ଭକ୍ତଙ୍କ ବିନା ସମ୍ପନ୍ନ ହେଲା ରାମମନ୍ଦିରରେ ନୀତିକାନ୍ତି, ଶ୍ରୀଜିଉଙ୍କ ରଥକାଠ ଚିରଟ ନୀତି

ଭୁବନେଶ୍ୱର: କରୋନା ପାଇଁ ଫିକା ପଡ଼ିଲା ପବିତ୍ର ରାମନବମୀ ଉତ୍ସବ। ମହାପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥିକୁ ଦେଶର ବିଭିନ୍ନ ଅଞ୍ଚଳରେ ବେଶ୍ ଜାକଜମକରେ ପାଳନ କରାଯାଏ ହେଲେ ଚଳିତ ବର୍ଷ କରୋନାର ପ୍ରାଦୁର୍ଭାବ ଯୋଗୁଁ ବିଭିନ୍ନ ସ୍ଥାନରେ କେବଳ ମନ୍ଦିରରେ ନୀତିକାନ୍ତି ପାଳିତ ହେଉଥିଲେ ବି ଭକ୍ତଙ୍କ କୋଳାହଳ ଦେଖିବାକୁ ମିଳିନି। ଭୁବନେଶ୍ୱର ରାମ ମନ୍ଦିରରେ ଆଜି ସକାଳୁ ଶୁନଶାନ ପରିବେଶ ଦେଖିବାକୁ ମିଳିଥିଲା।

ପରମ୍ପରା ଅନୁଯାୟୀ କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯାଇଥିଲା। ସହରର ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ କେବଳ ଠାକୁରଙ୍କ ନୀତିକାନ୍ତି ଭିତରେ ସୀମିତ ରହିଥିବା ରାମନବମୀ ଉତ୍ସବ କରୋନା କଟକଣା ପାଇଁ ମନ୍ଦିରକୁ କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କ ଆଗମନ ହୋଇନଥିଲା। ଶ୍ରୀମନ୍ଦିରରେ ମଧ୍ୟ ରାମ ନବମୀକୁ ବିଦ୍ଧି ମୁତାବକ  ପାଳନ କରାଯାଇଛି। ସେହିଭଳି କଟକ ଜିଲ୍ଲାର ସାଲେପୁର, ନିଆଳି ଓ ଅନ୍ୟ ଅଞ୍ଚଳରେ ମଧ୍ୟ ନିରାଡ଼ମ୍ବର ଭାବେ ପାଳିତ ହୋଇଛି ରାମନବମୀ ଉତ୍ସବ।

କରୋନା କଟକଣା ଯୋଗୁଁ ବନ୍ଦ ହେଲା ପୁରୀର ବରୁ ପୁରୁଣା ସାହିଯାତ ଉତ୍ସବ ପ୍ରତିବର୍ଷ ରାମ ନବମୀ ଅବସରରେ ଏହି ପାରମ୍ପରିକ ଉତ୍ସବ ପାଳନ କରାଯାଉଥିଲେ ବି ଏବର୍ଷ କରୋନା ପାଇଁ ସାମାଜିକ ଦୂରତ୍ୱ ନିୟମ ପାଇଁ ସାହିଯାତକୁ ବନ୍ଦ ରଖାଯାଇଛି।

ଏପଟେ ଆଜି ରାମ ନବମୀ ତିଥି ଅବସରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ରଥକାଠ ଚିରଟ ନୀତି। କଟକ ଖପୁରିଆ କରତ କଳରେ ରଥକାଠ ଚିରା କାର୍ଯ୍ୟ ଆରମ୍ଭ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଆଣିବା ପରେ ଏହି ପ୍ରକ୍ରିୟା ହୋଇଥିଲା।

You might also like