ଏହି ସ୍ଥାନ ହିଁ ପାଲଟିଛି କରୋନାର ହଟସ୍ପଟ୍‌

ଅନଲାଇନ୍ ପରୀକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

  • ଚିନ୍ତା ବଢାଉଛି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବୃଦ୍ଧି
  • ହଟସ୍ପଟ୍ ପାଲଟୁଛି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ
  • ଅନଲାଇନ୍ ପରୀକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ
  • ଆଜି ରାଜ୍ୟରୁ ଚିହ୍ନଟ ହେଲେ ଆଉ ୨୧୮ ପଜିଟିଭ

ଭୁବନେଶ୍ୱର: ଗୋଟେ ପଟେ କରୋନାର କହର, ଅନ୍ୟପଟେ ପରୀକ୍ଷା ହେବା- ନହେବାର ଟେନସନ୍। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ହାର ବଢ଼ି ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ଘରୋଇ ଓ ସରକାରୀ ଇଞ୍ଜିନିୟରିଂ କଲେଜରେ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି। ବିଶେଷକରି କିଛି ଶିକ୍ଷାନୁଷ୍ଠାନରୁ ପଜିଟିଭ୍ ଚିହ୍ନଟ ପରେ ଏବେ ଅନଲାଇନ୍ ପରୀକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଫଳରେ କାଲି ହେବାକୁ ଥିବା ସେମିଷ୍ଟର ପରୀକ୍ଷାକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ସେପଟେ ଛତିଶଗଡ଼ ପଟୁ ସଂକ୍ରମଣ ବଢୁଥିବାରୁ ବସ୍ ଚଳାଚଳ ବନ୍ଦ କରିବାକୁ ସରକାର ଯୋଜନା କରୁଛନ୍ତି।

କଟକ, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ତାକୁ ନେଇ ସୃଷ୍ଟି ହୋଇଥିବା ଡରରୁ ତେଜିଲା ଛାତ୍ର ଆନ୍ଦୋଳନ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲରେ। ଆସନ୍ତାକାଲି ଏଠି ସେମିଷ୍ଟର ପରୀକ୍ଷା ଅଛି। ହେଲେ ତା ପୂର୍ବରୁ ଆଜି ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। କିଛି ପିଲା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଅଫଲାଇନ୍ ବଦଳରେ ଅନଲାଇନ୍ ପରୀକ୍ଷା ଓ ସମସ୍ତଙ୍କର କୋଭିଡ୍ ଟେଷ୍ଟ୍ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ।

ରାଉରକେଲା ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଂଜିନିୟରିଂରେ ସମାନ ସ୍ଥିତି ଦେଖାଦେଇଛି। ଅନଲାଇନ୍ ପରୀକ୍ଷା ଦାବିରେ କଲେଜ୍ ଗେଟ୍ ବନ୍ଦ କରି ରାସ୍ତା ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ। ସହରରେ ଥିବା ଆଉ ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍ S K DAV ପଲିଟେକ୍ନିକରେ ବି ଅନଲାଇନ୍ ପରୀକ୍ଷା ଦାବିରେ ବି ଚାଲିଛି ଆନ୍ଦୋଳନ। ବ୍ରହ୍ମପୁରର ୟୁସିପି ଇଜିିଂନିୟରିଂ ସ୍କୁଲ, ରେମୁଣା ସରକାରୀ ପଲିଟେକନିକ୍ ଏବଂ ଭୁବନେଶ୍ୱର ସରକାରୀ ପଲିଟେକ୍ନିକର ଛାତ୍ରଛାତ୍ରୀ ବି ସମାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି। ତେଣୁ କାଲି ପରୀକ୍ଷା ହେବ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।

ଏଣେ କରୋନାର ଦ୍ୱିତୀୟ ଲହର ଭୟଙ୍କର ହେଉଥିବା ବେଳେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ହଟସ୍ପଟ୍ ପାଲଟିଛନ୍ତି। ଏହାକୁ ନେଇ ତତ୍ପର ହୋଇଛି ଭୁବନେଶ୍ୱର ମହାନଗର ନିଗମ। ରାଜଧାନୀର କିଛି ଶିକ୍ଷାନୁଷ୍ଠାନରୁ ଆକ୍ରାନ୍ତ ଚିହ୍ନଟ ପରେ ଟେଷ୍ଟିଂ ଓ ଟ୍ରାକିଂକୁ କଡ଼ାକଡ଼ି କରାଯାାଇଛି। ୧୪ ଛାତ୍ରଛାତ୍ରୀ ସଂକ୍ରମିତ ହେବା ପରେ ରାଉରକେଲା NITର ଛାତ୍ରଛାତ୍ରୀଙ୍କୁ କଣ୍ଟେନମେଣ୍ଟରେ ରଖାଯାଇଥିଲା। ତେବେ ନେଗେଟିଭ ଚିହ୍ନଟ ପିଲାଙ୍କୁ ହଷ୍ଟେଲ ଛାଡିବାକୁ ଅନୁମତି ଦେଇଛନ୍ତି କର୍ତ୍ତୃପକ୍ଷ। ଏପଟେ ସୀମାବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବାରୁ ପଡ଼ୋଶୀ ରାଜ୍ୟରୁ ବସ୍ ଚଳାଚଳ ବନ୍ଦ ନେଇ ଚିନ୍ତା କରାଯାଉଛି। ବିଶେଷକରି ନୂଆପଡ଼ା- ଛତିଶଗଡ଼ ବସ୍ ସେବା ବନ୍ଦ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ୟା ଭିତରେ ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨୧୮ ପଜିଟିଭ। ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୩୪ ଅଛନ୍ତି ବରଗଡ଼ ଜିଲ୍ଲାରୁ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨୦କୁ ବୃଦ୍ଧି ପାଇଛି। ଯାହାକୁ ନେଇ ଚିନ୍ତା ବଢିଛି।

You might also like