କରୋନା ସତର୍କତା: ଭକ୍ତଙ୍କୁ ଅରୁଣସ୍ତମ୍ଭ, ଗରୁଡ଼ସ୍ତମ୍ଭ ଛୁଇଁବା ମନା
ପୁରୀ: କରୋନା ଭୟରେ ଶ୍ରୀମନ୍ଦିରରେ ଲାଗିଲା କଟକଣା। ଶ୍ରୀମନ୍ଦିରରେ ପୂଜା ବେଳେ ମୁଖା ପିନ୍ଧିବେ ସେବାୟତ। କରୋନା ସତର୍କତାକୁ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏଥିସହ ଏଠାକୁ ଆସୁଥିବା ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ରବିବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଲାଣି। ରାଜ୍ୟରେ ସତର୍କତା ସ୍ୱରୂପ ସିନେମା ହଲ, ସାଂସ୍କୃତିକ କାର୍ଯ୍ୟକ୍ରମ ଏପରିକି ସ୍କୁଲ, କୋଚିଂ ସେଣ୍ଟର ବନ୍ଦ କରି ଦିଆଗଲାଣି। ଏହାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ତା ଛଡ ପୁରୀକୁ ପର୍ଯ୍ୟଟକମାନେ ଆସୁଥିବାରୁ ଲୋକଙ୍କ ମନରେ କରୋନା ଭୟ ମଧ୍ୟ ରହିଛି।
ଏସବୁକୁ ଦୃଷ୍ଟିରେ ରଖି ଅରୁଣସ୍ତମ୍ଭ, ଗରୁଡ଼ସ୍ତମ୍ଭ ଓ ଦେବାଦେବୀଙ୍କୁ ଛୁଇଁବା ମଧ୍ୟ ବାରଣ କରାଯାଇଛି । ଏମିତିକି ପୂଜାପଣ୍ଡା ସେବକ ଠାକୁରଙ୍କ ସେବା କରିବା ବେଳେ ମୁହଁରେ ମୁଖା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏପଟେ କୋଣାର୍କ ସୂର୍ଯ୍ୟ ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି ।
ଏହି ବୈଠକରେ କରୋନା ସଂକ୍ରମଣକୁ ନେଇ ପ୍ରତିଷେଧକ, ନିରାକରଣ ଏବଂ ଏହାର ମୁକାବିଲାକୁ ନେଇ ଆଲୋଚନା ହୋଇଥିଲା। ତାସହ ବୈଠକରେ ଶ୍ରୀମନ୍ଦିର ନୀତିକାନ୍ତି, ସେବାପୂଜା ଓ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି