ଲୋକଙ୍କ ଢ଼ିଲାପଣ ଲାଗି ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ

ଗ୍ରାମାଞ୍ଚଳରେ କରୋନା ମୁକାବିଲା ଚ୍ୟାଲେଞ୍ଜ୍

  • ଗ୍ରାମାଞ୍ଚଳରେ କରୋନା ମୁକାବିଲା ଚ୍ୟାଲେଞ୍ଜ୍
  • ପୂର୍ବାପେକ୍ଷା ଏଥର ଢିଲା ବ୍ୟବସ୍ଥା ଯୋଗୁଁ ମାଡ଼ୁଛି କି ମହାମାରୀ ?
  • କଣ୍ଟେନମେଣ୍ଟ କରି ପ୍ରଶାସନ ଦାୟିତ୍ୱ ସାରୁ୍ଥିବା ଅଭିଯୋଗ
  • ସଚେତନ ଅଭାବରୁ ରୋଗ ଲୁଚାଉଛନ୍ତି ଲୋକେ, ପ୍ରବାସୀଙ୍କୁ ନେଇ ଚିନ୍ତା

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଚିନ୍ତା ବଢ଼ାଇଛି କରୋନାର ଦ୍ୱିତୀୟ ଲହର। କାରଣ ଏଠି ନା ସହରାଞ୍ଚଳ ଭଳି ସଟଡାଉନ୍‌, ଲକଡାଉନ୍‌ ହେଉଛି ନା କୌଣସି ଧରପଗଡ଼ କରାଯାଉଛି। ଟେଷ୍ଟିଂ କି ଟିକାକରଣ ତ ଦୂରର କଥା, ପଡ଼ାଠୁ ଆରମ୍ଭ କରି ପଞ୍ଚାୟତ ଯାଏଁ କୋଭିଡ୍ ନିୟମ ଅନୁପାଳନର ନାଁ ଗନ୍ଧ ହିଁ ନାହିଁ। ଗତଥର ଜିଲ୍ଲାପାଳ କ୍ଷମତା ପାଇ ସରପଞ୍ଚ ମାନେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଇଥିଲେ, ଏଥର କିନ୍ତୁ ସେଭଳି କୌଣସି କ୍ଷମତା ନଥିବାରୁ ଢିଲାମେଲା ଅବସ୍ଥା। ଗ୍ରାମାଞ୍ଚଳରେ ଅନୁଶାସନ ଅଭାବରୁ ସଂକ୍ରମଣ ତ ବଢ଼ିଚାଲିଛି। ତାସହ ବିଗିଡ଼ିଯାଇଛି କୋଭିଡ ପରିଚାଳନା ବ୍ୟବସ୍ଥା। ଏହାରି ଭିତରେ ପ୍ରବାସୀଙ୍କ ଆଗମନ, ଆହୁରି ଚିନ୍ତା ବଢ଼ାଇ ଦେଇଛି।

ରାଜ୍ୟର ୬ ଜିଲ୍ଲାକୁ ଛାଡ଼ିଦେଲେ ଚାରିଆଡ଼େ ରେଡ୍ ଜୋନ୍। କଟକରୁ କୋରାପୁଟ, ଜଗତସିଂପୁରରୁ ସମ୍ବଲପୁର ସବୁଆଡ଼େ କରୋନାମୟ। ତାହାରି ଭିତରେ କଲବଲ ଅବସ୍ଥା ଗ୍ରାମାଞ୍ଚଳରେ ବଢ଼ିଚାଲିଥିବା ସଂକ୍ରମଣକୁ ଦେଖି କେଉଁଠି କଣ୍ଟେନମେଣ୍ଟ ତ ଆଉ କେଉଁଠି ଲଗାଯାଇଛି ଧାରା-144। ଆଉ ଯେଉଁଠି କରୋନା ପ୍ରତି ଖାତିର ହିଁ ନାହିଁ, ସେହି ଇଲାକାରେ ଖୋଲାମେଲା ଅବସ୍ଥା ଦେଖିବାକୁ ମିଳିଛି। ହାଟବଜାରରେ ହାଉଜା ହେଉଛନ୍ତି ଲୋକେ। ସାମାଜିକ ଦୂରତା କହିଲେ କୌଣସି ଅର୍ଥ ବୁଝାଏନି ଏଠି। ମାସ୍କ କହିଲେ କାଁ ଭାଁ ଗାମୁଛା ଖଣ୍ଡେ କିଏ କିଏ ପକାଇଛି। ଫଳରେ ଲୋକେ କରୋନା ସଂକ୍ରମିତ ହେଉଥିଲେ ବି ସଚେତନତା ଅଭାବରୁ ଟେଷ୍ଟିଂ ତ ଦୂରର କଥା, ମେଡ଼ିକାଲ୍ ବି ଯାଉନାହାଁନ୍ତି ।

