କରୋନା କାଳରେ କାହା ପିଛାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ପାଉନାହାନ୍ତି ସରକାର?

କାହା ପାଇଁ ଖର୍ଚ୍ଚ ହୋଇଛି କେତେ?

ଭୁବନେଶ୍ୱର: ପ୍ରାଇଭେଟ୍ କୋଭିଡ୍ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ବାବଦରେ ପ୍ରକୃତରେ ଖର୍ଚ୍ଚ ହୋଇଛି କେତେ ଟଙ୍କା? କେଉଁ କେଉଁ ଘରୋଇ ହସ୍ପିଟାଲ ଦେଖାଇଛନ୍ତି କେତେ ଖର୍ଚ୍ଚ? ରୋଗୀଙ୍କ ପିଛା ଖର୍ଚ୍ଚ ଓ ବିଲ୍ ଭରଣା ହିସାବ ଠିକ୍ ଠାକ୍ ଅଛି ତ? ବିଧାନସଭାରେ ଖୋଦ୍ ଶାସକଦଳ ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଯେଉଁ ତଥ୍ୟ ରଖିଛନ୍ତି ତାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ। ରାଜ୍ୟର ୩୧ଟି ଘରୋଇ ହସ୍ପିଟାଲ ସହ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଶାଇ ଗତ ଜାନୁଆରୀ ସୁଦ୍ଧା ମୋଟ୍ ୩ଶହ ୮୯ କୋଟି ୫୯ ଲକ୍ଷ ୬୬ ହଜାର ୪୬୬ ଟଙ୍କାର କୋଭିଡ୍ ଚିକିତ୍ସା ବିଲ୍ ଭରଣା ଖର୍ଚ୍ଚ ଦର୍ଶାଯାଇଛି। ଯାହାମଧ୍ୟରେ ଭୁବନେଶ୍ୱର ସମ୍ ହସ୍ପିଟାଲ ରହିଛି ସବୁଠୁ ଆଗରେ।

ଏଠି ୬୯୮ ରୋଗୀଙ୍କ ଚିକିତ୍ସା ବାବଦରେ ୫୮ କୋଟି ୫୯ ଲକ୍ଷ ୭୨ ହଜାର ଟଙ୍କାର ବିଲ୍ ଦର୍ଶାଯାଇଛି। ଅର୍ଥାତ୍ ଏଠି ରୋଗୀ ପିଛା ଖର୍ଚ୍ଚ ହାରାହାରି ୮ଲକ୍ଷ ୩୯ ହଜାର ୫ଶହ ଟଙ୍କା। ତା ତଳକୁ ରହିଛି କିମ୍ସ ହସ୍ପିଟାଲ। ଯେଉଁଠି ୨ ହଜାର ୨୯୫ ଜଣ ରୋଗୀଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ ୪୪ କୋଟି ୧୫ଲକ୍ଷ ୫୨ ହଜାର ଅର୍ଥାତ୍ ଏଠି ରୋଗୀ ପିଛା ହାରାହାରି ଖର୍ଚ୍ଚ ୧ଲକ୍ଷ ୯୨ ହଜାର ୩୯୭ ଟଙ୍କା। ସେହିପରି ସୁନ୍ଦରଗଡ଼ର ଶାନ୍ତି ମେମୋରିଆଲ୍ ହସ୍ପିଟାଲରେ ମାତ୍ର ୪୩୬ଜଣ ରୋଗୀଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଛି ୩୦ କୋଟି ୩ ଲକ୍ଷ ୪୮ ହଜାର ଟଙ୍କା। ଏଠି ରୋଗୀ ପିଛା ହିସାବ ୬ ଲକ୍ଷ ୮୮ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।

ଅନ୍ୟପକ୍ଷରେ କେନ୍ଦୁଝର ଯୋଡ଼ା ଟାଟା ହସ୍ପିଟାଲରେ ୬୨୦ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ଦର୍ଶାଯାଇଛି ମାତ୍ର ୬୫ଲକ୍ଷ। ଯେଉଁଠି ରୋଗୀ ପିଛା ଖର୍ଚ୍ଚ ମାତ୍ର ୧୦, ୪୮୪ ଟଙ୍କା। ସେମିତି ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ୪ ହଜାର ୩୩୦ କୋଭିଡ୍ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବାବଦରେ ଦର୍ଶାଯାଇଛି ୧କୋଟି ୭୩ ଲକ୍ଷ ୭୮ ହଜାର ଟଙ୍କା ଅର୍ଥାତ୍ ଏଠି ରୋଗୀ ପିଛା ଖର୍ଚ୍ଚ ମାତ୍ର ୪ ହଜାର। ଏହାବାଦ୍ ଅନ୍ୟ ଘରୋଇ ହସ୍ପିଟାଲ ଭାବେ ଭୁବନେଶ୍ୱର ଆଦିତ୍ୟ ଅଶ୍ୱିନୀକୁ ୧୮ କୋଟି ୨୮ ଲକ୍ଷ ୪୫ ହଜାର ଓ କଟକ ଅଶ୍ୱିନୀ ହସ୍ପିଟାଲକୁ ୩୨କୋଟି ୪୫ ଲକ୍ଷ ୮୫ ହଜାର ଟଙ୍କାର ଖର୍ଚ୍ଚ ଦିଆଯାଇଥିବା ବେଳେ ଲିଷ୍ଟରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ଝାରସୁଗୁଡ଼ା ଡିଡିଏଚରେ ଖର୍ଚ୍ଚ ହୋଇଛି ୬ କୋଟି ୧୩ ଲକ୍ଷ ୯୯ ହଜାର ଟଙ୍କା। ତେବେ ଗୋଟିଏ ପ୍ରକାର ରୋଗର ଚିକିତ୍ସା ପାଇଁ ଭିନ୍ନ ଭିନ୍ନ ଚିକିତ୍ସା ଖର୍ଚ୍ଚକୁ ନେଇ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। କହିଛନ୍ତି ଏ ମହାଦୁର୍ନୀତିର ଉଚିତ୍ ତଦନ୍ତ ହେଉ ଯାହାର ଜବାବ ରଖିଛି ବିଜେଡି।

