ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢିଲା, ଦିନକରେ ଆଖି ବୁଜିଲେ ୩୫ ରୋଗୀ

ଭୁବନେଶ୍ୱର: ଦେଶରେ କରୋନାର ୨ୟ ଲହର ପ୍ରଭାବ ଧୀରେ ଧୀରେ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି।  ଓଡ଼ିଶାରେ କିଛିଦିନ ଧରି ସଂକ୍ରମିତଙ୍କ ସଂଖ୍ୟା କମିଥିବା ବେଳେ ଆଜି  ସଂକ୍ରମିତଙ୍କ ସଂଖ୍ୟା  ୮ ହଜାର ଉପରେ ରହିଛି । ଗତକାଲି ତୁଳନାରେ ମୃତ୍ୟୁ ସଂଖ୍ୟା ଆଜି ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୩୫ ଜଣଙ୍କର ମୃତ୍ୟୁ ଘଟିଛି।  ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧତ୍କ ୫ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେହିପରି କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଦେବଗଡ଼, ଗଜପତି, ଗଞ୍ଜାମ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଲେଖାଏ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ନୟାଗଡ଼ ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି।

ତେଣୁ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟି ରଖି ରାଜ୍ୟ ସରକାର ପୁଣି ଥରେ ୧୬ ଦିନ ପାଇଁ ଲକ ଡାଉନ ଅବଧି ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  ଲକଡାଉନ ବେଳେ ପୂର୍ବରୁ ଜାରି ସମସ୍ତ କଟକଣା ବଳବତ୍ତର ରହିବ । ଏଥିସହ ସପ୍ତାହାନ୍ତ ସଟଡାଉନ୍ କଟକଣା ମଧ୍ୟ ଆଗଭଳି ଜାରି ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ତେବେ ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ ଲକଡାଉନ୍ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ । ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ କେବଳ ସେଲୁନ୍, ସ୍ପା ଓ ମଲ୍, ମାର୍କେଟ କମ୍ପ୍ଲେକ୍ସ ଏବଂ ସାପ୍ତାହିକ ହାଟକୁ ଛାଡି ବାକି ସବୁ ଦୋକାନ ଖୋଲା ରହିବ । ତେବେ ଏହି ୩ଟି ଜିଲ୍ଲାରେ ସଂକ୍ରମଣ ବଢ଼ିଲେ ପୁଣି କଟକଣା ଲାଗୁ ହେବ ଏବଂ ବାକି ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ସୂଚନାଥାଉ କି, ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ କାବୁ କରିବା ପାଇଁ ପ୍ରଥମେ ମେ’ ୫ରୁ ୧୯ ଯାଏଁ ଲକ୍‌ଡାଉନ ଘୋଷଣା ହୋଇଥିଲା, ଯାହାକୁ ପରେ ଜୁନ୍ ୧ ଯାଏଁ ଏବଂ ଏବେ ପୁଣି ଜୁନ୍ ୧୭ ଯାଏଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି।

You might also like