ରାଜ୍ୟରେ ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କୁ ତତ୍କାଳ ଉପଶମ ଦେଉଥିବା ରେମଡେସିଭିରର ଘୋର ଅଭାବ

ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତ ଓ ଗୁରୁତର ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଅନ୍ୟପଟେ ରେମଡେସିଭିରର ଅଭାବ, ପରିସ୍ଥିତିକୁ ଅଧିକ ଜଟିଳ କରିଛି। ରାଜ୍ୟରେ ଏବେ ଦୈନିକ ପ୍ରାୟ ୨ ହଜାର ରେମଡେସିଭିରର ଆବଶ୍ୟକତା ଥିବା ବେଳେ ସୋମବାର ମିଳିଛି ମାତ୍ର ୧୦୦ଟି।

ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କୁ ତତ୍କାଳ ଉପଶମ ଦେଉଥିବା ରେମଡେସିଭିର ଇଞ୍ଜେକ୍ସନର ଏବେ ଉତ୍କଟ ଅଭାବ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହର ହୁ ହୁ ବଢ଼ିବା ପରେ ପୁରା ରାଜ୍ୟରେ ରେମଡିସିଭରର ଘୋର ଅଭାବ ରହିଛି। ଯାହାକୁ ସ୍ୱୀକାର କରିଛନ୍ତି ଖୋଦ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର। ତାଙ୍କ ସୂଚନାନୁସାରେ, କୋରନା ରୋଗୀଙ୍କ ଚିକିତ୍ସା ଲାଗି ଓଡ଼ିଶାରେ ଏବେ ଦୈନିକ ପ୍ରାୟ ୨ ହଜାର ରେମଡେସିଭିର୍ ଇଞ୍ଜେକସନର ଆବଶ୍ୟକ ପଡ଼ୁଛି। ହେଲେ ସେତିକି ପରିମାଣରେ ଇଂଜେକ୍ସନ ଆସୁନି। ଏପ୍ରିଲ ୨୧ରୁ ୩୦ ଅବଧି ଲାଗି ଓଡ଼ିଶାକୁ ସମୁଦାୟ ୨୧ ହଜାର ଭାଇଲ୍ ମିଳିବାକୁ ସ୍ଥିର କରାଯାଇଛି। କିନ୍ତୁ ସୋମବାର ରାଜ୍ୟରେ ପହଞ୍ଚିଥିବା ରେମଡେସିଭିର ସଂଖ୍ୟା ଥିଲା ମାତ୍ର ୯୨। ତେଣୁ ଦିନେ ଅଣ୍ଟିଲେ ଦିନେ ନିଅଣ୍ଟ ପଡୁଥିବା କହିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର।

ସେପଟେ କୋଭିଡ୍ ରୋଗୀଙ୍କ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲଗୁଡ଼ିକ ରେମଡେସିଭିର ଇଞ୍ଜେକ୍ସନ ପର୍ଯ୍ୟାପ୍ତ ମାତ୍ରାରେ ପାଉନଥିବାରୁ କେନ୍ଦ୍ର ସରକାର କିଛି ନୀତିଗତ ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣର ଭୟାବହତାକୁ ଦେଖି ଲୋକେ ଅଧିକ ସତର୍କ ହେବା ପରେ ସାଧାରଣ ଔଷଧ ଦୋକାନରେ ଭିଡ଼ ଜମୁଛି। କୋରନା ସଂକ୍ରମିତଙ୍କ ପାଇଁ ଡାକ୍ତର ପରାମର୍ଶ କରୁଥିବା ବିଭିନ୍ନ ଔଷଧର ବିକ୍ରି, ବିଶେଷକରି ଆଜିଥ୍ରୋମାଇସିନ୍, ପାରାସିଟାମୋଲ, ମଣ୍ଟେଲୁକାଷ୍ଟ ଓ ଲିଭୋସେଟ୍ରିଜିନ୍ ତଥା ମଲ୍ଟି ଭିଟାମିନ୍ ଭଳି ଔଷଧ ସାଙ୍ଗକୁ କିଛି ଲୋକ ଫାଭିଫିରାଭିର, ଡକ୍ସି ସାଇକ୍ଲିନ୍, ଆଇଭର ମେକଟିନ ଭଳି ଔଷଧ କିଣି ନେଉଥିବା ଦେଖାଯାଇଛି। ଏହିସବୁ ଔଷଧକୁ ଲୋକେ ବିନା ଡାକ୍ତରଙ୍କ ପରାମର୍ଶରେ କିଣି ନେଇ ସେବନ କରୁଛନ୍ତି। ତେଣୁ ଏଥିରୁ କ୍ଷାନ୍ତ ରହିବା ପାଇଁ ଲୋକଙ୍କୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୋମବାର ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। କରୋନାକୁ ନେଇ ସବୁଠାରୁ ଚିନ୍ତା ସୃଷ୍ଟି କରିଛି ଖୋର୍ଦ୍ଧା । ଏହି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିଂହ୍ନଟ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଏହି ଜିଲ୍ଲାରେ ସର୍ବାଧିକ। ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସର୍ବାଧିକ ୪ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି।

ସେହିପରି ସୁନ୍ଦରଗଡ଼ରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ରାୟଗଡ଼ାରୁ ୨ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୭କୁ ବୃଦ୍ଧି ପାଇଛି।

You might also like