ସୁନାମୀ ପରି ମାଡ଼ିଚାଲିଛି ମହାମାରୀ

ଚିନ୍ତା ବଢାଉଛି ୨ ଜିଲ୍ଲା

  • କାଲି ୧୦ ହଜାର ଉପରେ, ଆଜି ୧୨ ହଜାର ପାର୍ ପଜିଟିଭ୍ ସଂଖ୍ୟା
  • ରାଜ୍ୟରେ ସଂକ୍ରମଣର ମହାସୁନାମୀ ଭିତରେ ଆଶାର କିରଣ
  • ରାଜ୍ୟରେ ସଂକ୍ରମଣ ଏବେ ହୁଏତ ପିକରେ ଅଛି କହିଲେ ବିଶେଷଜ୍ଞ
  • ଲକଡାଉନ୍‌ ଚାଲିଥିବାରୁ ୫-୬ ଦିନରେ କର୍ଭ ଫ୍ଲାଟ୍ ହୋଇ କମିପାରେ: ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ କରୋନା ଦ୍ୱିତୀୟ ଲହରିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ବେକାବୁ ହେଲାଣି ମହାମାରୀ। ଆଜି ୧୯ ଜୀବନ ନେବା ସହ ଦୈନିକ ସଂକ୍ରମଣର ସବୁ ରେକର୍ଡ ଭାଙ୍ଗି ୧୨ ହଜାରରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଛି। ସେ ଭିତରୁ ୩୧ ଭାଗ ଅର୍ଥାତ୍ ୩ ହଜାର ୯ ଶହ କେବଳ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏ ଦୁଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି ଏତେ ମାତ୍ରାରେ ସଂକ୍ରମିତ ଚିହ୍ନଟ ହୋଇଥିବାରୁ। ତେବେ ଏ ଭିତରେ ଆଶାର କିରଣ ବୁଣିଛି ବିଶେଷଜ୍ଞଙ୍କ ଆକଳନ। ବିଶେଷଜ୍ଞଙ୍କ କହିବା କଥା ରାଜ୍ୟରେ ସଂକ୍ରମଣ ଏବେ ହୁଏତ ପିକରେ ଅଛି। ୫- ୬ ଦିନରେ କର୍ଭ ଫ୍ଲାଟ୍ ହୋଇ ସଂକ୍ରମଣ କମିପାରେ।

ସଂକ୍ରମଣର ମହାସୁନାମୀ। କାଲି ୧୦ ହଜାର ୫୨୧, ଆଜି ୧୨ ହଜାର ୨୩୮। ମୃତ୍ୟୁସଂଖ୍ୟା କାଲି ଥିଲା ୧୭, ଆଉ ଆଜି ଅଛି ୧୯। ନାଇଟ୍ କର୍ଫ୍ୟୁ, ସପ୍ତାହନ୍ତ ସଟଡାଉନ୍‌ ବି ଚାଲିଛି। ଆଉ ଏବେ ଜାରିଥିବା ଲକଡାଉନ୍‌ କଟକଣା ସତ୍ତ୍ୱେ ନା ସଂକ୍ରମଣରେ ବ୍ରେକ୍ ଲାଗୁଛି ନା ମୃତ୍ୟୁ ସଂଖ୍ୟାରେ। ଓଲଟି ନିଇତି ନୂଆ ନୂଆ ଅଲୋଡ଼ା ରେକର୍ଡ କରୁଛି କରୋନା। ହେଲେ ୟାର ଶେଷ କେଉଁଠି? କେବେ ରାଜ୍ୟରେ ସଂକ୍ରମଣର ଶେଷ ଶିଖର ଛୁଇଁବ କରୋନାର ଦ୍ୱିତୀୟ ଲହର ? ବିଶେଷଜ୍ଞଙ୍କ କହିବା କଥା ଆଜିର ଏ ସଂଖ୍ୟାକୁ ଦେଖିଲେ କରୋନା ସଂକ୍ରମଣ ରାଜ୍ୟରେ ପିକରେ ଥିଲା ଭଳି ଲାଗୁଛି।

ଲକ୍‌ଡାଉନ୍‌ ଦ୍ୱାରା ସଂକ୍ରମଣ ଚେନରେ ବ୍ରେକ୍ ଲାଗିବାକୁ ୪୮ ଘଣ୍ଟା ସମୟ ଦରକାର ଏବଂ ଆଜିକୁ ଏହି ୪୮ ଘଣ୍ଟା ପୂରିଛି। ତେଣୁ ଆଶା କରାଯାଉଛି ଆଗକୁ ସଂକ୍ରମଣର ଏ ଦ୍ରୁତ ବୃଦ୍ଧିରେ ରୋକ୍ ଲାଗିବ। କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ ମତରେ ଲକ୍‌ଡାଉନ୍‌ ପାଇଁ ୫-୬ ଦିନ ପରେ କର୍ଭ ଫ୍ଲାଟ୍ ହୋଇ ସଂକ୍ରମଣ କମିବା ଆରମ୍ଭ ହେବ। କିନ୍ତୁ ଲୋକଙ୍କୁ ଲକଡାଉନ୍‌ ଓ କୋଭିଡ୍ ଗାଇଡ୍ଲାଇନକୁ ମାନିବାକୁ ହେବ।

ଏପଟେ ଚିନ୍ତା ବଢ଼ାଉଛି ସୁନ୍ଦରଗଡ଼ ଓ ଖୋର୍ଦ୍ଧା। ଏ ଦୁଇ ଜିଲ୍ଲାରୁ ଆଜି ୩ ହଜାର ୯ ଶହ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣ କରି ୮ ଜଣଙ୍କ ଜୀବନ ନେଇଛି କରୋନା। ସୁନ୍ଦରଗଡ଼ରେ ଦୁଇ ଦିନ ଧରି ୧୧ ଶହ ଉପରେ ଥିବା ଦୈନିକ ସଂକ୍ରମଣ ଆଜି ଏକାଥରକେ ୨ ହଜାର ଡେଇଁଯାଇଛି। ଆଉ ଖୋର୍ଦ୍ଧାର ସ୍ଥିତି ବି କିଛି ଭଲ ନାହିଁ। ଆଜି ବି ଏଠୁ ବାହାରିଛନ୍ତି ସର୍ବାଧିକ ୧୮ ଶହ ୨୮ ପଜିଟିଭ୍। ଆଉ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି ରାଜଧାନୀ ଭୁବନେଶ୍ୱରର ସ୍ଥିତି। ଗତକାଲି ରାଜଧାନୀରୁ ୧୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଗଲା ୩ ଦିନ ଧରି ସଂଖ୍ୟା ହଜାରେ ତଳକୁ ଖସୁନି। ତେବେ ଲକଡାଉନ୍‌ ଜାରିଥିବାରୁ ଆଗକୁ ଏ ସ୍ଥିତିରେ ଉନ୍ନତି ଆସିବା ନେଇ ଆଶା ରଖିଛି ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ।

You might also like