ହୁ ହୁ ହୋଇ ବଢୁଛି କରୋନା: ଏଣିକି ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଆଜି ମଧ୍ୟ ୨ ଶହ ଉପରେ ସଂକ୍ରମଣ

  • ରାଜ୍ୟରେ ହୁ ହୁ ମାଡ଼ିଲାଣି କରୋନା
  • ଆଜି ମଧ୍ୟ ୨ ଶହ ଉପରେ ସଂକ୍ରମଣ
  • ସଂକ୍ରମଣ ରୋକିବାକୁ ପର୍ବପର୍ବାଣୀରେ କଟକଣା

ଭୁବନେଶ୍ୱର: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୨ ଶହ ଉପରେ ରହିଛି ଦୈନିକ ସଂକ୍ରମଣ। ତେବେ କେଉଁ ଷ୍ଟ୍ରେନରୁ ଦ୍ରୁତ ଗତିରେ ବଢୁଛି ରାଜ୍ୟରେ ପଜିଟିଭ୍ ସଂଖ୍ୟା? ଜାଣିବାକୁ ଏକ ସ୍ୱତନ୍ତ୍ର ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି- ସଂକ୍ରମଣ ପ୍ରତିହତ ଲାଗି ସତର୍କତା ସହ ଟିକାକରଣ ଜରୁରୀ। ରାଜ୍ୟର ଜନସଂଖ୍ୟା ହିସାବରେ ୧ କୋଟି ଲୋକଙ୍କୁ ଏବେ ଟିକା ଦିଆଯିବ ବୋଲି ସୂଚନା ମିଳିଛି। ଆଉ ଏସବୁ ଭିତରେ ପର୍ବପର୍ବାଣୀ ପାଳନ ଉପରେ କଟକଣା ଜାରି କରିଛନ୍ତି ଏସଆରସି।

ରାଜ୍ୟରେ ଗତ ୨୪ ଘଣ୍ଟାର ତଥ୍ୟ ଉପରେ ନଜର ପକାଇଲେ ଚିନ୍ତା ବଢିଯାଉଛି। ନୂଆପଡ଼ାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ସହ ଖୋର୍ଦ୍ଧାରୁ ୩୨, କଟକରୁ ୨୯ ଓ ବରଗଡ଼ରୁ ୨୪ ପଜିଟିଭ ବାହାରିଛନ୍ତି। ତେବେ ମାର୍ଚ୍ଚରେ କରୋନାର ଦୃତ ସଂକ୍ରମଣକୁ ଦେଖି ଏସବିଆଇ ରିସର୍ଚ୍ଚ ଟିମ୍, ଆସନ୍ତା ଏପ୍ରିଲରେ ପିକରେ ପହଞ୍ଚିବା ନେଇ କରିଥିବା ଆକଳନକୁ କିନ୍ତୁ ସଫା ସଫା ଖଣ୍ଡନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି-ଏ ନେଇ WHO କି ସରକାରୀ ସଂସ୍ଥା କେହି ସ୍ପଷ୍ଟ କରିନାହାନ୍ତି। ତେବେ ରାଜ୍ୟରେ ଦୈନିକ ୧୦ ହଜାର RTPCR ଟେଷ୍ଟ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେହିପରି ILS ନିର୍ଦ୍ଦେଶକ କହିଛନ୍ତି, କେଉଁ ଷ୍ଟ୍ରେନ ପାଇଁ ଓଡ଼ିଶାରେ ଆକ୍ରାନ୍ତ ବଢ଼ୁଛନ୍ତି, ଜିନମ୍ ସିକ୍ୟେନ୍ସିଂ ନହେବା ଯାଏଁ କହିବା ମୁସ୍କିଲ୍। ଗତ ଜାନୁଆରୀରୁ ଅଦ୍ୟାବଧି ୨୨୨ ସାମ୍ପଲର ଜିନମ୍ ସିକ୍ୟେନ୍ସିଂ ଚାଲିଛି ବୋଲି ଜଣାପଡିଛି।

