- ଶ୍ମଶାନରେ ଗଡୁଛି ମଣିଷ ମୁଣ୍ଡ ଖପୁରି
- ଏଠି ସେଠି ଦରପୋଡ଼ା ଶବ ଓ କଙ୍କାଳ
- କରୋନା ପରେ ଶବକୁ ମିଳୁନି ସମ୍ମାନ
- ପଚାରିବାରୁ ହାତ ଯୋଡ଼ିଦେଲେ ସାମାଜିକ ସୁରକ୍ଷା ଅଧିକାରୀ
- ବଲାଙ୍ଗିର ଶ୍ମଶାନରେ ହରର୍ ଫିଲ୍ମର ଦୃଶ୍ୟ
ନୂଆଦିଲ୍ଲୀ: କେବଳ ଧର୍ମ କି ପରମ୍ପରା ଦୃଷ୍ଟିରୁ ନୁହେଁ, ଦେଶର ଆଇନ ବି କହୁଛି ମଲା ଲୋକକୁ ଯଥୋଚିତ ସମ୍ମାନ ମିଳିବ। ଠିକରେ ହେବ ଦାହ ସଂସ୍କାର। ହେଲେ ଏ ମହାମାରୀ କାଳରେ ମେଡିକାଲରୁ ଫେରୁଥିବା ସବୁ ସନ୍ଦିଗ୍ଧ କରୋନା ରୋଗୀଙ୍କ ଶବ ସତ୍କାର ପ୍ରଶାସନ ନିଜ ହାତକୁ ନେଇଥିବା ବେଳେ ଶବ କେମିତି ପୋଡ଼ା ହେଉଛି, ମୃତଦେହକୁ କିଭଳି ସମ୍ମାନ ମିଳୁଛି, ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବନି।
କରୋନା କାଳରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳୁଛି। ଦେଖି ହେବନି, ସିଧାସଳଖ ଦେଖେଇ ବି ହେବନି। କେବଳ ଯାହା ଆପଣଙ୍କୁ ଜଣାଇବାକୁ ଚେଷ୍ଟା କରୁଛୁ। ମଶାଣୀ ସାରା କେଉଁଠି ମଣିଷ ମୁଣ୍ଡର ଖପୁରୀ ଗଡୁଛି ତ କେଉଁଠି ଅଧାପୋଡ଼ା କଙ୍କାଳ ଦେଖିବାକୁ ମିଳିଛି। ଜାଗା ଜାଗାରେ ପଡ଼ି ରହିଛି ଦରପୋଡ଼ା ଶବ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିରର ବିଜାଖମନ ନିକଟ ଶ୍ମଶାନରେ। କେବଳ ଧର୍ମରେ ନୁହେଁ, ଆଇନ୍ ବି କହୁଛି ସମ୍ମାନର ସହ ମୃତଦେହକୁ ଦାହ ସଂସ୍କାର କରାଯିବା ଉଚିତ୍। ହେଲେ ଏଠିକାର ଦୃଶ୍ୟ କେଉଁ ହରର ଫିଲ୍ମଠୁ ବି କମ୍ ନୁହେଁ। ହସ୍ପିଟାଲରୁ ଆସୁଥିବା ସନ୍ଦିଗ୍ଧ ଏବଂ କରୋନାରେ ମୃତକଙ୍କ ଦାହ ସଂସ୍କାର ନିଜେ ପ୍ରଶାସନ କରୁଛି। ହେଲେ ସଂସ୍କାର ଏମିତି ହେଉଛି ଯେ, ଦାହ ସଂସ୍କାର ପରେ ଦରପୋଡ଼ା ଶବ ଦେଖି ଅସ୍ଥି ସଂଗ୍ରହ ପାଇଁ ଆସୁଥିବା ମୃତକଙ୍କ ପରିବାର ଲୋକଙ୍କ ଛାତି ଫାଟିଯାଉଛି।
ଏହାସହ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ୍ ହସ୍ପିଟାଲରେ ଆଜି ସକାଳର ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଆପଣଙ୍କୁ ବ୍ୟଥିତ କରିବ। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ ଜୀବନ ହରାଇଥିବା ୪ ଜଣଙ୍କ ମୃତଦେହ ଲଦାଲଦି ହୋଇ ହସ୍ପିଟାଲରୁ ସିଧା ମଶାଣିକୁ ଯାଇଥିଲା ଶବ। ପରିବାରକୁ ଶବ ହସ୍ତାନ୍ତର କଲେ ସଂକ୍ରମଣର ଭୟ ଥିବାରୁ ଦାହସଂସ୍କାରର ଦାୟିତ୍ୱ ନେଇଛି ବଲାଙ୍ଗିର ପୌରସଂସ୍ଥା। ଏଥିପାଇଁ ସ୍ୱାସ୍ଥ୍ୟବିଭାଗ, ପୌରସଂସ୍ଥା ଓ ପ୍ରଶାସନ ମିଳିତ ଭାବେ ଏକ ଟିମ୍ କରିଛନ୍ତି। ପ୍ରତି ଶବର ଦାହ ସଂସ୍କାର ପାଇଁ ୭ ହଜାର ୫ ଶହ ଟଙ୍କାର ବ୍ୟବସ୍ଥା ଅଛି। ହେଲେ ଏମିତି କଣ ଅସୁବିଧା ରହୁଛି ଯେ, ଠିକରେ ଶବ ପୋଡ଼ି ଯାଇପାରୁନି ? ଏ କଥା ପଚାରିବାରୁ ହାତଯୋଡ଼ି ଦେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଥିଲେ, ମୁହଁ ଖୋଲିବାକୁ ମନା ଅଛି। ଉପଜିଲ୍ଲାପାଳଙ୍କ ଧ୍ୟାନ ଆକର୍ଷଣ କରାଯିବାରୁ ସେ ପ୍ରତିଶ୍ରୁତି ଦେଇଛନ୍ତି, ଶବକୁ ମିଳିବ ସମ୍ମାନ। ଆଉ ଠିକ୍ ଭାବେ ଦାହ ସଂସ୍କାର ପାଇଁ ସଂପୃକ୍ତ ଅଧିକାରୀଙ୍କୁ ତାଗିଦ କରାଯିବ। ହେଲେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଶବକୁ କେତେ ସମ୍ମାନ ମିଳୁଛି। ଏହା କେବଳ ବଲାଙ୍ଗୀର ନୁହେଁ ବରଂ ସାରା ରାଜ୍ୟରେ ଅନେକ ଶ୍ମଶାନରେ ଏପରି ଘଟଣା ଦେଖିବାକୁ ମିଳୁଛି।