ଭୁବନେଶ୍ୱରରେ କରୋନା ସ୍ଥିତି; ଅଧିକାଂଶ ଆକ୍ରାନ୍ତଙ୍କର ସୂର୍ଯ୍ୟନଗର ଓ ବମିଖାଲ ଲିଙ୍କ୍‌ ରହିଛି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ରେ ପହଞ୍ଚିଛି । ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ନୂଆ ୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଭିତରୁ କେବଳ ବମିଖାଲରୁ ୧୫ଜଣ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କର ଭୁବନେଶ୍ୱରର ସୂର୍ଯ୍ୟନଗରରେ ପ୍ରଥମ ଚିହ୍ନଟ ହୋଇଥିବା ବ୍ୟକ୍ତି ଏବଂ ବମିଖାଲରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସହ ସମ୍ପର୍କ ରହିଛି । ବମିଖାଲରେ ଚିହ୍ନଟ ହୋଇଥିବା ପ୍ରାୟ ସମସ୍ତ ଆକ୍ରାନ୍ତ ଗୋଟିଏ ପରିବାରର ବୋଲି ଜଣାପଡିଛି । ଗତକାଲି ଅପରାହ୍ଣରେ ପ୍ରଥମେ ଭୁବନେଶ୍ୱରରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଥିଲା।

କପିଳପ୍ରସାଦ ହାଉସିଂ ବୋର୍ଡ ଫେଜ୍-୨ର ଜଣେ ୭୦ ବର୍ଷୀୟ ବୃଦ୍ଧ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲେ॥ ସେ ଗତ ମାସରେ ଅଷ୍ଟ୍ରେଲିଆରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିଲେ। ଏଥିସହ ବମିଖାଲ ଅଞ୍ଚଳର ଜଣେ ୨୯ ବର୍ଷୀୟ ଯୁବକ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ପୂର୍ବରୁ ବମିଖାଲ ଅଞ୍ଚଳର ୩ ଭାଇ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଯୁବକ ମଧ୍ୟ ସେହି ପରିବାରର ବୋଲି ସ୍ପଷ୍ଟ ହୋଇଛି । ବମିଖାଲରେ ସର୍ଭେଲାନ୍ସ ବେଳେ ଚିହ୍ନଟ ହୋଇଛନ୍ତି ଏହି ଯୁବକ। ତେବେ ପରେ ରାତିରେ ଭୁବନେଶ୍ୱରରୁ ଆଉ ୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଟ୍ବିଟ୍ କରିଥିଲା ସ୍ବାସ୍ଥ୍ୟ ବିଭାଗ ।

You might also like