ରାଜ୍ୟରେ ଅଣାୟତ୍ତ ହୋଇପଡ଼ିଛି ବଜାର ସ୍ଥିତି

ଭୁବନେଶ୍ୱର: ବଢ଼ି ଚାଲିଥିବା କୋଭିଡ୍ ସଂକ୍ରମଣକୁ ବ୍ରେକ ଦେବା ପାଇଁ ନିଇତି ନୂଆ ନୂଆ ଯୋଜନା। ଲକ୍‌ଡାଉନ୍, ସଟ୍‌ଡାଉନ୍, କଣ୍ଟେନମେଣ୍ଟ ଆଦି ନା ନା କଟକଣା ଜାରି କରି ହାଟ ବଜାରରେ ତାଲା ପକାଇ ଦିଆଯାଉଛି।

ଏହାଦ୍ୱାରା ସଂକ୍ରମଣକୁ କେତେ ଆୟତ୍ତ କରାଯାଇପାରୁଛି, ତାହା ତ ଭିନ୍ନ କଥା, ହେଲେ ରାଜ୍ୟବ୍ୟାପୀ କିନ୍ତୁ ଅଣାୟତ୍ତ ହୋଇପଡ଼ିଛି ବଜାର ସ୍ଥିତି। କେଉଁଠି ସପ୍ତାହାନ୍ତ ସଟ୍‌ଡାଉନ୍ ପୂର୍ବଦିନ ଆକାଶଛୁଆଁ ଦରବୃଦ୍ଧି ଘଟୁଛି ତ ଆଉ କେଉଁଠି ହୋଲ୍‌ସେଲ୍ ବେପାର ମାନ୍ଦା। ଏଭଳି ସ୍ଥିତିରେ ଖୁଚୁରା ବ୍ୟବସାୟୀ ଭଲ ଆୟ କରୁଥିବାବେଳେ ହୋଲସେଲ୍ ବ୍ୟବସାୟୀ ଚିନ୍ତାରେ ପଡ଼ିଯାଇଛନ୍ତି।

କୋହଳ ହେଉଛି କୋଭିଡ୍ କଟକଣା। ଚଳଚଞ୍ଚଳ ହେଉଛି ହାଟବଜାର। କିଏ ପରିବା ପାଇଁ ତ ଆଉ କିଏ ଧାଉଁଛନ୍ତି ଡାଲି ଚାଉଳ ପାଇଁ। ହେଲେ ଦରଦାମ୍ ଶୁଣି ନାକେଦମ୍ ଖାଉଟୀ।

ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ଫାଇଦା ନେଉଛନ୍ତି ଅସାଧୁ ବ୍ୟବସାୟୀ। କୋଭିଡ୍ କଟକଣା ଭିତରେ ଏବେ ରାଜ୍ୟବ୍ୟାପୀ ହାଟବଜାରରେ ଏଭଳି ଦରବୃଦ୍ଧିର ନିଆଁ। କଟକ ସହରର ଛତ୍ରବଜାର କଥା ବିଚାରକୁ ନିଆଯାଉ। ଏଠି ଆଳୁ ହେଉ କି ପିଆଜ, କୋବି ହେଉ କି ବାଇଗଣ ସବୁ ଚଢ଼ା ଦର ରହିଛି। ବିଶେଷ କରି ସପ୍ତାହାନ୍ତ ସଟ୍‌ଡାଉନ‌କୁ ଦେଖି ଶୁକ୍ରବାର ହାଟ ବଜାରରେ ଗ୍ରାହକଙ୍କ ଭିଡ଼ ଜମୁଥିବାରୁ ଏହାର ଫାଇଦା ନେଇ ମନଇଛା ହାଙ୍କୁଛନ୍ତି ବ୍ୟବସାୟୀ।

କେବଳ କଟକ ନୁହେଁ, ରାଜ୍ୟର ଅନ୍ୟସ୍ଥାନରେ ବି ଏଭଳି ସ୍ଥିତି। ତେବେ ବ୍ୟବସାୟୀଙ୍କ ସଫେଇ, ରାଜ୍ୟ ବାହାରୁ ଆସୁଥିବାରୁ ପନିପରିବା ଦାମ୍ ଅଧିକା ରହୁଥିବାରୁ ଦର ଉଚ୍ଚା ରହିଛି। ତେବେ ପରିବା ରେଟ୍ ଅଧିକ ଥିବାରୁ ଖୁଚୁରା ବ୍ୟବସାୟୀ ମାଲାମାଲ ହେଉଛନ୍ତି। ହେଲେ ବିବାହ, ମହୋତ୍ସବ ସହ ହୋଟେଲ୍ ବ୍ୟବସାୟ ବନ୍ଦ ଯୋଗୁ ହୋଲ୍‌ସେଲ୍ସ ବେପାର ସମ୍ପୂର୍ଣ୍ଣ ମାନ୍ଦା।

କଟକ ମାଲଗୋଦାମ୍ ହେଉ କି ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁର ମାର୍କେଟ। ସାଂଘାତିକ ପ୍ରଭାବିତ ହୋଇଛି ବ୍ୟବସାୟ। ଜାରି ରହିଥିବା ଲକ୍‌ଡାଉନ୍, ସଟ୍‌ଡାଉନ୍ ଭିତରେ ନା ବାହାରକୁ ସାମଗ୍ରୀ ପଠାଇ ପାରୁଛନ୍ତି ନା ବାହାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆସିପାରୁଛି। ଫଳରେ ବିକ୍ରିବଟା ମାନ୍ଦା ରହିବା ସହ ଖାଉଟି ବି ପ୍ରଭାବିତ ହେଉଛନ୍ତି।

ଏପରିକି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁରରେ ବି ସମାନ ସ୍ଥିତି। ସବୁଠି ହୋଲସେଲ୍ ବେପାର ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି। ଫଳରେ ଚିନ୍ତାରେ ବ୍ୟବସାୟୀ। କରୋନା ସଂକ୍ରମଣ ତ ନିୟନ୍ତ୍ରଣକୁ ଆସୁନି, ଏଭଳି ଅବସ୍ଥାରେ ବଜାର ସ୍ଥିତିକୁ ନିୟନ୍ତ୍ରଣ ନକଲେ, ଆଗକୁ ଅସମ୍ଭାଳ ହୋଇପାରେ।

You might also like