ମହାମାରୀ କବଳରେ କରୋନା ଯୋଦ୍ଧା

ରାଉରକେଲା: କରୋନାରେ ଚାଲିଗଲା ଆଉ ଦୁଇ କୋଭିଡ୍ ଯୋଦ୍ଧା ଜୀବନ। ଆଜି ରାଉରକେଲାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା 26ରେ ପହଞ୍ଚିଥିବା ବେଳେ ଶୁକ୍ରବାର ରାତିରେ ଜଣେ କୋଭିଡ ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଉରକେଲା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଅରୁଣ କୁମାର ଦାଶ।  ସେ ଗତ କିଛିଦିନ ହେଲା ଅସୁସ୍ଥ ହୋଇ ରାଉରକେଲା ହାଇଟେକ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ। ।

ସେହିପରି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବରଗାଁ ପ୍ରାଥମିକ ଚିକିତ୍ସାଳୟର ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ବିଷୋୟୀ ଅସୁସ୍ଥ ଅନୁଭବ କରିବା ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କଠାରେ କରୋନା ଲକ୍ଷଣ ଦେଖାଯିବା ପରେ ପରୀକ୍ଷା କରାଯାଇଥିଲା। ହେଲେ ରିପୋର୍ଟ ଆସିବା ପୂର୍ବରୁ ପ୍ରାଣ ହରାଇଥିଲେ ସୁରେଶ। କରୋନା ଶିକାର ହୋଇଥିବା ରାଉରକେଲାର ଡାକ୍ତର ଅରୁଣ କୁମାର ଦାଶ ଓ ଭଞ୍ଜନଗରର ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ବିଷୋୟୀଙ୍କୁ ଶେଷ ସମ୍ମାନ ଦିଆଯାଇଛି

କେବଳ ଏହି ଦୁଇ ଜଣ ନୁହଁ, ରାଜ୍ୟରେ ଅନେକ କରୋନା ଯୋଦ୍ଧାଙ୍କ ଜୀବନ ନେଲାଣି କୋଭିଡ୍-୧୯। ହାରାହାରି ଦେଖିଲେ ପ୍ରତିଦିନ ୯ରୁ ୧୦ ଜଣ ମହାମାରୀର ଶିକାର ହେଉଛନ୍ତି। ରାଜ୍ୟରେ କରୋନା ଯୋଗୁଁ ଆଜି ପର୍ଯ୍ୟନ୍ତ ୩୯୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଅଗଷ୍ଟ ମାସରେ ପ୍ରାଣ ହରାଇଲେଣି ୨୨୨ ଜଣ। ଆଜି ବି ରାଜ୍ୟରେ ୯ ଜଣଙ୍କ ଜୀବନ ଯାଇଛି। ତେବେ ଅଗଷ୍ଟ ମାସରେ ମୃତ୍ୟୁର ଏହି ଟ୍ରେଣ୍ଡ ପ୍ରଶାସନର ଚିନ୍ତା ବଢାଉଛି।

ଏଣେ ଆଜି ୨୯ ଜିଲ୍ଲାରୁ ୨୮୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ସର୍ବାଧିକ ୪୪୩ ପଜିଟିଭ୍ କେବଳ ଖୋର୍ଦ୍ଧା ଜିଲ୍ଲାରୁ। ଏଥିସହ ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି ପାଇଛି।

ସେପଟେ ଦିନକୁ ଦିନ କରୋନା ଆକ୍ରାନ୍ତ ରାଜନେତାଙ୍କ ସଂଖ୍ୟା ବି ବଢିବାରେ ଲାଗିଛି। ଆଜି କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ନିଜେ ସୂଚନା ଦେଇଛନ୍ତି ଭଦ୍ରକ MP ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗୀ।

You might also like