

ରାଜ୍ୟରେ ପୁଣି ଘାଇଁ ଘାଇଁ ବଢିଲା କରୋନା ମିଟର

  • ରାଜ୍ୟରେ ପୁଣି ଘାଇଁ ଘାଇଁ ବଢିଲା କରୋନା ମିଟର
  • ରାଜ୍ୟରେ ଦୈନିକ କରୋନା ମାରୁଛି ଶତକ ଡିଆଁ
  • ୨୪ ଘଣ୍ଟାରେ ରାଜ୍ୟରେ ୧୭୦ ନୂଆ ପଜିଟିଭ୍ ଚିହ୍ନଟ
  • ସୀମାନ୍ତ ଜିଲ୍ଲା ଗୁଡ଼ିକରେ ଆକସ୍ମିକ ଭାବେ ବଢୁଛନ୍ତି ସଂକ୍ରମିତ
  • କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ଚାଲିଛି ପ୍ରଚାର

ଭୁବନେଶ୍ୱର: ରାଜ୍ୟରେ ପୁଣି ଛାନିଆଁ କଲାଣି କରୋନାର ଲଂଗ୍ ଜମ୍ପ। ଗତ ୨୪ ଘଣ୍ଟାରେ ସିଧା ୧୭୦କୁ ଡେଇଁଛି ସଂକ୍ରମଣର ସଂଖ୍ୟା। ବଡ଼ କଥା ହେଲା ଖୋର୍ଦ୍ଧା ଓ କଟକକୁ ପଛରେ ପକାଇ ଟପରେ ରହିଛି ନୂଆପଡ଼ା। ଯାହାକି ଛତିଶଗଡ଼ ଫେରନ୍ତାଙ୍କ ଯୋଗୁଁ ବ୍ୟାପୁଥିବା ଆଶଙ୍କାକୁ ଦ୍ୱିଗୁଣିତ କରିଛି। ସେପଟେ ରାଜ୍ୟରେ ଆକ୍ଟିଭ୍‌ କେସ୍ ମଧ୍ୟ ପୁଣି ହଜାରେ ଉପରକୁ ଉଠିଛି। ତେଣୁ ଏଭଳି ସ୍ଥିତିରେ ଟ୍ୱିନସିଟିରେ ଦ୍ରୁତ ସଂକ୍ରମଣକୁ ଜଗିବା ସହ କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିବାକୁ ତତ୍ପର ହୋଇଛି ପୋଲିସ ଓ ପ୍ରଶାସନ।

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୭୦ ନୂଆ ପଜିଟିଭ୍। ନୂଆପଡ଼ାରୁ ସର୍ବାଧିକ ୨୭ ଥିବାବେଳେ କଟକ ଓ ଖୋର୍ଦ୍ଧାରୁ ୨୩ ଜଣ ଲେଖାଏଁ ଅଛନ୍ତି। ୨୨ ଆକ୍ରାନ୍ତଙ୍କ ସହ ଚତୁର୍ଥରେ ରହିଛି ସୁନ୍ଦରଗଡ଼। ଶେଷଥର ପାଇଁ ଫେବ୍ରୁଆରୀ ୮ରେ ଦୈନିକ ସଂକ୍ରମଣ ୧୦୫ ଥିଲା। ସେବେଠୁ ପ୍ରାୟ ମାସେ ଦଶ ଦିନ ସଂଖ୍ୟା ଶହେ ତଳେ ରହିବା ପରେ ଗତ ୧୮ରୁ ପୁଣି ମାରି ଚାଲିଛି ଶହେ ପାର୍ ଡିଆଁ। ସପ୍ତାହକର ତଥ୍ୟ ଦେଖିଲେ କେବଳ ୨୧ ତାରିଖରେ ୯୮ ନୂଆ ପଜିଟିଭ୍ ସଂଖ୍ୟାକୁ ଛାଡ଼ି ୧୯ରେ ୧୧୦, ୨୦ରେ ୧୨୦, ୨୨ରେ ୧୪୬, ୨୩ରେ ୧୧୩ ଓ ୨୪ରେ ୧୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଏହି ଦିନମାନଙ୍କରେ ଅଧିକାଂଶ ଆକ୍ରାନ୍ତ କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଥିବାରୁ ବଢ଼ିଛି ଟେନସନ୍।