ରେଢାଖୋଲର ବଡ଼ମାଳ, ଗରଗଡ଼ବାହାଲ୍ ଏବଂ ଚାରମାଳ ପଞ୍ଚାୟତର କିଛି ଗାଁକୁ କଣ୍ଟେନମେଣ୍ଟ ଜୋନରେ ରଖିଛି ପ୍ରଶାସନ। କାରଣ ଗତକିଛି ଦିନ ମଧ୍ୟରେ ପ୍ରାୟ ୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏହି ସବୁ ଅଂଚଳରୁ।  କିଛି ଲୋକ ଥଣ୍ଡା, କାଶ, ଜ୍ୱରରେ ପୀଡ଼ିତ ହୋଇଥିଲେ ବି ଭୟରେ ଡାକ୍ତରୀ ପରାମର୍ଶ ନେଉନଥିବା ଅଭିଯୋଗ ହୋଇଛି। ଏଭଳି ଗୋଟିଏ କି ଯୋଡ଼ିଏ ନୁହେଁ ବରଂ ଅଧିକାଂଶ ଗ୍ରାମାଞ୍ଚଳରେ ଏଭଳି ପରିସ୍ଥିତି ରହିଛି। ଅଧିକାଂଶଙ୍କ ଘରେ ଘରେ ରୋଗୀ। ଏସବୁ ଭିତରେ ଏବେ ସହରାଞ୍ଚଳରୁ ଗ୍ରାମାଞ୍ଚଳ ମୁହାଁ ପ୍ରବାସୀ। ସଂକ୍ରମଣର ଚିନ୍ତା ବଢ଼ାଇଥିବା ଆନ୍ଧ୍ର, ତେଲେଙ୍ଗାନାରୁ ପ୍ରବାସୀ ଆସୁଛନ୍ତି ତ ଆଉ କିଏ ଛତିଶଗଡ଼ରୁ ଗାଁକୁ ଆସୁଛନ୍ତି।

ପଶ୍ଚିମବଙ୍ଗରୁ ବି ଭିଟାମାଟି ମୁହାଁ ଓଡ଼ିଶା ପ୍ରବାସୀ। ଗତଥର ପଞ୍ଚାୟତରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରାଯାଇଥିଲା ଅସ୍ଥାୟୀ ଶିବିର। ସବୁ ସରପଞ୍ଚଙ୍କୁ ଜିଳ୍ଲାପାଳ କ୍ଷମତା ଦେଇ ନିଜ ପଞ୍ଚାୟତରେ କୋଭିଡ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଏଥର କିନ୍ତୁ ସେଭଳି କୌଣସି ପଦକ୍ଷେପ ନିଆଯାଇନି। ଅବଶ୍ୟ ସୀମାର ପ୍ରବେଶ ପଥ ଗୁଡ଼ିକରେ କଡ଼ା ଚେକିଂ ସହ ସୀମିତ ସଂଖ୍ୟକ ଟିଏମ୍ସି କେନ୍ଦ୍ର ପ୍ରସ୍ତୁତ କରାଯାଉଛି ଗ୍ରାମାଞ୍ଚଳରେ।

ତେଣେ ବିଶେଷଜ୍ଞଙ୍କ ମତ, ଗ୍ରାମାଞ୍ଚଳରେ ସଂକ୍ରମଣକୁ ରୋକିବାକୁ ହେଲେ ସଚେତନତା ଜରୁରୀ। କାରଣ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକର ସଠିକ ମନିଟରିଂ ହେଉନି। ପଡ଼ୋଶୀଙ୍କ ଭୟରେ ବହୁ ଲୋକ ରୋଗକୁ ଲୁଚାଉଛନ୍ତି । ଫଳରେ ସଂକ୍ରମଣ ବଢିଚାଲିଥିବା କହିଛନ୍ତି ବିଶେଷଜ୍ଞ। ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର କହିଛନ୍ତି, ଗ୍ରାମାଞ୍ଚଳରେ ଆଗକୁ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଂଟକୁ ଗୁରୁତ୍ୱ ଦିଆଯିବ।

 

You might also like