ସଂକ୍ରମଣ କମୁଛି ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଉଛି

ଟେନ୍‌ସନ୍‌ ଦେଉଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ଲହରର କୋପ ଥମୁ ଥିବାର ସଂକେତ। ଏନେଇ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ କହିଛନ୍ତି ଗତ ତିନି ସପ୍ତାହ ଧରି ରାଜ୍ୟରେ କରୋନା ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍ କମୁଛି। ମେ ଦ୍ୱିତୀୟ ସପ୍ତାହରେ ୨୨ ପ୍ରତିଶତରେ ଥିବା ଟିପିଆର୍ ଏବେ ୧୪ ପ୍ରତିଶତକୁ ଖସିଆସିଛି। ସେପଟେ ବିଶେଷଜ୍ଞଙ୍କ ମତରେ ସଂକ୍ରମଣ ଏବେ କମିବା ପର୍ଯ୍ୟାୟରେ ଥିଲେ ବି ପିଜିଟିଭିଟି ରେଟ୍ ୫ ପ୍ରତିଶତକୁ ଆସିବାକୁ ଆହୁରି ୩ ସପ୍ତାହ ଲାଗିପାରେ। ତେବେ ଟିପିଆର୍ କମିବା ସତ୍ତ୍ୱେ ଦୈନିକ ମୃତ୍ୟୁର ଟ୍ରେଣ୍ଡ କିନ୍ତୁ ଚିନ୍ତା ବଢ଼ାଇଛି।

ରାଜ୍ୟରେ କେବେ ଥମିବ ଦ୍ୱିତୀୟ ଲହରର କୋପ? କେବେ ତଳମୁହାଁ ହେବ ଦୈନିକ ମୃତ୍ୟୁର ଗ୍ରାଫ୍? ଲକଡାଉନ୍‌ ସପ୍ତାହାନ୍ତ ସଟଡାଉନ୍‌ ଭଳି କଟକଣାକୁ ମାସେ ପୂରିବାକୁ ବସିଥିଲା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି। ଦିନକରେ ପୁଣି ୩୩ ଜଣଙ୍କ ଜୀବନ ଯିବା ସହ ଗଲା ୭ ଦିନରେ ମହାମାରୀରେ ଗଲାଣି ୨୩୦ରୁ ଅଧିକ ଜୀବନ। ହେଲେ ୟା ଭିତରେ କିନ୍ତୁ ୩ ସପ୍ତାହ ଧରି ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆରରେ ଲଗାତର ହ୍ରାସ ସ୍ଥିତି ସୁଧୁରୁଥିବାର ଆଶା ଦେଖାଇଛି  ସ୍ୱାସ୍ଥ୍ୟ ବିଭାଗ। ବିଭାଗ ACSଙ୍କ ସୂଚନା ଅନୁଯାୟୀ ମେ ଦ୍ୱିତୀୟ ସପ୍ତାହରେ ଟିପିଆର୍ ୨୨ ପ୍ରତିଶତ ଥିବା ବେଳେ ୪ର୍ଥ ସପ୍ତାହକୁ ୧୭ ପ୍ରତିଶତ ଏବଂ ଆଜିକା ଦିନରେ ଏହା ୧୪ ପ୍ରତିଶତକୁ ଖସିଆସିଛି।

୧୯ ଜିଲ୍ଲାରେ ସଂକ୍ରମଣ ହାର କମୁଥିବା ବେଳେ ୫ ଜିଲ୍ଲାରେ ଏହା ୫ ପ୍ରତିଶତରୁ ତଳେ ରହୁଛି। ତେବେ ୯ଟି ଜିଲ୍ଲା- ଖୋର୍ଦ୍ଧା, କଟକ, ପୁରୀ, ଅନୁଗୁଳ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବରଗଡ଼ରେ ରାଜ୍ୟର ମୋଟ୍ କେଶର ୬୦ ପ୍ରତିଶତ ଥିବା ସ୍ୱାସ୍ଥ୍ୟ ବିଭାଗ ସଚିବ କହିଛନ୍ତି। ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିବା ସୀମାବର୍ତ୍ତି ଜିଲ୍ଲାଗୁଡ଼ିକ ପାଇଁ ଆଶ୍ୱସ୍ତି ଆଣିଛି। ତେବେ ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ ଏବେ ବି ରାଜ୍ୟ ପାଇଁ ଚ୍ୟାଲେଞ୍ଜ ଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ। ହେଲେ ଏବର ସ୍ଥିତିକୁ ଦେଖିଲେ ଆଗାମୀ ଦୁଇ ସପ୍ତାହ ଭିତରେ ରାଜ୍ୟରେ ପଜିଟିଭଟି ରେଟ୍ ଆହୁରି କମିବ ବୋଲି ସେ କହିଛନ୍ତି।

ଏପଟେ ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଅତିକ୍ରମ କରିଥିବା କୁହାଯାଉଥିଲେ ହେଁ, ଆଗକୁ ରଜ ଓ ସାବିତ୍ରୀ ଭଳି ପର୍ବ ଥିବାରୁ ସାମାନ୍ୟ ଢିଲାପଣ ସ୍ଥିତିକୁ ବିଗାଡି ଦେଇପାରେ। ତେବେ ବିଶେଷଜ୍ଞଙ୍କ ମତରେ ସଂକ୍ରମଣ ଏବେ କମିବା ପର୍ଯ୍ୟାୟରେ ଅଛି। ହେଲେ ପଜିଟିଭିଟି ରେଟ୍ ୫ ପ୍ରତିଶତରେ ପହଂଚିବାକୁ ଆହୁରି ୩ ସପ୍ତାହ ଲାଗି ଯାଇପାରେ। ତେଣୁ ସେ ପର୍ଯ୍ୟନ୍ତ ସତର୍କ ରହିବାକୁ ହେବ।

ଏପଟେ ଦେଶରେ ବି କରୋନାର ଦ୍ରୁତ ଗତିରେ ବ୍ରେକ୍ ଏକଦା ୪ ଲକ୍ଷ ଉପରେ ଥିବା ଦୈନିକ ସଂକ୍ରମଣ ଏବେ ଦୁଇ ଦିନ ଧରି ଲକ୍ଷେ ୭୫ ହଜାର ତଳେ ରହୁଛି। ଗତକାଲି ନୂଆ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୯୦ ଥିଲା ବେଳେ ଗତ ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୬୫ ହଜାର ୫୫୩ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ବିଗତ ୬ ସପ୍ତାହ ଭିତରେ ଦୈନିକ ସଂକ୍ରମଣରେ ସବୁଠୁ କମ୍। ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍ ବି ୮.୦୨ ପ୍ରତିଶତକୁ ଖସିଆସିଛି। ହେଲେ ଦୈନିକ ମୃତ୍ୟୁସଂଖ୍ୟା ଏବେ ବି ୩ ହଜାର ଉପରେ ରହିଛି।

ଗତ ୨୪ ଘଣ୍ଚାରେ ଆଉ ୩ ହଜାର ୪୬୦ କରୋନା ପୀଡ଼ିତ ଜୀବନ ହାରିଛନ୍ତି। କରୋନା ଦ୍ୱିତୀୟ ଲହରଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ ଭଳି ବହୁ ରାଜ୍ୟରେ ଭୂତାଣୁର କୋପ ଥମିବା ଆଗକୁ ସ୍ଥିତି ସ୍ୱାଭାବିକ ହେବାର ଆଶା ଆଣିଛି।

ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ ଓ ହରିହର ଚାନ୍ଦଙ୍କ ରିପୋର୍ଟ

You might also like