୨ ଦିନ ଭିତରେ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ କାହିଁକି ବଢୁଛି ସଂକ୍ରମଣ। ତେବେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟକୁ ଗୁରୁତ୍ୱ ଦେଲେ ହିଁ ସଂକ୍ରମଣ କମିବ ବୋଲି ସେ କହିଛନ୍ତି। ସେପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି-ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଟିକାକରଣ ଆରମ୍ଭ ହେବ। ରାଜ୍ୟର ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଅର୍ଥାତ୍ ୧ କୋଟି ଲୋକ ଟିକା ନେବେ। ଏବେ ୫ ଲକ୍ଷରୁ ଅଧିକ ଟିକା ମହଜୁଦ ଥିବାବେଳେ ଖୁବ୍ ଶୀଘ୍ର ଆଉ ୫ ଲକ୍ଷ ୪୦ ହଜାର ମିଳିବ।

ସେପଟେ ସଂକ୍ରମଣ ଦେଖି ରାଜ୍ୟରେ ପର୍ବପର୍ବାଣୀ ପାଳନ ଉପରେ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ସର୍ବସାଧାରଣ ସ୍ଥାନରେ ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା ଓ ଦଣ୍ଡ ଯାତ୍ରା ଆଦି ପାଳନ ହେବ ନାହିଁ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ସମ୍ପୂର୍ଣ୍ଣ ମନା କରାଯାଇଛି। କେତେ ଶ୍ରଦ୍ଧାଳୁ ମନ୍ଦିର ବା ଚର୍ଚ୍ଚ ଯିବେ ସ୍ଥିତି ଦେଖି ନିର୍ଦ୍ଧାରଣ କରିବେ ଜିଲ୍ଲାପାଳ ବୋଲି ସୂଚନା ମିଳିଛି। ସେହିପରି ଉତ୍କଳ ଦିବସ ସମାରୋହରେ ମଧ୍ୟ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ମିଳିବ ବୋଲି ଜଣାପଡିଛି।

ମହାମାରୀରୁ ଦୂରେଇ ରହିବାକୁ ଟ୍ୱିନସିଟିବାସୀଙ୍କୁ ଅଧିକ ସତର୍କ ହେବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର। BMC, CMC ଓ କମିଶନରେଟ୍ ପୋଲିସ ମିଳିତ ଭାବେ କରୋନା ଗାଇଡ୍ଲାଇନ୍ ଯାଞ୍ଚ କରୁଛନ୍ତି। ଲୋକେ ନିୟମ ନ ମାନିଲେ କ଼ଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେପଟେ ବିଏମ୍ସି କମିଶନର କହିଛନ୍ତି ଭୁବନେଶ୍ୱରକୁ ରାଜ୍ୟ ଓ ଦେଶ ବାହାରୁ ଲୋକ ଆସୁଥିବାରୁ ନଜର ରଖାଯାଇଛି। କୋଭିଡ୍ ପ୍ରଭାବିତ ରାଜ୍ୟରୁ ଆସିଲେ ନେଗେଟିଭ ରିପୋର୍ଟ ଅାଣିବାକୁ ନିର୍ଦ୍ଦେଶ ଜାରି ହେବ। ଏହାସହ  SRCଙ୍କ ଗାଇଡ୍ଲାଇନ୍ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବକମିଶନର କହିଛନ୍ତି।

ସେପଟେ ଶିକ୍ଷାନୁଷ୍ଠାନ ସଂକ୍ରମଣ ଟେନସନରେ ଆଜି ଯୋଡ଼ି ହୋଇଛି ଢେଙ୍କାନାଳ ଚାନ୍ଦମାରିସାହିର ଏକ ଘରୋଇ କଲେଜ। ହଷ୍ଟେଲରେ ୮ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଅନ୍ୟ ପିଲାଙ୍କ ନମୁନା ପରୀକ୍ଷା ପାଇଁ ଯାଇଛି।

You might also like