ସପ୍ତାହକରେ ଦ୍ୱିଶତକ ମୁହାଁ ହେଲାଣି ଲୋକାଲ କେଶ୍, ପ୍ରଶାସନ ନେଲା ଏଭଳି ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଏବେ ମହାବିପଦ ଅଭିମୁଖେ। ଗତ କିଛି ଦିନ ହେଲା, ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଡବଲ ସେଞ୍ଚୁରୀ ମାରୁଥିବା ବେଳେ ନିଦ ହଜାଇଲାଣି। ବଢୁଥିବା ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଆଜି ଗୋଟିଏ ଦିନରେ ରାଜ୍ୟରେ ଚିହ୍ନଟ ୨୪୫ ପଜିଟିଭ୍ ମଧ୍ୟରୁ ୩୧ କେଶ୍ ସ୍ଥାନୀୟ ସଂକ୍ରମଣ, ସେଥିରୁ କେବଳ ଭୁବନେଶ୍ୱରରୁ ୨୩ଟି କେଶ୍ ରହିଛି।

ରାଜ୍ୟରେ ଆଉ କାବୁ ହେଉନି କରୋନା ନିଦ ହଜାଇଲାଣି ସ୍ଥାନୀୟ ସଂକ୍ରମଣ। ସପ୍ତାହକରେ ୧୮୭ ଛୁଇଁଲାଣି ଲୋକାଲ୍ କେସ୍। ଜୁନ୍ ୨୩ରେ ୧୭ଟି ଲୋକାଲ୍ କେସ୍ ଥିବାବେଳେ ଆଜିର ଦିନରେ କ୍ରମାଗତ ବୃଦ୍ଧି ପାଇ ୨ଶହ ମୁହାଁ ହେଲାଣି। ଉଦବେଗଜନକ ସ୍ଥିତି ରହିଛି ରାଜଧାନୀ ଭୁବନେଶ୍ୱରରେ।

କେବଳ ଆଜିର ଦିନରେ ଭୁବନେଶ୍ୱରରୁ ଚିହ୍ନଟ ୨୫ଟି ପଜିଟିଭ୍ ମଧ୍ୟରୁ ୨୩ଟି କେସ୍ ହେଉଛି ସ୍ଥାନୀୟ ସଂକ୍ରମଣା ସେପଟେ ଅଣାୟତ୍ତ ହୋଇପଡ଼ିଛି ଗଂଜାମ ସ୍ଥିତି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଥିବା ବେଳେ ହଟସ୍ପଟ୍ ପାଲଟିଥିବା ଗଞ୍ଜାମରେ ସର୍ବାଧିକ ୧୨ ଜଣଙ୍କ ମୁଣ୍ଡ ନେଲାଣି ଏହି ମହାମାରୀ। କେବଳ ମୃତ୍ୟୁ ନୁହେଁ, ୧୩ଶହ ୬୭କୁ ଛୁଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା।

ସଂକ୍ରମଣକୁ ଦୃଷ୍ଟିରେ ରଖି କେଉଁଠି କଣ ନିଆଗଲା ନିଷ୍ପତ୍ତି:-

  • ଏଭଳି ଉଦବେଗଜନକ ସ୍ଥିତିକୁ ଦେଖି ଆସନ୍ତାକାଲିଠୁ ଜୁଲାଇ ୬ ଯାଏଁ ଛତ୍ରପୁର ଏନ୍ଏସି ଅଞ୍ଚଳକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ୭ ଦିନ କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ ସେବା ବନ୍ଦ ରହିବ। ଆଜି ସଟଡାଉନ୍ ଘୋଷଣା ପରେ ଛତ୍ରପୁର ମାର୍କେଟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ପନିପରିବା ନେବାକୁ ବଜାରରେ ହାଉଜାଉ ଲୋକେ।
  • ହିଞ୍ଜିଳିକାଟୁ ମ୍ୟୁନିସିପାଲଟିରେ ମଧ୍ୟ ସଂକ୍ରମଣ ବଢୁଥିବାରୁ ଗତକାଲି ମଧ୍ୟରାତ୍ରରୁ ସହରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
  • ସେହିପରି ଖୁବ୍ କମଦିନରେ ୪୦୦ ସଂଖ୍ୟା ପାର୍ କରିସାରିଥିବା ଗଜପତି ଜିଲ୍ଲାରେ କ୍ୱାରେଣ୍ଟିନ ଅବଧିକୁ ୨୧ ଦିନକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ।୧୪ ଦିନିଆ କ୍ୱାରେଣ୍ଟିନ ପରେ ବି ପଜିଟିଭ୍ ବାହାରୁଥିବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।
  • ଅନ୍ୟତମ ହଟସ୍ପଟ ଜିଲ୍ଲା ଯାଜପୁରରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ଯିବାକୁ ବାରଣ କରାଯାଇଛି। ଯାଜପୁର ଜିଲ୍ଲାରେ ଗତ ୪୮ ଘଣ୍ଟା ମଧ୍ୟରେ ୮୧ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣେ ବରିଷ୍ଠ ସରକାରୀ ଅଧିକାରୀ ବି ସଂକ୍ରମିତ ହୋଇଛନ୍ତି। ସଂକ୍ରମଣ ରୋକିବାକୁ ଯାଜପୁର ଜିଲ୍ଲାରେ ଆସନ୍ତା ୮ ତାରିଖ ଯାଏଁ କୌଣସି ସାଧାରଣ ବ୍ୟକ୍ତିଙ୍କୁ ସରକାରୀ ଅଫିସ ଯିବାକୁ ମନା କରାଯାଇଛି।
You might also like