ରାଜଧାନୀର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର କରୋନା ପଜିଟିଭ

ଭୁବନେଶ୍ୱର: ରାଜଧାନୀରେ ହୁ ହୁ ହୋଇ ଯେମିତି ମାଡି ଚାଲିଛି କରୋନା। ଆଜି  ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ  ଜଣେ ଛାତ୍ର କରୋନା ପଜିଟିଭ ବାହାରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ-୧ ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂ। ଏହି ଘଟଣା ଜଣାପଡ଼ିବା ପରେ ଚିନ୍ତା ବଢିଯାଇଛି।

ସ୍କୁଲ ଭାଇସ୍ ପ୍ରିନ୍ସିପାଲଙ୍କ କହିବା ଅନୁଯାୟୀ,  ପୂର୍ବରୁ ଛାତ୍ରଙ୍କ ବାପା ପଜିଟିଭ ଚିହ୍ନଟ ହୋଇଥିଲେ।  ଛାତ୍ର ଜଣକ ଗତ ଶନିବାର ଗୋଟିଏ ଦିନ ପରୀକ୍ଷା ଦେବାକୁ ସ୍କୁଲ ଆସିଥିଲେ।  ଲକ୍ଷଣ ଦେଖାଦେବାରୁ ଟେଷ୍ଟ କରାଯାଇଥିଲା।  ତାଙ୍କର ନମୁନା ପଜିଟିଭ ଆସିଛି। ଏହା ପରେ ଛାତ୍ରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।  ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ଆଜି ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା କରିବ BMC କହିଛି। ମିିଳିଥିବା ସୂଚନା ଅନୁସାରେ, ରାଜଧାନୀର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ବିଏମସି ପକ୍ଷରୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଟେଷ୍ଟିଂ କରାଯିବା ସମ୍ଭାବନା ରହିଛି।

ସୂଚନାଥାଉ କି, ଭୁବନେଶ୍ୱରର ବିଭିନ୍ନ ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଅଧିକ ଟେଷ୍ଟିଙ୍ଗ କରାଯିବ ଏଥିସହ ବିଭିନ୍ନ ହଷ୍ଟେଲରେ ରାଣ୍ଡମ୍ ଚେକିଂ କରାଯିବ ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ।

ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି ନୂଆ ଷ୍ଟ୍ରେନ୍‌।  ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ୟୁକେ ଷ୍ଟ୍ରେନ୍ ରହିଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନାଶନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍.କେ ସିଂହ କହିଛନ୍ତି, ୧୮ଟି ରାଜ୍ୟରୁ ମୋଟ ୭୭୧ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ୭୭୧ରୁ ୭୩୬ଟି ହେଉଛି ୟୁକେ ଷ୍ଟ୍ରେନ୍।

ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ମୋଟ ୭୩୬ ୟୁକେ ଷ୍ଟ୍ରେନ୍ ଭିତରୁ ଓଡ଼ିଶାରୁ ୩ଟି ଥିବା ସୂଚନା ମିଳିଛି। ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ୍ ପଞ୍ଜାବରୁ ଚିହ୍ନଟ ହୋଇଥିବା ଉଲ୍ଲେଖ ରହିଛି। ନୂଆଷ୍ଟ୍ରେନ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି।

ସପ୍ତାହକର ତଥ୍ୟ ଦେଖିଲେ କେବଳ ୨୧ ତାରିଖରେ ୯୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ।  ୧୯ରେ ୧୧୦, ୨୦ରେ ୧୨୦, ୨୨ରେ ୧୪୬, ୨୩ରେ ୧୧୩ ଓ ୨୪ରେ ୧୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଏହି ଦିନମାନଙ୍କରେ ଅଧିକାଂଶ ଆକ୍ରାନ୍ତ କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଥିବାବେଳେ ଗତକାଲି ନୂଆପଡରୁ ଚିହ୍ନଟ ହୋଇଥିଲେ ରେକର୍ଡ ସଂଖ୍ୟକ ରୋଗୀ। ଏହି ଜିଲ୍ଲାର  ସିନାପାଲି ବ୍ଲକର ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗାଁରୁ ନିଆଯାଇଥିବା ମୋଟ ୫୬ ସାମ୍ପଲ ମଧ୍ୟରୁ ୨୯ଟି ପଜିଟିଭ ଆସିଛି ।

You might also like