ଭୁବନେଶ୍ୱର:ରାୟଗଡ଼ା ଛୁଇଁଲା କରୋନା। ଓଡ଼ିଶାର ୨୯ ଜିଲ୍ଲା କରୋନା ଆକ୍ରାନ୍ତ ହୋଇଥିବାବେଳେ ଏକମାତ୍ର ଜିଲ୍ଲା ରାୟଗଡ଼ାରେ ପହଞ୍ଚି ନ ଥିଲା କରୋନା। ହେଲେ ଆଜି ରାୟଗଡ଼ାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୧୧ ରହିଛି। ରାୟଗଡ଼ାରୁ ଚିହ୍ନଟ ପଜିଟିଭ ଜଣକ ଦିଲ୍ଲୀରୁ ଫେରିଥିଲେ। ତାଙ୍କୁ କ୍ୱାରେଣ୍ଟିନରେ ରଖାଯାଇଥିଲା।
ଗଞ୍ଜାମରୁ ଆଜି ସର୍ବାଧିକ ୪୧ଜଣ ଚିହ୍ନଟ ହୋଇଛନ୍ତି । ୩୬ ଜଣ କ୍ୱାରେଣ୍ଟିନ୍ କେନ୍ଦ୍ରର । ଏମାନଙ୍କ ମଧ୍ୟରୁ ୧୦ ଗୁଜରାଟ, ୪ ମହାରାଷ୍ଟ୍ର, ଜଣେ ଆନ୍ଧ୍ର, ୨୧ ଗୁଜରାଟ/ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି । ୩୬ ଜଣଙ୍କୁ ଛାଡ଼ି ଅନ୍ୟମାନେ ହୋମ୍ କ୍ୱାରେଣ୍ଟିନରେ ଥିଲେ।
କେନ୍ଦ୍ରାପଡ଼ାରୁ ଚିହ୍ନଟ ସମସ୍ତ ୯ ଜଣ କ୍ୱାରେଣ୍ଟିନ୍ କେନ୍ଦ୍ରର । ଏମାନଙ୍କ ମଧ୍ୟରୁ ୫ ଗୁଜରାଟ, ୨ ମହାରାଷ୍ଟ୍ର ଓ ୨ ଜଣ ତାମିଲନାଡୁ ଫେରନ୍ତା । ନୂଆପଡ଼ା ଜିଲ୍ଲାର ସମସ୍ତ ୮ ଆକ୍ରାନ୍ତ କ୍ୱାରେଣ୍ଟିନ୍ କେନ୍ଦ୍ରର ଓ ମହାରାଷ୍ଟ୍ର ଫେରନ୍ତା । ସୋନପୁରର ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ କ୍ୱାରେଣ୍ଟିନ୍ କେନ୍ଦ୍ରର। ୩ ଗୁଜରାଟ, ୮ ତାମିଲନାଡୁ ଓ ୩ ତେଲେଙ୍ଗାନା ଫେରନ୍ତା। ୩ଟି ଲୋକାଲ୍ ରହିଛି ।
ପ୍ରଥମ ଥର ରାୟଗଡ଼ାରୁ ଚିହ୍ନଟ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା। ସେ କ୍ୱାରେଣ୍ଟିନ୍ କେନ୍ଦ୍ରରେ ରହିଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮୮କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୫୪ ଜଣ ଚିକିତ୍ସାଧୀନ ଥିବାବେଳେ ୧,୩୨୫ ଜଣ ସୁସ୍ଥ ହୋଇଛନ୍ତି। ତେବେ ୭ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।