ବଢୁଥିବା ସଂକ୍ରମଣ ଯେପରି ଟ୍ୱିନସିଟିକୁ ହଟସ୍ପଟ ନକରେ ସେଥିପାଇଁ ସଜାଗ ହୋଇଛି ପ୍ରଶାସନ, ତତ୍ପର ହୋଇଛି ପୋଲିସ୍। ହଷ୍ଟେଲରୁ ହୋଟେଲ୍, ମଲରୁ ମାର୍କେଟ୍ ସବୁଠି ପୁଣି ଚାଲିଛି ଅଚାନକ ଯାଞ୍ଚ। ବିଏମ୍ସିର ୩ଟି ଜୋନରେ ୯ଟି ସ୍ୱ୍କାର୍ଡ ଘନ ଘନ ପଇଁତରା ମାରୁଛି। ନିଜେ ବିଏମସି କମିଶନର ଓ ଭୁବନେଶ୍ୱର ଡିସିପି ରେଳ ଷ୍ଟେସନ ଓ ଏୟାରପୋର୍ଟକୁ ଯାଇ ଯାଞ୍ଚ ସ୍ଥିତି ପରଖିଛନ୍ତି।

ସେପଟେ ନୂଆପଡ଼ାରେ ଦିନକରେ ହଠାତ୍ ୨୭ ନୂଆ ରୋଗୀ ଚିହ୍ନଟ ପରେ ସଜାଗ ହୋଇଛି ପ୍ରଶାସନ। କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ କୋମନାରେ ଡାକବାଜି ଯନ୍ତ୍ର ଯୋଗେ ଚାଲିଛି ପ୍ରଚାର। ସିଡିଏମ୍ଓ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ଜିଲ୍ଲାରେ ଟେଷ୍ଟିଂ ଓ କଣ୍ଟା ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଛି। ସେମିତି ବଲାଙ୍ଗିର ଜିଲ୍ଲା ଷଲଣ୍ଡି ଗାଁରୁ ଏକକାଳୀନ ୨୧ଜଣ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇଥିବା ଗାଁ ଲୋକେ କହୁଥିବାବେଳେ ଜିଲ୍ଲା ପ୍ରଶାସନ କିନ୍ତୁ ସ୍ପଷ୍ଟ ସୂଚନା ଦେଇନି।

ଏଠି ପ୍ରଶ୍ନ ହଠାତ୍ କାହିଁକି ଏସବୁ ସୀମାନ୍ତ ଜିଲ୍ଲାରେ ଆକସ୍ମିକ ଭାବେ ବଢୁଛନ୍ତି ସଂକ୍ରମିତ? ପଡ଼ୋଶୀ ଛତିଶଗଡ଼ରୁ ବହୁ ସଂଖ୍ୟକ ଆକ୍ରାନ୍ତ ରାଜ୍ୟ ଭିତରକୁ ପଶି ଆସିଛନ୍ତି କି? ଯଦି ସତ ହୋଇଥାଏ ତାହାଲେ ଶୀଘ୍ର ଚିହ୍ନଟ ନହେଲେ ସ୍ଥିତି ସାଂଘାତିକ ହେବା ଆଶଙ୍କା ରହିଛି। ଗତକାଲି ମୁଖ୍ୟଶାସନ ସଚିବ ମଧ୍ୟ ଛତିଶଗଡ଼ ସୀମାନ୍ତ ଜିଲ୍ଲାଗୁଡ଼ିକୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଯେଉଁ ଛଡ଼ିଶଗଡ଼ରେ ଆଗରୁ ଦିନକୁ ଶହେରୁ ଦେଢ଼ ଶହ ସଂକ୍ରମିତ ଚିହ୍ନଟ ହେଉଥିଲେ, ଏବେ ୨ ହଜାର ମୁହାଁ ହେଲାଣି।

You might also like