ମାସକରେ ୧୧ ଗୁଣା ବଢ଼ିଗଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନାର ଦୈନିକ ସଂକ୍ରମଣର ୩ଟି ଚିତ୍ର। ଫେବ୍ରୁୟାରୀ ୭ରେ ୭୨, ମାର୍ଚ୍ଚ ୭ରେ ୭୦, ଆଉ ଏପ୍ରିଲ୍ ୭ରେ ୭୯୧। ମାସକରେ କରୋନା ମାରିଛି ଲମ୍ବା ଡିଆଁ। ୧୧ ଗୁଣା ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା। ଏହି ବିସ୍ଫୋରକ ସ୍ଥିତିକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ପୋଲିସ୍‌ର ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍। ଭୁବନେଶ୍ୱରରୁ ଭଦ୍ରକ, କଟକରୁ କଳାହାଣ୍ଡି ସବୁଠି କଡ଼ା ଚେକିଂ।

ରାଜଧାନୀରେ ବିଏମ୍‌ସି ଓ କମିଶନରେଟ୍ ପୋଲିସ୍ ପକ୍ଷରୁ ହଷ୍ଟେଲ, ସ୍କୁଲ୍, ମଲ୍ ଆଦି ସ୍ଥାନରେ କୋଭିଡ୍ ଗାଇଡ୍‌ଲାଇନ୍ ଜୋରଦାର ପାଳନ କରିବାକୁ କୁହାଯାଉଛି। ଭିଡ଼ ଜମୁଥିବା ସ୍ଥାନରେ ମାସ୍କ ଚେକିଂ, ସାନିଟାଇଜର୍ ବ୍ୟବହାର, ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ସଚେତନ କରାଯାଉଛି।  ଅମାନିଆଙ୍କଠାରୁ ଫାଇନ୍ ବି ଆଦାୟ କରାଯାଉଛି।

ସେପଟେ ଉନ୍ନୟନ କମିଶନର ପ୍ରଦୀପ ଜେନା ଆଜି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି। ସେ ଝାରସୁଗୁଡାର ହିର୍ମା ପଂଚାୟତ ଓ କଟାପାଲିରେ ଥିବା ଆଦର୍ଶ ବିଦ୍ୟାଳୟ ବୁଲି ଦେଖିବା ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୪୭, ଖୋର୍ଦ୍ଧାରୁ ୧୧୮, ବରଗଡ଼ରୁ ୪୮, କଟକରୁ ୪୬ ଓ ପୁରୀରୁ ୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାରେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି। ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଫୋକସ୍‌ରେ ରହିଛି ପଶ୍ଚିମ ଓଡ଼ିଶା। ସୀମାବର୍ତ୍ତୀ ଜିଲ୍ଲାରେ ଲୋକମାନେ ଛତିଶଗଡକୁ ନିୟମିତ ଯିବାଆସିବା କରୁଥିବାରୁ ସଂକ୍ରମଣ ବଢୁଛି। ଏଣେ ପ୍ରଭାବିତ ରାଜ୍ୟଗୁଡ଼ିକରୁ ଲୋକେ ଫେରୁଥିବାରୁ ଭୁବନେଶ୍ୱରରେ ବି ସଂଖ୍ୟା ବଢିଚାଲିଛି। କରୋନାକୁ ଚେକ୍ ଦେବା ଲାଗି ନାଇଟ୍ କର୍ଫ୍ୟୁର ଆବଶ୍ୟକତା ରହିଛି ବୋଲି ଡିଏମ୍ଇଟି କହିଛନ୍ତି।

ଏପଟେ ଅନୁମତି ନନେଇ ଜନ୍ମଦିନ ଉତ୍ସବ ଆୟୋଜନ କରାଯାଇଥିବାରୁ ଭୁବନେଶ୍ୱର ରାମମନ୍ଦିର ସ୍ଥିତ ଫଙ୍କସନ୍ ହଲ୍‌କୁ ସିଲ୍ କରିଛି ବିଏମ୍‌ସି। ପଳାସପଲ୍ଲୀସ୍ଥିତ ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ୍‌ରେ ବି ତାଲା ପଡ଼ିଛି। ସେପଟେ ଭୁବନେଶ୍ୱର ରେଳ ଷ୍ଟେସନ୍ ଏବଂ ଏୟାରପୋର୍ଟରେ ଚେକିଂ ବେଳେ ଗତ ସପ୍ତାହେ ଭିତରେ ୪୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରାବାସର ଅନ୍ତେବାସୀଙ୍କ ଲାଗି ଗାଇଡ୍‌ଲାଇନ୍ ଜାରି କରିଛି ବିଏମ୍‌ସି। ପରୀକ୍ଷା ସରିଥିବା ଓ ପରୀକ୍ଷା ନଥିବା ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଏ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପିଲାଙ୍କ ପରୀକ୍ଷା ସରିନି, ପୂରା ଗାଇଡ୍ ଲାଇନ୍ ମାନି ଚଳିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି BMC ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି।
ରିପୋର୍ଟ: ଭାଗୀରଥି ସାହୁ, ଅର୍ଚ୍ଚନା ଶତପଥୀ ଓ ହରିହର ଚାନ୍ଦ
You might also like