କରୋନା ଭୟ ପାଖରେ ହାର ମାନିଲା ଜୀବନର ମୋହ; ଆତ୍ମହତ୍ୟା କଲେ ପଜିଟିଭ ଦମ୍ପତି

ନୟାଗଡ଼: କରୋନା ମହାମାରୀ ତା’ର କରାଳ କାୟା ବିସ୍ତାର କରିଚାଲିଛି। ଗୋଟିଏ ଗୋଟିଏ ହୃଦୟ ବିଦାରକ ଘଟଣା ଛାତିକୁ ଥରାଇ ଦେଉଛି। ଏବେ ପୁଣି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। କରୋନା ଭୟ ପାଖରେ ଜୀବନର ମୋହ ଫିକା ପଡ଼ି ଯାଇଛି। କରୋନା ମୃତ୍ୟୁ ଆସିବା ପୂର୍ବରୁ ଆତ୍ମହତ୍ୟାକୁ ବରି ନେଇଛନ୍ତି ପଜିଟିଭ ଦମ୍ପତି। ଏମିତି ଏକ ଦୁଃଖଦଭରା ଘଟଣା ଘଟିଛି ରଣପୁର ଥାନା ବେଗୁନିଆ ପାଟଣା ଗାଁରେ।  କରୋନା ସଂକ୍ରମିତ ହେବା ଜାଣିବା ପରେ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଏହି ଦମ୍ପତି ୪ ଦିନ ତଳେ କରୋନାରେ ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲେ l ଡାକ୍ତରଙ୍କ ପରାମର୍ଶରେ ଘର ଭିତରେ ସଂଘରୋଧରେ ଥିଲେ l ଏପରିକି ତାଙ୍କର ଏକମାତ୍ର ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ପୁରୀରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି l ଏକାସହିତ ସମସ୍ତଙ୍କୁ ରୋନା ହୋଇଥିବାରୁ ମାନସିକ ଚିନ୍ତାରେ ଏହି ଦମ୍ପତି ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଆଶଙ୍କା କରୁଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, କରୋନା ହୋଇଥିବାରୁ ଭୟଭୀତ ହୋଇ ଏପରି ଚରମ ନିଷ୍ପତି ନେଇ ଥାଇପାରନ୍ତି ଏହି ଦମ୍ପତି। ଏଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି ହୋଇଛି l ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।  ଏ ନେଇ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

You might also like