ରାଜ୍ୟରେ କରୋନା ସ୍ଥିତି: ଆଖି ବୁଜିଲେ ୨, ଚିହ୍ନଟ ହେଲେ ୩୧୫

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୧୫ କରୋନା ପଜିଟିଭ। ୨୭ ଜିଲ୍ଲାରୁ ଏହି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୧ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୩୪ ଲୋକାଲ କେସ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି।

ଆଜି କଟକରୁ ସର୍ବାଧିକ ୪୧ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା’ ପଛକୁ ରହିଛି ବଲାଙ୍ଗୀର। ଏଠାରୁ ୪୦ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଅନଗୁଳରୁ ୨୦, ବାଲେଶ୍ୱରରୁ ୧୫, ବରଗଡରୁ ୧୪, ଭଦ୍ରକରୁ ୧, ଦେବଗଡରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୩, ଜଗତସିଂହପୁରରୁ ୫, ଯାଜପୁରରୁ ୧୫, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୨୪, କୋରାପୁଟରୁ ୩, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୧୭ ରୋଗୀ ଚିହ୍ନଟ ହୋଇଛନ୍ତି।   ଗଞ୍ଜାମ ସମେତ ୬ଟି ଜିଲ୍ଲାରୁ ଜଣେ ବି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଅନ୍ୟ ଜିଲ୍ଲା ଗୁଡ଼ିକ ହେଉଛି ଗଜପତି, ମାଲକାନଗିରି, ନବରଙ୍ଗପୁର, ପୁରୀ ଓ କୋରାପୁଟ।

ସେହିପରି ନୂଆପଡା ଓ ସମ୍ବଲପୁରରୁ ୨୬ ଓ ସୁନ୍ଦରଗଡରୁ ୧୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩,୨୯,୬୨୧ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ୩,୨୫,୧୦୩। ଆକ୍ଟିଭ କେସ ରହିଛି ୨୫୯୨।

୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ଜଣେ ୫୭ ବର୍ଷୀୟ ମହିଳାଙ୍କର ମୃତ୍ୟୁ ଘଟିଛି। ସେ କୀଡନି ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ପୁରୀର ଜଣେ ୭୬ ବର୍ଷୀୟ ମହିଳାଙ୍କର ମୃତ୍ୟୁ ଘଟିଛି। ଏହାକୁ ମଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮୭୩ରେ ପହଞ୍ଚିଛି।

ସୂଚନାଥାଉ କି, ଗତକାଲି ୨୮ ଜିଲ୍ଲାରୁ ୩୦୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲାବେଳେ ଆଜି ଏହାର ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ଚିହ୍ନଟ ରୋଗୀଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୩୧ ଲୋକାଲ କେସ୍‌ ଥିଲା। ଅନ୍ୟପକ୍ଷେ ଗତକାଲି  କରୋନା ମୃତ୍ୟୁ ସଂଖ୍ୟା ୩ ଥିଲା।

ରାଜ୍ୟରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଥିଲେ ହେଁ ବ୍ରିଟେନ୍‌ର ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ଖେଳି ଯାଇଛି। ଓଡ଼ିଶାରେ କିଛି ବ୍ରିଟେନ ଫେରନ୍ତା ଥିବାରୁ ସଂକ୍ରମଣ ଭୟ ଅଧିକ ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ନୂଆବର୍ଷ ଜିରୋ ନାଇଟ ସେଲେବ୍ରେଶନ ଉପରେ କଟକଣା ଜାରି କରାଯାଇଛି। ଆଜି ରାତି ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର। ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗିବ । ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ନେଇ ସହଯୋଗ କରିବାକୁ ନିବେଦନ କରିଛନ୍ତି SRC।

 

You might also like