କରୋନା ସ୍ଥିତି ସଙ୍ଗୀନ: ଆଉ କେତେଦିନ ଲକଡାଉନ୍‌ ବଢିବ?

ଆକ୍ଟିଭ୍‌ କେଶ୍ ସଂଖ୍ୟା ଲକ୍ଷେ ପାର ପରେ ବଢ଼ିଲା ଶଙ୍କା

  • ରାଜ୍ୟରେ ବଢ଼ିବ କି ତାଲାବନ୍ଦ ଅବଧି?
  • ଆକ୍ଟିଭ୍‌ କେଶ୍ ସଂଖ୍ୟା ଲକ୍ଷେ ପାର ପରେ ବଢ଼ିଲା ଶଙ୍କା
  • ୨୯ ଜିଲ୍ଲାରେ ୧୦ ପ୍ରତିଶତ ଉପରେ ପଜିଟିଭ୍ ରେଟ୍

ଭୁବନେଶ୍ୱର: ରାଜ୍ୟରେ ବଢ଼ିବ କି ଲକଡାଉନ୍ ଅବଧି? ମେ ମାସରେ ବେଲଗାମ୍ ସଂକ୍ରମଣ ଓ ଆକ୍ଟିଭ୍‌ କେଶ୍ ସଂଖ୍ୟା ଆଜି ୧ ଲକ୍ଷ ପାର୍ କରିବା ପରେ ଏହି ଆଶଙ୍କା ବଢ଼ିଯାଇଛି। ତାଛଡ଼ା କେବଳ ମାଲକାନଗିରିକୁ ଛାଡ଼ି ରାଜ୍ୟର ଅନ୍ୟ ୨୯ଟି ଜିଲ୍ଲାରେ ଏବେ ପଜିଟିଭିଟି ରେଟ୍ ୧୦ ପ୍ରତିଶତ ଉପରେ ରହିଛି। ଗତକାଲି ICMR ଡିଜି ୧୦ ପ୍ରତିଶତରୁ ଅଧିକ ପଜିଟିଭିଟି ରେଟ୍ ଥିବା ଜିଲ୍ଲାରେ ଲକଡାଉନ୍‌ ପାଇଁ ପରାମର୍ଶ ଦେଇଥିଲେ। ସେ ଦୃଷ୍ଟିରୁ ଓଡ଼ିଶାରେ ବି ଅଧିକ ସମୟ ଲାଗି ଲକଡାଉନର ଆବଶ୍ୟକତା ରହୁଛି ବୋଲି କୁହାଯାଉଛି। ସେପଟେ ଲୋକେ ଅମାନିଆ ହେଉଥିବାରୁ ଲକଡାଉନ୍‌ ସମୟରେ ମର୍ଣ୍ଣିଂ ଓ ଇଭିନିଂ ଓ୍ୱାକ୍ ଏବଂ ସାଇକ୍ଲିଂ ମନା ବୋଲି କହିଛନ୍ତି ଟୁଇନସିଟି ପୋଲିସ୍ କମିଶନର.

