କରୋନା ସଂକ୍ରମଣର ନୂଆ ତରିକା, ପାଖ ରୁମରେ ଥିଲେ ବି ହୋଇପାରନ୍ତି ଆକ୍ରାନ୍ତ !

ନୂଆଦିଲ୍ଲୀ: କରୋନାକୁ ନେଇ ପୁଣି ସାମ୍ନାକୁ ଆସିଲା ନୂଆ ତଥ୍ୟ। ଯାହାକି ଲୋକଙ୍କୁ ଅଧିକ ଚିନ୍ତାରେ ପକାଇଛି। ବିଶେଷଜ୍ଞଙ୍କ ମତ ଯେ, ବାୟୁରେ ବି ହୋଇପାରେ କରୋନା ସଂକ୍ରମଣ। ଏନେଇ ଆମେରିକା, କାନାଡ଼ା ଓ ବ୍ରିଟେନର ପ୍ରାୟ ୬ ଜଣ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ବାୟୁରେ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି। ତାଙ୍କ ପାଖରେ ଏହାର ଯଥେଷ୍ଟ ପ୍ରମାଣ ରହିଛି।

ବିଜ୍ଞାନ ପତ୍ରିକା ଲାନସେଟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ବିଶେଷ ଭାବେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ବାୟୁ ଦ୍ୱାରା ସଂକ୍ରମଣ ହୋଇପାରେ। କାନାଡ଼ା-ବ୍ରିଟେନ-ଆମେରିକାର ଏହି ୬ ଜଣ ବୈଜ୍ଞାନିକ ଦେଇଥିବା ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି। ବୈଜ୍ଞାନିକଙ୍କ କହିବାନୁଯାୟୀ ବାହାର ଅପେକ୍ଷା ଘର ଭିତରେ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ଜଣେ ସଂକ୍ରମିତ ଯଦି ଗୋଟିଏ ରୁମରେ ରୁହନ୍ତି, ତେବେ ପାଖ ରୁମରେ ରହୁଥିବା ବ୍ୟକ୍ତି ସୁସ୍ଥ ଥିଲେ ମଧ୍ୟ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି ରୁମରେ ଭେଣ୍ଟିଲେସନ ଭଲ ଥିବ ତେବେ ସଂକ୍ରମଣ ବ୍ୟାପିବାର ଆଶଙ୍କା କମ ରହିବ।

ତେବେ ବୈଜ୍ଞାନିକଙ୍କ ଏଭଳି ମତ ପ୍ରକାଶ ପାଇବା ପରେ ଲୋକଙ୍କ ମନରେ ପୁଣି ସନ୍ଦେହ ସୃଷ୍ଟି ହୋଇଛି। କରୋନା କାୟାରୁ ଏବେ କେମିତି ରକ୍ଷା ପାଇବେ ସେନେଇ ସମସ୍ତଙ୍କ ମନରେ ଛନକା ପଶିଛି। ସମସ୍ତଙ୍କ ମନରେ ପ୍ରଶ୍ନ ଯେ, କ’ଣ ସତରେ ପବନରେ ବି କରୋନା ବ୍ୟାପିବାର ଆଶଙ୍କା ରହିଛି ?

ଲାନସେଟ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ, କରୋନା ଏକ ବାୟୁ ବାହିତ ଭୂତାଣୁ। ଗତବର୍ଷ ମଧ୍ୟ ଏନେଇ କିଛି ବୈଜ୍ଞାନିକ ଆଶଙ୍କା କରିଥିଲେ। ହେଲେ ଏହାକୁ ଅନ୍ୟ ବୈଜ୍ଞାନିକମାନେ ଖଣ୍ଡନ କରିଥିଲେ। କିନ୍ତ ଏବେ ୪୦ ପ୍ରତିଶତ କରୋନା ସଂକ୍ରମଣ ମୁଖ୍ୟତଃ ବାୟୁ ଦ୍ୱାରା ହେଉଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି।

ତେବେ ବୈଜ୍ଞାନିକମାନେ କେବଳ ମତ ଦେଇଛନ୍ତି ତାହା ନୁହେଁ, ସେମାନଙ୍କ ପାଖରେ ଏନେଇ ଅନେକ ଠୋସ ପ୍ରମାଣ ମଧ୍ୟ ରହିଥିବା ଦାବି କରିଛନ୍ତି। ତାଙ୍କର କହିବା କଥା କେବଳ କାଶିବା କିମ୍ବା ଛିଙ୍କିବା ନୁହେଁ ବରଂ ସାଇଲେଣ୍ଟ୍ ଟ୍ରାନ୍ସମିଶନ ଦ୍ୱାରା କରୋନା ଅଧିକ ବ୍ୟାପୁଛି। ଜଣେ ବ୍ୟକ୍ତି କଥା ହେଲେ, ଗୀତ ଗାଇଲେ, ଏପରିକି ନିଶ୍ୱାସ ଛାଡ଼ିଲେ ମଧ୍ୟ ବାୟୁକୁ କରୋନା ଭୂତାଣୁ ନିର୍ଗତ ହେବାର ଆଶଙ୍କା ରହିଛି। ତେଣୁ ଏହା ବାୟୁ ବାହିତ ହୋଇଥିବା ନେଇ ଯଥେଷ୍ଟ ପ୍ରମାଣ ରହିଛି। ଜଣେ ସୁସ୍ଥ ବ୍ୟକ୍ତି କରୋନା ଆକ୍ରାନ୍ତଙ୍କୁ ସିଧାସଳଖ ନଭେଟି, ପାଖ ରୁମରେ ରହୁଥିଲେ ବି ସଂକ୍ରମିତ ହୋଇପାରନ୍ତି। ପାଟିରୁ ବାହାରୁଥିବା ବଡ଼ ଆକାରର ଡ୍ରପଲେଟ୍ ବା ଜଳକଣାରେ କରୋନା ସଂକ୍ରମଣର ଆଶଙ୍କା ନାହିଁ କହିଲେ ଚଳେ। କାରଣ ତାହା ଓଜନ ହୋଇଥିବାରୁ କାହାକୁ ସଂକ୍ରମିତ କରିବା ପୂର୍ବରୁ ଖୁବ୍ ଶୀଘ୍ର ତଳକୁ ଖସିପଡ଼େ।

You might also like