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, ବାଉଁଶ ଭଡା ୯୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। କାହାକୁ କେଂଚେ ତ କାହାକୁ ମେଂଚେ ପରି ଟଙ୍କା ଦେଇଛନ୍ତି। କୋଭିଡ୍‌ ସେଂଟରରେ ରୋଗୀଙ୍କୁ ଠିକ ଭାବରେ ଖାଦ୍ୟ ମଧ୍ୟ ମିଳିନାହିଁ। କରୋନାରେ ମହାଦୁର୍ନୀତି ଘଟିଛି ବୋଲି କହିଛନ୍ତି ପ୍ରଦୀପ୍ତ।

ସେପଟେ କଂଗ୍ରେସ ନେତା କହିଛନ୍ତି ଯେ, କାହାକୁ ୩୦ କୋଟି କାହାକୁ ୫୦ କୋଟି ତାହାର ତାଳମେଳ ନାହିଁ। କେଉଁ ଘରୋଇ ମେଡିକାଲକୁ କେତେ ଟଙ୍କା ଦିଆଯାଇଛି? କେତେ ରୋଗୀ କେଉଁ କେଉଁ ଡାକ୍ତରଖାନାରେ ଚିକିତ୍ସା ହୋଇଛନ୍ତି? ସେ ରୋଗୀ ପିଛା କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ତଦନ୍ତ କରି ସଠିକ୍ ରିପୋର୍ଟ ଦେବା ପାଇଁ ଦାବି କରିଛନ୍ତି ସୁର ରାଉତ।

ଆଉ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ। ସେ କହିଛନ୍ତି ଯେ, ବାସ୍ତବ ସ୍ଥିତି ସେତେବେଳେ ଅଲଗା ଥିଲା। ଏ ସମସ୍ତ ଜିନିଷ ଅଡିଟ୍ ମଧ୍ୟ ହେବ। ଜରୁରୀକାଳିନ ପରିସ୍ଥିତିରେ ଘରୋଇ ମେଡିକାଲ ସାହାଯ୍ୟ କରିଛନ୍ତି। ସେମାନଙ୍କୁ ସାଧୁବାଦ ଜଣାଇବାର ଆବଶ୍ୟକତା ରହିଛି।

ଖାଲି ବିରୋଧୀ ଦଳ ନୁହନ୍ତି। ସୂଚନା ଅଧିକାର କର୍ମୀ ବି ସରକାରଙ୍କ କୋଭିଡ୍ ଚିକିତ୍ସା ଖର୍ଚ୍ଚକୁ ନେଇ ଚକିତ ହୋଇଛନ୍ତି। କହିଛନ୍ତି କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ଆଇସିୟୁ, ନନ୍ ଆଇସିୟୁ ଓ ଖାଦ୍ୟ ଖର୍ଚ୍ଚ ବାବଦକୁ ସରକାର ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିଥିଲେ ହେଲେ ଅଧିକାଂଶ ହସ୍ପିଟାଲରେ ଏଥିରେ ବ୍ୟତିକ୍ରମ ଥିବା ଅନୁଭବ ହେଉଛି। ସଠିକ୍ ତଦନ୍ତ ହେଲେ ଏହି ଦୁର୍ନୀତିର ତଥ୍ୟ ପଦାକୁ ଆସିବ।

ତେବେ ଚିକିତ୍ସା ଖର୍ଚ୍ଚରେ ରହୁଥିବା ତାରତମ୍ୟକୁ ନେଇ ଘରୋଇ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଚାରିଥିବା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କୋଭିଡ୍ ଚିକିତ୍ସା ଲାଗି ଉଦ୍ଦିଷ୍ଟ ୩୨ଟି ହସ୍ପିଟାଲରେ ସରକାରୀ ଖର୍ଚ୍ଚରେ ଯେଉଁ ଉପକରଣ ସବୁ ଲାଗିଥିଲା ତାହା ପୁଣି ସରକାର ଫେରାଇ ଆଣିବାକୁ ପ୍ରକ୍ରିୟା ଚାଲୁ ରହିଛି।

ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ

You might also like