ଶ୍ରୀମନ୍ଦିର ସହ ସଂପୃକ୍ତ ୨୩ ବାହାରିଲେ କରୋନା ପଜିଟିଭ

ପୁରୀ: ପୁରୀରେ ବ୍ୟାପକ ହୋଇଛି କରୋନା ସଂକ୍ରମଣ। ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ସବୁଠି ବ୍ୟାପିଲାଣି କରୋନା ସଂକ୍ରମଣ। ଦୀର୍ଘମାସ ବନ୍ଦ ରହିବା ପରେ ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଥିଲା। କଟକଣା ଭିତରେ ଜଗା ଦର୍ଶନ ପାଉଥିଲେ ଭକ୍ତ। ହେଲେ ଏବେ ପରିସ୍ଥିତି ସାଂଘାତିକ ହେଲାଣି। ଶ୍ରୀମନ୍ଦିର ସହ ସଂପୃକ୍ତ ୨୩ ଜଣ କରୋନା ପଜିଟିଭ ଆସିଥିବା ଜଣାଯାଇଛି।

ଆଜି ମିଳିଥିବା ସୂଚନାରୁ ଜଣାଯାଇଛି, ପୁରୀରେ ୭ ସେବାୟତ ଓ ସେମାନଙ୍କ ୩ ପରିବାର ସଦସ୍ୟଙ୍କ ନମୂନା ପଜିଟିଭ ଆସିଛି। ସେତିକି ନୁହେଁ, ଶ୍ରୀମନ୍ଦିର ନିକଟ ଜୋତାଷ୍ଟାଣ୍ଡର ୮ ଜଣ ଓ ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି ଜଗନ୍ନାଥ ଟେମ୍ପଲ ପୋଲିସ ଓ ଜଣେ ମାଳି ମଧ୍ୟ ପଜିଟିଭ ଆସିଛନ୍ତି। ସମସ୍ତଙ୍କୁ ମିଶାଇଲେ ଶ୍ରୀମନ୍ଦିର ସହ ସଂପୃକ୍ତ ମୋଟ ୨୩ ଜଣ ପଜିଟିଭ ଥିବା ନେଇ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଦେଇଛି।

ଅନ୍ୟପକ୍ଷରେ ପୁରୀର ଜଣେ ପର୍ଯ୍ୟଟକ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ପଜିଟିଭ ଚିହ୍ନଟ ପର୍ଯ୍ୟଟକ ଜଣକ ୧୩ ବର୍ଷର ଜଣେ ବାଳିକା। ସେ ସୁରତରୁ ବାପାମାଆଙ୍କ ସହ ଆସିଥିଲେଅ। ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ ଚିହ୍ନଟ ପରେ ତାଙ୍କୁ  କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ବାପାମାଆଙ୍କ କୋଭିଡ୍ ରପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି। ଆକ୍ରାନ୍ତ ନାବାଳିକାଙ୍କର ଆଜି ପୁଣି ହେବ RT-PCR ଟେଷ୍ଚ ହେବ ବୋଲି ଜଣାପଡ଼ିଛି।

ଶିକ୍ଷାନୁଷ୍ଠାନ ପରେ ଏବେ ଧର୍ମାନୁଷ୍ଠାନ ମୁହାଁଇଛି କରୋନା। ପୁରୀ ଶ୍ରୀମନ୍ଦିରରୁ ଏତେ ସଂଖ୍ୟକ ପଜିଟିଭ ବାହାରିଥିବାବେଳେ ଗଞ୍ଜାମରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଗଞ୍ଜାମର ବୁଢୀ ଠାକୁରାଣୀ ପୀଠର ୨ ଜଣ ପୂଜକ କରୋନା ଆକ୍ରାନ୍ତ ହେବା ସହ ଆଉ କେତେକ ମନ୍ଦିରରୁ କରୋନା ପଜିଟିଭ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି  ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ କରାଯାଇଛି ।

ଏହି ଜିଲ୍ଲାରେ ଆସନ୍ତାକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ। ତେବେ ୭ ଦିନ ଧର୍ମାନୁଷ୍ଠାନ ସାନିଟାଇଜ୍ ସହ ରୀତିନୀତି ପାଳନ ହେବ। ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ।

ସୂଚନାଥାଉ କି, ରାଜ୍ୟରେ  ଆଜି  ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୮୪ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୧୦୩୪ କ୍ୱାରେଣ୍ଟିନରୁ ବାହାରି ଥିବାବେଳେ ୭୪୯ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରୁ ୫୩ ଜଣ କରୋନା ପଜିଟିଭ ବାହାରିଛନ୍ତି।  ଅନ୍ୟପକ୍ଷେ ୨ ଆକ୍ରାନ୍ତଙ୍କର ଆଜି ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ଭଦ୍ରକ ଓ ବଲାଙ୍ଗିର ଜିଲ୍ଲାର। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୦କୁ ବୃଦ୍ଧି ପାଇଛି।

You might also like