କରୋନା ବଦଳାଇ ଦେଲା ରୋଜଗାରର ପନ୍ଥା

କରୋନା ବଦଳାଇ ଦେଲା ଜୀବିକା

  • କରୋନା ବଦଳାଇ ଦେଲା ଜୀବିକା
  • କରୋନା ପୂର୍ବରୁ ପାଲା ଗାଇ ପରିବାର ଚଳାଉଥିଲେ
  • ହେଲେ ଏବେ କରୋନା ସଚେତନତା ଗୀତ ଗାଇ କରୁଛନ୍ତି ଉପାର୍ଜନ
  • ବଲାଙ୍ଗିର ମୁରିବାହାଲ୍ ବ୍ଲକ ମାଲିଶିରା ଗାଁର ରାମନାଥ ଷାଣ୍ଢ
  • ଗାଁ ଗାଁ ବୁଲି ଲୋକଙ୍କୁ ଗୀତ ଗାଇ ସଚେତନ କରୁଛନ୍ତି ରାମନାଥ

ବଲାଙ୍ଗୀର: ଗୋଟିଏ ବାଟ ବନ୍ଦ ହେଲେ କଳାକାରକୁ ଅନ୍ୟ ବାଟ ଦେଖାଇଦେବ କଳା। ବଲାଙ୍ଗିର ଜିଲ୍ଲା ମୁରିବାହାଲ୍ ବ୍ଲକ ମାଲିଶିରା ଗାଁର ରାମନାଥ ଷାଣ୍ଢଙ୍କୁ ନେଇ କୁହାଯାଇଛି ଏମିତି କଥା। କରୋନା ପୂର୍ବରୁ ପାଲା ଗାଇ ପରିବାର ଚଳାଉଥିଲେ ହେଲେ କରୋନା ମାହାମାରୀ ଯୋଗୁଁ ହୋଇଗଲେ ରୋଜଗାର ଶୂନ୍ୟ। ଏଭଳି ସ୍ଥିତିରେ କରୋନା କଟକଣା ଉପରେ ଗୀତ ଲେଖି ଗାଁ ଗାଁ ବୁଲି ଲୋକଙ୍କୁ ଗାଇ ଗାଇ ସଚେତନ କରାଉଛନ୍ତି। ଆଖପାଖ ଅଞ୍ଚଳର ଲୋକ ମଧ୍ୟ ରାମଙ୍କ ଗୀତ ଶୁଣି ହେଉଛନ୍ତି ସଚେତନ।

ସାରା ଦେଶରେ କରୋନା ସଂକ୍ରମଣର ଭୟ। ସବୁଆଡେ ବେଲଗାମ୍ ମହାମାରୀ। ଆଉ ଏଭଳି ସମୟରେ ବାଜା ବଜାଇ ଗୀତ ଗାଇ କରୋନା ନେଇ ଲୋକଙ୍କୁ ସଚେତନ କରାଉଛନ୍ତି। ଗାଁ ଗାଁ ବୁଲି ନିଆରା ଢଙ୍ଗରେ ଲୋକଙ୍କୁ ମହାମାରୀ ବିଷୟରେ ସଚେତନ କରାଉଥିବା ଏହି କଳାକାର ଜଣକ ହେଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ୍ ବ୍ଲକ ମାଲିଶିରା ଗାଁର ରାମନାଥ ଷାଣ୍ଢ। କରୋନା ହେବା ପୂର୍ବରୁ ପାଲା ଗାଇ ପରିବାର ପ୍ରତିପୋଷଣ କରୁଥିଲେ ରାମନାଥ। ହେଲେ ଗଲା ବର୍ଷ କରୋନା ଛଡେଇ ନେଇଥିଲା ତାଙ୍କର ଜୀବନଜୀବିକା। ଏଥିରେ କିନ୍ତୁ ହାର୍ ମାନି ନଥିଲେ ରାମନାଥ। କରୋନା ସଂକ୍ରମଣକୁ ବନ୍ଦ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଟକଣାକୁ ନିଜ ଢଙ୍ଗରେ ଗୀତ ମାଧ୍ୟମରେ ସେ ଲେଖିଥିଲେ।

ପରେ ଗାଁ ଗାଁ ବୁଲି ଏହି ଗୀତ ଗାଇ ଲୋକଙ୍କୁ ସରକାରଙ୍କ କରୋନା ନିୟମ୍ ମାନିବାକୁ କହୁଥିଲେ। ଗୀତ ଗାଇବା ବେଳକୁ ଲୋକେ ଯାହା ତାଙ୍କୁ ଦିଅନ୍ତି ସେଥିରେ ରାମନାଥଙ୍କ ପରିବାର ଚଳୁଛି। ରାତି ପାହିଲେ ରାମନାଥ ଘରୁ ବାହାରି ଆଖପାଖ ଗାଁକୁ ଯାଆନ୍ତି। ଗାଁର ଏକ ବଡ ଗଛ ତଳେ ବସି ଗୀତ ଗାଇଥାନ୍ତି। ରାମନାଥଙ୍କ ଶବ୍ଦ ଶୁଣି ବୁଢାଠୁୁ ଛୁଆ ସମସ୍ତେ ଦଉଡି ଆସି ତାଙ୍କ ଗୀତ ଶୁଣନ୍ତି। କରୋନା ରୋଗ ଓ ତାର ପ୍ରତିକାର ନେଇ ସୁନ୍ଦର ଗୀତ ମାଧ୍ୟମରେ ଲୋକଙ୍କୁ ଜଣାନ୍ତି। ଆଉ ନିଆରା ଢଙ୍ଗରେ ଲୋକଙ୍କ ପାଖକୁ ପହଞ୍ଚାଇଥାନ୍ତି ସରକାରଙ୍କ ସବୁ ନିୟମ। ରାମନାଥ ମୁରିବାହାଲ୍ ବ୍ଲକର ଜଣେ ଜଣାଶୁଣା କଳାକାର୍। କରୋନା ବେଳେ ସେ ନିଜ ତରଫରୁ ଗୀତ ଲେଖି ଓ ଗାଇ ନିଜର କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି।

You might also like