କୋଭିଡ-୧୯: ତିନି ଦିନ ହେଲା ସବୁ ନମୂନା ନେଗେଟିଭ

ଭୁବନେଶ୍ୱର: ସାରା ବିଶ୍ୱରେ ଏପରିକି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର।  ଗତ ତିନି ଦିନ ଭିତରେ ରାଜ୍ୟରେ ଜଣେ ହେଲେ ବି ଚିହ୍ନଟ ହୋଇ ନାହାନ୍ତି କରୋନା ପଜିଟିଭ୍ । ଗତ ୧୫ ତାରିଖରେ ରାଜ୍ୟର ମୋଟ ୧୧ ଶହ ୯୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା । ସେହିଭଳି ଗୁରୁବାର ମଧ୍ୟ ୮୪୩ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲା । ଗତକାଲି ତୃତୀୟ ଦିନରେ ମୋଟ ୧୦୪୨ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲେ ବି ସବୁ ରିପୋର୍ଟ ନେଗେଟିଭ୍ ଆସିଛି।

ଆଜି ସୁଦ୍ଧା ରାଜ୍ୟରେ ମୋଟ ୮ ହଜାର ୬୧୯ ନମୂନା ପରୀକ୍ଷା ପାଇଁ ଯାଇଥିଲା। ତା ଭିତରୁ ୮ ହଜାର ୫୫୯ ନେଗେଟିଭ୍ ଆସିଛି। ରାଜ୍ୟରେ ଏବେ ସୁଦ୍ଧା ୬୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୩୮ ଜଣ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ସୂଚନାଥାଉ କି, ରାଜ୍ୟରେ କରୋନା ହଟସ୍ପଟ ଭୁବନେଶ୍ୱରର ଆଉ ଦୁଇ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଗତକାଲି ରାତିରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଉଭୟଙ୍କୁ ମେଡ଼ିକାଲରୁ ଡିସଚାର୍ଜ କରାଯାଉଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗତକାଲି ସୁସ୍ଥ ହୋଇଥିବା ୨ ଆରୋଗ୍ୟ କିଏ ଏବଂ କେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ସେ ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନି।

ଏହି ଦୁଇ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ ୧୪ ଜଣ ସୁସ୍ଥ ହୋଇଛନ୍ତି।  ଅପରପକ୍ଷେ ଭୁବନେଶ୍ୱରରେ ଚିକିତ୍ସାଧିନ ରୋଗୀଙ୍କ ସଂଖ୍ୟା ୩୨କୁ ହ୍ରାସ ପାଇଛି।

ଅନ୍ୟପକ୍ଷେ ଦେଶରେ  ମହାମାରୀ କରୋନାରେ ୪୮୦  ଜଣଙ୍କ ଜୀବନ ଗଲଣି। ଆକ୍ରାନ୍ତ ସଂଖ୍ୟା ୧୩ ହଜାର ୮୩୫ ଥିବା ବେଳେ ଚିକିତ୍ସାଧୀନ ରହିଛନ୍ତି ୧୧ ହଜାର ୬୧୬ଜଣ ଆକ୍ରାନ୍ତ ।

 

 

You might also like