ରାଜ୍ୟରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍। ଜାରି ରହିଛି ଦୈନିକ ୧୦ ହଜାର ପଜିଟିଭ୍ ଟ୍ରେଣ୍ଡ। ଗଲା ୨୪ ଘଣ୍ଟାରେ ୧୦ ହଜାର ୬୪୯ ପଜିଟିଭ୍ ଚିହ୍ନଟ ହୋଇଥିବେଳେ ମହାମାରୀ ନେଇଛି ଆଉ ୧୯ ଜୀବନ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆକ୍ଟିଭ କେସ୍ ସଂଖ୍ୟା ୧ ଲକ୍ଷ ପାର୍ କରିଛି। ମେ ମାସରେ ସ୍ଥିତି ପୁରା ଅସମ୍ଭାଳ। ଏଠି ପ୍ରଶ୍ନ, ରାଜ୍ୟରେ ବଢିବ କି ଲକଡାଉନ୍ ଅବଧି? ମେ ୫ ତାରିଖରୁ ଜାରି ହୋଇଥିବା ଲକଡାଉନ୍‌ ୧୯ ତାରିଖ ଯାଏଁ ବଳବତ୍ତର ରହିଛି। ଏହାପରେ ରାଜ୍ୟ ସରକର ବଢ଼ାଇବେ କି ତାଲାବନ୍ଦ କଟକଣା? ICMR ଡିଜି ଡାକ୍ତର ବଳରାମ ଭାର୍ଗବ ମଧ୍ୟ ୧୦ ପ୍ରତିଶତ ପଜିଟିଭିଟି ରେଟ୍ ଥିବା ଜିଲ୍ଲାଗୁଡିକରେ ୬ରୁ ୮ ସପ୍ତାହ ଲକଡାଉନ୍ କରିବାକୁ ପରାମର୍ଶ ଦେଇସାରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ମେ ୬ରୁ ୧୨ ତାରିଖ ସପ୍ତାହରେ ଦେଶର ୫୨୬ ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ବା TPR ୧୦ ପ୍ରତିଶତ ଉପରେ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେଥିରୁ ୨୯ଟି ଜିଲ୍ଲା ଆସୁଛି ଓଡ଼ିଶାରୁ। କେବଳ ମାଲକାନଗିରିକୁ ଛାଡ଼ିଦେଲେ ବଳକା ସବୁ ଜିଲ୍ଲାରେ TPR ୧୦ ପ୍ରତିଶତରୁ ଅଧିକ ରହିଛି। କଳାହାଣ୍ଡିରେ ସର୍ବାଧିକ TPR ୪୬ ପ୍ରତିଶତ ଥିବାବେଳେ କନ୍ଧମାଳରେ ସର୍ବନିମ୍ନ ୧୦.୧ ପ୍ରତିଶତ ରହିଛି। ସେହିପରି ୨୦ଟି ଜିଲ୍ଲାରେ ଜିଲାରେ ଟେଷ୍ଟ ପଜେଟିଭି ରେଟ୍ ୨୦ ପ୍ରତିଶତ ଉପରେ ରହିଛି। ଅପରପକ୍ଷରେ ମେରେ ସଂକ୍ରମଣ ଓ ମୃତ୍ୟୁହାରରେ ବ୍ରେକ୍ ଲାଗୁନଥିବାରୁ ଲକଡାଉନ୍‌ ଅବଧି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ସେପଟେ ଆଜି ମହାରାଷ୍ଟ୍ର ସରକାର ଜୁନ୍ ୧ ଯାଏଁ ଏବଂ ବିହାର ସରକାର ମେ ୨୫ ଯାଏଁ ନିଜ ନିଜ ରାଜ୍ୟରେ ଲକଡାଉନ୍‌ ଅବଧି ବଢ଼ାଇଛନ୍ତି। ସେହିପରି ଗତକାଲି ଝାରଖଣ୍ଡ ସରକାର ମଧ୍ୟ ଲକଡାଉନ୍‌ ଅବଧିକୁ ମେ ୨୭ ଯାଏଁ ବଢ଼ାଇଛନ୍ତି ।

ଆଜି ମିଳିଥିବା କିଛି ଦୃଶ୍ୟ ଓଟିଭି କ୍ୟାମେରାରେ କଏଦ ହୋଇଥିଲା। କେନ୍ଦ୍ରାପଡ଼ା, କଟକ, ବାଲେଶ୍ୱରରୁ ମିଳିଥିବା ଦୃଶ୍ୟ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, କେଉଁଠି ବି କଡ଼ାକଡ଼ି ପାଳନ ହେଉନାହିଁ ଲକଡାଉନ୍‌ କଟକଣା। ଲକଡାଉନ୍‌ କଟକଣା ଲାଗିବା ପରେ ବି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଅନୁମତି ଦିଆଯାଇଥିବା ବେଳେ ସେହି ବାହାନାରେ ଲୋକେ ବଜାର ଘାଟରେ ଭିଡ଼ ଜମାଉଛନ୍ତି। ରାସ୍ତାରେ ବେଧଡ଼କ ଚାଲିଛି ଗାଡ଼ି ମଟର। କାଁ ଭାଁ ଚେକିଂ ଚାଲିଥିଲେ ବି ଅମାନିଆମାନେ କୋଭିଡ୍ ଗାଇଡ୍ଲାଇନର ଖୋଲା ଉଲ୍ଲଂଘନ କରୁଛନ୍ତି। ସେପଟେ ଲକଡାଉନ୍‌ ସମୟରେ ଏଣିକି ମର୍ଣ୍ଣିଂ ୱାକ୍‌, ଇଭିନିଂ ୱାକ୍‌ ଓ ସାଇକ୍ଲିଂ ସଂପୂର୍ଣ୍ଣ ମନା ବୋଲି କହିଛନ୍ତି ଟୁଇନ୍‌ସିଟି ପୋଲିସ୍ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ।

କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ, କଟକରୁ ଦେବାଶିଷ ମହାନ୍ତି, ବାଲେଶ୍ୱରରୁ ରଶ୍ମିରଂଜନ ଦାସଙ୍କ ସହ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

You might also like