କରୋନା କଟକଣା ବନାମ ଶିକ୍ଷା: ଆଶଙ୍କାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ !

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ପ୍ରଶାସନ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ ମହାମାରୀର ଜାଲ ଭିତରକୁ ପୁଣି ଥରେ ଠେଲି ହେବାକୁ ଯାଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। କରୋନା ଗାଇଡ୍‌ଲାଇନ୍ ଉଲ୍ଲଂଘନ ଯୋଗୁଁ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ତଥା କୋଚିଂ ସେଣ୍ଟର ଆଦି ଗୋଟିଏ ପରେ ଗୋଟିଏ ସିଲ୍‌ ହେବାରେ ଲାଗିଛି। ସଂକ୍ରମଣ ଯୋଗୁଁ  କଲେଜ ଓ ସ୍କୁଲ ସାମୟିକ ଭାବେ ବନ୍ଦ କରାଯାଉଛି।

ତେବେ ପ୍ରଥମ କରୋନା ଲହର ମାଡ଼ ନଇଁ ପଡ଼ିଥିବା ଶିକ୍ଷା ଜଗତ ପୁଣି ଥରେ ଅଣ୍ଟା ସଳଖୁ ଥିବା ବେଳେ କରୋନାର ଦ୍ୱିତୀୟ ଲହର୍ ଆଶା ଆଶଙ୍କାକୁ ଠେଲି ଦେଇଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମ୍‌ସି ନିର୍ଦ୍ଦେଶରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୨ ତାରିଖ ସୁଦ୍ଧା ଚତୁର୍ଥ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ କରିବାକୁ ନିର୍ଦ୍ଦେଶ ରହିଥିଲା। ଇତି ମଧ୍ୟରେ ହଷ୍ଟେଲ ବନ୍ଦକୁ ବିଏମ୍‌ସି ପକ୍ଷରୁ ହୋଇଥିବା ନିୟମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢାଇଥିଲା। ଏହାକୁ ବିରୋଧ କରି ଉତ୍କଳ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ।

କିନ୍ତୁ କର୍ତ୍ତୃପକ୍ଷ ତାଙ୍କ ଜିଦିରେ ଅଟଳ ରହିଥିଲେ। ବାଣୀବିହାର ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ନେଇ ଛାତ୍ର ଅଶାନ୍ତି ଘଟଣାରେ ସରକାରଙ୍କ ନିଷ୍ପତ୍ତି ପାଳନ ହେବ ବୋଲି PG କାଉନ୍‌ସିଲ୍ ଅଧ୍ୟକ୍ଷ କହିଥିଲେ। ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ପ୍ରଥମେ ଜୀବନ, ତାପରେ ଶିକ୍ଷା ବୋଲି PG କାଉନସିଲର ଅଧ୍ୟକ୍ଷ କହିଥିଲେ।

କଣ ରହିଛି BMCର ନିର୍ଦ୍ଦେଶ ? 
ପରୀକ୍ଷା ସରିଥିବା ଓ ପରୀକ୍ଷା ନଥିବା ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଏ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପିଲାଙ୍କ ପରୀକ୍ଷା ସରିନି, ପୂରା ଗାଇଡ୍ ଲାଇନ୍ ମାନି ଚଳିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି BMC ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି।

ତେବେ ଛାତ୍ରଛାତ୍ରୀମାନେ ଜିଦିକୁ ରାଜ୍ୟ ସରକାର ମାନି ନେଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍ ଖୋଲା ରହିବା ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା ଦେଇଛନ୍ତି। ଆଗକୁ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ସେ ଯାହା ହେଉନା କାହିଁକି ମହାମାରୀର ଜାଲ ଭିତରକୁ ପୁଣି ଥରେ ଠେଲି ହେବାକୁ ଯାଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ।

You might also like