କରୋନା ପ୍ରଭାବିତ ଅଞ୍ଚଳରୁ ଆସିଥିବା ଲୋକଙ୍କୁ ଦେଖି ତାତିଲେ ଲୋକେ

ଭୁବନେଶ୍ୱର: ବାଲେଶ୍ୱରରୁ ଆସିଥିବା  କିଛି ଲୋକ ଭୁବନେଶ୍ୱର ଘାଟିକିଆରେ ଆସି ରହିଛନ୍ତି। ଏମାନଙ୍କୁ ନେଇ ଘାଟିକିଆ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ଟିମ୍‌  ଗାଁରେ ପହଞ୍ଚିଛି।

ବାଲେଶ୍ୱର ଭୋଗରାଇ ଅଞ୍ଚଳର କିଛି ଲୋକ ଘାଟିକିଆରେ ଥିବା ନେଇ ଖବର ମିଳିବା ପରେ ଏହାକୁ ନେଇ ଏବେ ଉତ୍ତେଜନା ସୃଷ୍ଟି ହୋଇଛି। ସ୍ଥାନୀୟ ଗାଁ ଲୋକେ ଏମାନଙ୍କୁ ଘର ଖାଲି କରିବାକୁ ଦାବି କରିଛନ୍ତି।

ଅଭିଯୋଗ ଅନୁସାରେ, ବାଲେଶ୍ୱର ଭୋଗରାଇ ଅଞ୍ଚଳରୁ କିଛି ଲୋକ ଲକ୍‌ଡାଉନ୍ ପରେ ଭୁବନେଶ୍ୱରକୁ ଆସିଛନ୍ତି।  ଏହି ଅଞ୍ଚଳରେ ତାଙ୍କ ଘର ଥିବା ବେଳେ ପୂର୍ବରୁ ସେ ଏଠି ରହୁନଥିଲେ।  ହେଲେ ଲକ୍‌ଡାଉନ୍ ପରେ କାହିଁକି ଆସିଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି। କରୋନା ପ୍ରଭାବିତ ଜିଲ୍ଲାରୁ ଆସିଥିବାରୁ ସଂକ୍ରମଣ ଆଶଙ୍କା କରି ଏମାନଙ୍କୁ ଫେରି ଯିବାକୁ ସେମାନେ ଦାବି କରିଛନ୍ତି।

ନଚେତ୍ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବାକୁ କହିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ବଢ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିଛି। ଏହି ଘରେ ଗୋଟିଏ ପରିବାରର ୧୪ ଜଣ ଲୋକ ଥିବା ଜଣାପଡ଼ିଛି। ଏମାନଙ୍କ ନମୂନ ପରୀକ୍ଷା କରାଯିବ। ରିପୋର୍ଟ ନେଗେଟିଭ ଆସିଲେ ବି ଏମାନଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

 

You might also like