ଭଦ୍ରକରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୩ ଜିଲ୍ଲା ହେଲା ସଟ୍‌ଡାଉନ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର ବୋଲି ଜଣାଯାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି।

 ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଜଣେ ର ୪୦ ବର୍ଷୀୟ ଯୁବକ ବୋଲି ଜଣାପଡ଼ିଛି । ସେ ବାସୁଦେବପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।  ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ।

ଭଦ୍ରକରେ ବର୍ତ୍ତମାନସୁଦ୍ଧା ୧୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣ ଆରୋଗ୍ୟ ଲାଭ କରିଛନ୍ତି । ୧୦ଜଣ ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଏହି ନୂଆ ପଜିଟିଭ୍ ଚିହ୍ନଟ ପରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅରଣ୍ଡୁଆ ଓ ବ୍ରାହ୍ମଣିଗାଁ ଗ୍ରାମପଞ୍ଚାୟତକୁ ନୂଆ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ସୂଚନାଥାଉ କି, ରାଜ୍ୟରେ ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଅଧିକାଂଶ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି। ତେଣୁ  ସରକାର ନୂଆ ହଟସ୍ପଟ୍ ହୋଇଥିବା ତିନି ଜିଲ୍ଲାରେ ୬୦ ଘଣ୍ଟା ଯାଏଁ ସଟଡାଉନ୍ ଘୋଷଣା କରିଛନ୍ତି।   ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାକୁ ଗତକାଲି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି ।

ଏ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ପୂର୍ବରୁ ଭୁବନେଶ୍ୱର ଯେଭଳି ସଟଡାଉନ୍ ହୋଇଥିଲା ସେମିତି ସଟ୍ ଡାଉନ୍ ନିୟମ ଏହି ତିନି ଜିଲ୍ଲାରେ ବି କାର୍ଯ୍ୟକାରୀ ହେବ। ସଟ୍ ଡାଉନ୍ ବେଳେ ଏକ ପ୍ରକାର କର୍ଫ୍ୟୁ ଭଳି ସ୍ଥିତି ରହିବ। ସମସ୍ତ ଦୋକାନ, ବଜାର ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ନିର୍ଦ୍ଦିଷ୍ଟ କିଛି ଔଷଧ ଦୋକାନ ଛଡ଼ା ଅନ୍ୟ କୌଣସି ଦୋକାନ ଖୋଲିବ ନାହିଁ।

ସଟ୍ ଡାଉନ୍ ବେଳେ କେହି ବାହାରକୁ ନବାହାରିବାକୁ ତାଗିଦ କରାଯାଇଛି । ୩ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ବ୍ୟାପକ ସର୍ଭେ କରାଯାଇ ସାମ୍ପଲ ଟେଷ୍ଟ ହେବ । ସଟ୍ ଡାଉନ୍ ବେଳେ କଣ୍ଟାକ୍ଟ ଟ୍ରେସିଂ ବ୍ୟାପକ କରାଯିବ। ଆଜିର ପଜିଟିଭଙ୍କୁ ମିଶାଇ ଗତ ୫ ଦିନ ଭିତରେ ଏହି ୩ ଜିଲ୍ଲାରୁ ୨୯ ଜଣ ପିଜିଟିଭ ଚିହ୍ନଟ ହୋଇଥବାରୁ ଏଭଳି ପଦକ୍ଷେପ ନିଆଯାଇଛି।

ସୂଚନାଥାଉ କି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୩ଜଣ ଆରୋଗ୍ୟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ୫୬ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

You might also like