ରାଜ୍ୟରେ ପ୍ଲାଟୋ ସ୍ଥିତିରେ ରହିଛି କରୋନା-DMET ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ବଢି ଚାଲିଛି। ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଲାଣି । ରାଜ୍ୟରେ ପ୍ଲାଟୋ ସ୍ଥିତିରେ ରହିଛି କରୋନା। ଆଜି ଏନେଇ ସୂଚନା ଦେଇଛନ୍ତି DMET ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି।

ଗତ ୫ ଦିନ ଧରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହୁଛି। ଲଗାତାର ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ୬, ୫୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିକୁ ଦେଖି ରାଜ୍ୟରେ ଏବେ ପ୍ଲାଟୋ ସ୍ଥିତି ଥିବା ସେ କହିଛନ୍ତି। ଆଗକୁ ଏହି ପରିସଂଖ୍ୟାନ ଆହୁରି କମିବା ଆଶା ରହିଥିବା କହିଛନ୍ତି ପ୍ରଫେସର ସିବିକେ ମହାନ୍ତି।

ରାଜ୍ୟରେ ଅକ୍ସିଜେନ ଆବଶ୍ୟକତାଠାରୁ ଅଧିକ ଷ୍ଟକ ଥିବା ସତ୍ତ୍ୱେ ପ୍ରତି ବେଡ ପାଖରେ ଅକ୍ସଜେନ ସିଲିଣ୍ଡର ରଖିବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି DMET।  ଅନ୍ୟ ରାଜ୍ୟରେ ଅକ୍ସିଜେନ ଅଭାବରୁ ବହୁ ସଂଖ୍ୟାରେ ଲୋକ ମରୁଥିବା ବେଳେ ସେଠାରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ସେପରି ରାଜ୍ୟକୁ ଅକ୍ସିଜେନ ପଠାଇବା ଉଚିତ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ରାଜ୍ୟରେ କରୋନା ଚିକିତ୍ସା ସଂପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ଏବେ ୭୦% ବେଡ୍ ଖାଲି ରହିଛି। ଆମେ ଅକ୍ସିଜେନରେ ବଳକା ରାଜ୍ୟ; ଅକ୍ସିଜେନ ଅଭାବ ନ ହେବା ପାଇଁ ସିଲିଣ୍ଡର ଭରି ରଖିବାକୁ କୁହାଯାଇଛି। ସ୍ଥିତିର ମୁକାବିଲା ପାଇଁ ବେଡ୍, ଅକ୍ସିଜେନ, ଔଷଧ ମହଜୁଦ ଅଛି ବୋଲି କହିଲେ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସୂଚନାଥାଉ କି, ଆଜି ରାଜ୍ୟରେ ୬, ୫୯୯ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲାବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ରବିବାର ରାଜ୍ୟରୁ ମୋଟ ୬୧୧୬ ଆକ୍ରାନ୍ତ ବାହାରିଥିବାବେଳେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା।

ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି।  ପୋଲିସ ପିପିଇ କିଟ୍ ପିନ୍ଧି  ରାଜଧାନୀରେ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି।  ପ୍ଲସ୍ ଟୁ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ହଟାଇବା ପାଇଁ ଆଜି ପିପିଇ କିଟ୍ ପିନ୍ଧି ଆସିଥିଲେ ପୋଲିସ । କରୋନାର ଏହି ସୁରକ୍ଷା କବଚ ପିନ୍ଧି ହିଁ ସେମାନେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଚେଷ୍ଟା କରିଥିଲେ।

ଏପରିକି ଏହି ପୋଷାକରେ ହିଁ ସେମାନେ ଛାତ୍ରଛାତ୍ରୀଙ୍କୁ ଲୋୟର ପିଏମଜିରୁ ହଟାଇଥିଲେ ଏବଂ ପୋଲିସ ଭ୍ୟାନ୍‌ରେ ବସାଇ ନେଇ ଯାଇଥିଲେ। ଦିନକୁ ଦିନ କରୋନା ବଢୁଥିବାରୁ ନିଜ ସୁରକ୍ଷା ପାଇଁ ପୋଲିସ କର୍ମଚାରୀମାନେ ପିପିଇ କିଟ୍ ପିନ୍ଧିଥିଲେ ।

You might also like